କୋଲକାତା: ମମତା ବାନାର୍ଜୀଙ୍କ ଉପରେ ଛୁରାମାଡ଼ ଉଦ୍ୟମ ଘଟଣାର କୌଣସି ସତ୍ୟତା ନାହିଁ। ମହିଳା ଜଣଙ୍କ ମମତାଙ୍କୁ ଭେଟିବାକୁ ଯାଉଥିଲେ। ହେଲେ ଟିଏମ୍‌ସି ସପୋର୍ଟରମାନେ ଏହାକୁ ଭୁଲ୍ ବୁଝିଛନ୍ତି ବୋଲି କହିଛନ୍ତି କୋଲକାତା ପୁଲିସ କମିଶନର ଅଜୟ କୁମାର ନନ୍ଦ।

ମଙ୍ଗଳବାର ସନ୍ଧ୍ୟାରେ ମମତା ତାଙ୍କର କାଳିଘାଟି ସ୍ଥିତ ଘର ନିକଟରେ ଥିବା ଏକ ଦୁର୍ଗାମଣ୍ଡପର ଉଦ୍‌ଘାଟନ କରିବାକୁ ଯାଇଥିଲେ। ଏହି ସମୟରେ ଜଣେ ମହିଳା ହଠାତ୍ ତାଙ୍କ ଉପରେ ଛୁରାମାଡ଼ କରିବାକୁ ଉଦ୍ୟମ କରିଥିଲେ ବୋଲି ଟିଏମ୍‌ସି ଅଭିଯୋଗ କରିଥିଲା। ଏହାପରେ ସପୋର୍ଟରମାନେ ମହିଳାଙ୍କୁ ଧରି କାଳିଘାଟି ପୁଲିସ ଜିମା ଦେଇଥିଲେ। ବିଜେପି ସାଂସଦ ଦୋଲା ସେନ କାଳିଘାଟି ଥାନାରେ ଏତଲା ମଧ୍ୟ ଦେଇଥିଲେ।

ଅଭିଯୁକ୍ତ ମହିଳା ଜଣେ ସିଭିକ୍ ଭଲ୍ୟୁଣ୍ଟିଅର୍ ଥିଲେ। ପ୍ରାୟ ବର୍ଷେ ହେବ ସେ ଡ୍ୟୁଡିରେ ଅନୁପସ୍ଥିତ ଥିଲେ। ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏନେଇ ପୁଲିସ କମିଶନର ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଏହା କୌଣସି ଆକ୍ରମଣ ନଥିଲା। ସେ ମମତାଙ୍କୁ ଭେଟିବାକୁ ସେଠାକୁ ଯାଇଥିଲେ। କିନ୍ତୁ ଟିଏମସି ସପୋର୍ଟରମାନେ ଏହାକୁ ଭୁଲ୍ ବୁଝିଛନ୍ତି।” ଅଭିଯୁକ୍ତ ମହିଳା ଓ ତାଙ୍କ ବାପା ମଧ୍ୟ ମମତା ବାନାର୍ଜୀଙ୍କୁ ଜାଣନ୍ତି ବୋଲି ଶ୍ରୀ ନନ୍ଦ କହିଛନ୍ତି।

ସ୍ଥିତି ବିଷୟରେ ଅଧିକ ସୂଚନା ଦେଇ କମିଶନର ଶ୍ରୀ ନନ୍ଦ କହିଛନ୍ତି "ମହିଳାଜଣକଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା ପରେ ଘଟଣା ସମ୍ପର୍କରେ ସବୁକଥା ଜଣାପଡ଼ିଥିଲା। ତେଣୁ ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ।"

ଟିଏମ୍‌ସି ସାଂସଦ ଦୋଲା ସେନା କାଳିଘାଟି ଥାନାରେ କରିଥିବା ଅଭିଯୋଗରେ ଏହାକୁ ହତ୍ୟା ଉଦ୍ୟମ ବୋଲି ଅଭିଯୋଗ ଲଗାଇଛନ୍ତି। ମହିଳା ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିଲେ। ନିଜକୁ ମମତାଙ୍କ ଝିଆରୀ ବୋଲି ତାଙ୍କୁ ଦେଖିବାକ ରାସ୍ତାରେ ଗଡ଼ି ଡ୍ରାମା କରିଥିଲେ। ଏହାପରେ ଲୁଚାଇ ରଖିଥିବା ଛୁରି ଧରି ମମତାଙ୍କ ଆଡ଼କୁ ବଢ଼ିବାରୁ ସପୋର୍ଟରମାନେ ତାଙ୍କୁ ଧରି ପକାଇଲେ। ଏହାପରେ ପୁଲିସ ଜିମା ଦିଆଯାଇଥିଲା।

ମମତା ବାନାର୍ଜୀ ପଶ୍ଚିମବଙ୍ଗର ୩ ଥର ମୁଖ୍ୟମନ୍ତ୍ରୀ। ତାଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ମିଳିଛି। ତଥାପି ତାଙ୍କୁ ଏପରି ଆକ୍ରମଣ କରାଯାଇଥିଲା ବୋଲି ଟିଏମସି ଅଭିଯୋଗ ଲଗାଇଥିଲା। ଯାହାକୁ ପୁଲିସ ଆଜି ମିଛ ବୋଲି କହିଛି।