ରାଉରକେଲା ୩୦।୦୮ : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ରାଉରକେଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଏଏସଆଇ ମଦନ ମୋହନ ପ୍ରଧାନ ଲାଞ୍ଚ ନେଇ ଧରା ପଡ଼ିଛନ୍ତି।

ଖବର ଅନୁଯାୟୀ, ଜଣେ ଢ଼ାବା ମାଲିକଙ୍କଠାରୁ ନଗଦ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରିଛି। ଲହୁଣୀପଡ଼ା ଥାନା ଅନ୍ତର୍ଗତ ଏକ ଢ଼ାବାର ମାଲିକଙ୍କ ବିରୋଧରେ ଥିବା ଅବକାରୀ ମାମଲାକୁ ରଫାଦଫା କରିବା ଏବଂ ବେଆଇନ ମଦ ବ୍ୟବସାୟ ଚଳାଇବାକୁ ଦେବା ପାଇଁ ASI ମଦନ ମୋହନ ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଡିଲ୍ ୨୦ ହଜାର ଟଙ୍କାରେ ଛିଣ୍ଡିଥିଲା। ASI ଜଣକ ଢ଼ାବା ମାଲିକଙ୍କୁ ତାଙ୍କର ଜଣେ ସହଯୋଗୀଙ୍କ ଜରିଆରେ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Also Read:-ପୂର୍ବତନ ମନ୍ତ୍ରୀ ଡମ୍ବୁରୁ ମାଝୀଙ୍କ ଦେହାନ୍ତ, ୮୬ ବର୍ଷରେ ଆଖିବୁଜିଲେ

ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ରଜାମୁଣ୍ଡା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ କାରବାର ହେଉଥିବା ସମୟରେ ଆଗରୁ ଜାଲ ବିଛାଇ ରହିଥିବା ରାଉରକେଲା ଭିଜିଲାନ୍ସର ସ୍ପେଶାଲ ଟିମ୍ ଚଢ଼ାଉ କରିଥିଲା। ଭିଜିଲାନ୍ସ ଟିମ୍ ସେଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ASI ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀଙ୍କୁ ମାଡ଼ି ବସିଥିଲା। ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଧିକ ପଚରାଉଚରା କରାଯାଉଛି। ଏହାସହ ASI ଙ୍କ ମହୁଲଡିହିସ୍ଥିତ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠାବ ପାଇଁ ଚଢ଼ାଉ ଜାରି ରହିଛି। ସମ୍ପୃକ୍ତ ASI ଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଥର ଲାଞ୍ଚ ନେବା ଏବଂ କ୍ଷମତାର ଅପବ୍ୟବହାର କରିବାର ସଙ୍ଗୀନ ଅଭିଯୋଗ ରହିଥିଲା। ରାଉରକେଲା ଭିଜିଲାନ୍ସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।