ଭୁବନେଶ୍ୱର ୨୦।୧୦ : ଅଧର୍ମ ଉପରେ ଧର୍ମର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ହେଉଛି ବିଜୟା ଦଶମୀ। ଏହା କେବଳ ଏକ ପର୍ବ ନୁହେଁ, ଏହା ଆସ୍ଥା, ଆଧ୍ୟାତ୍ମିକତା, ନାରୀଶକ୍ତି ଓ ମାନବୀୟ ମୂଲ୍ୟବୋଧର ଏକ ମହାନ ଉତ୍ସବ। ତେବେ ପ୍ରଶ୍ନ ହେଉଛି ଏହି ଦିନକୁ ନେଇ ଏତେ ବିଶ୍ୱାସ, ଏତେ ଭାବନା ଏବଂ ଏତେ ଉତ୍ସାହ କାହିଁକି ?

ପୁରାଣ ଅନୁସାରେ, ମହିଷାସୁରଙ୍କ ଅତ୍ୟାଚାରରେ ଦେବତାମାନେ ଅତିଷ୍ଠ ହୋଇପଡ଼ିଥିଲେ । ସେତେବେଳେ ଦେବତାମାନଙ୍କ ସମସ୍ତ ଶକ୍ତିର ସମନ୍ୱୟରୁ ଆବିର୍ଭାବ ହୋଇଥିଲେ ମା’ ଦୁର୍ଗା । ହାତରେ ଅସ୍ତ୍ର… ମନରେ ସାହସ… ଆଉ ଲକ୍ଷ୍ୟ ଥିଲା ଗୋଟିଏ—ଅଧର୍ମର ବିନାଶ । ଦୀର୍ଘ ଯୁଦ୍ଧ ପରେ ମା’ ଦୁର୍ଗା ମହିଷାସୁରଙ୍କୁ ବଧ କଲେ ଏବଂ ଧର୍ମର ବିଜୟ ହେଲା । ଆଉ ସେହି ବିଜୟ ଆମକୁ ଆଜି ବି ଗୋଟିଏ କଥା ଶିଖାଏ ଅଧର୍ମ ଯେତେ ଶକ୍ତିଶାଳୀ ହେଉ, ଶେଷରେ ବିଜୟ ସତ୍ୟର ହିଁ ହୁଏ ।

Also Read:-କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ : ରାତି ହେଲେ ଘରୁ ବାହାରୁ ନାହାଁନ୍ତି ଲୋକେ

ତେବେ ବିଜୟା ଦଶମୀର କାହାଣୀ ଏତିକିରେ ଶେଷ ହୁଏନାହିଁ । ଏହି ଦିନ ସହ ଜଡ଼ିତ ରହିଛି ଆଉ ଏକ ମହାନ ବିଜୟର ଗାଥା । ଯାହା ଶ୍ରୀରାମଙ୍କ ବିଜୟର ଗାଥା… ରାମାୟଣ ଅନୁସାରେ, ଅଧର୍ମର ପ୍ରତୀକ ରାବଣଙ୍କ ସହ ଯୁଦ୍ଧରେ ଭଗବାନ ଶ୍ରୀରାମ ବିଜୟୀ ହୋଇଥିଲେ । ରାବଣଙ୍କ ପରାଜୟ ସହିତ ପୁଣିଥରେ ପ୍ରମାଣିତ ହୋଇଥିଲା ସତ୍ୟର ବିଜୟ ନିଶ୍ଚିତ। ସେଥିପାଇଁ ବିଜୟା ଦଶମୀ ଅବସରରେ ଅନେକ ସ୍ଥାନରେ ରାବଣ ପୋଡ଼ିର ପରମ୍ପରା ରହିଛି।