ନୂଆଦିଲ୍ଲୀ: ଦୁର୍ନୀତି ନିବାରଣ ସଂସ୍ଥା ଲୋକପାଳ ‘ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ’ ମାମଲାରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ନିଜ ପଦର ଦୂରୁପଯୋଗ, ଦାନ ସଂଗ୍ରହ ଓ ପରିଚାଳନାରେ ଅନିୟମିତତା ଅଭିଯୋଗର ଶୁଣାଣି କରି କହିଛନ୍ତି ଯେ ଅଭିଯୋଗକାରୀଙ୍କ ଯୁକ୍ତି ଆପାତତଃ ପର୍ଯ୍ୟାପ୍ତ ନୁହେଁ। ତେବେ ଲୋକପାଳ ଅଭିଯୋଗକାରୀଙ୍କୁ ଏକ ସଠିକ ଓ ନୂଆ ଅଭିଯୋଗ ରୁଜୁ କରିବାକୁ ଅନୁମତି ଦେଇଛନ୍ତି, ଯେଉଁଥିରେ ଅପରାଧ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ବିବରଣୀକୁ ପ୍ରମୁଖତାର ସହ ଦର୍ଶାଉଥିବ।

‘ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ’ ସମ୍ବଦ୍ଧରେ କଥିତ ତ୍ରୁଟି ବିସଙ୍ଗତିକୁ ନେଇ ‘ଉଚ୍ଚ ପଦପଦବୀ’ରେ ଅବସ୍ଥାପିତ ଲୋକଙ୍କ ବିରୋଧରେ ଗତ ଜୁନ ମାସରେ ଅଭିଯୋଗ ରୁଜୁ ହୋଇଥିଲା। କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୦ରେ ଏହି ପାଣ୍ଠି ଗଠନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୋଭିଡ ମହାମାରୀ ଭଳି କୌଣସି ଜରୁରି ପରିସ୍ଥିତି ଓ ସଂକଟର ମୁକାବିଲା ଓ ପ୍ରଭାବିତ ଲୋକଙ୍କ ସହାୟତା କରିବା। ୨୭ ମାର୍ଚ୍ଚ ୨୦୨୦ରେ ଏହାକୁ ଏକ ସରକାରୀ ଚ୍ୟାରିଟେବଲ ରୂପେ ପଞ୍ଜିକୃତ କରାଯାଇଥିଲା। ତାଜା ଅଡିଟ ଅନୁସାରେ ଏହି ପାଣ୍ଠିରେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମୋଟ ୮,୪୫୨ କୋଟି ଟଙ୍କା ଥିଲା।

ତେବେ ବର୍ଷକ ପୂର୍ବରୁ ଏଥିରେ ୭,୧୭୩ କୋଟି ଟଙ୍କା ଥିଲା। ପ୍ରଧାନମନ୍ତ୍ରୀ ଏହି ପାଣ୍ଠିର ପଦାଧିକାରୀ ଅଧ୍ୟକ୍ଷ, ଯାହା ସ୍ୱେଚ୍ଛାକୃତ ଦାନରେ ପରିଚାଳିତ ହୁଏ ଏବଂ କୌଣସି ବଜେଟ ସହାୟତା ଗ୍ରହଣ କରେ ନାହିଁ। ଜଷ୍ଟିସ୍ ଏ.ଏମ.ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ଲୋକପାଳ ଖଣ୍ଡପୀଠ ଅକ୍ଟୋବର ୯ ତାରିଖ ଆଦେଶରେ କହିଛନ୍ତି ଯେ ‘ଅଭିଯୋଗକୁ ଦେଖିବା ପରେ ଆପାତତଃ ଏପରି ଲାଗୁଛି ଅଭିଯୋଗର ମୁଖ୍ୟ ଆଧାର ଏପରି ଗତିବିଦ୍ଧି ଯାହା ଦୁର୍ନୀତି ନିବାରଣ ଅଧିନିୟମ ୧୯୮୮ର ଅଧ୍ୟାୟ ୩ର ଅପରାଧ ଶ୍ରେଣୀରେ ଆସୁନି’।

ଲୋକପାଳ କହିଛନ୍ତି ଯେ ଏହି ଅଧ୍ୟାୟରେ ଦୁର୍ନୀତି ନାବାରଣ ଆଇନ ଅନୁସାରେ ‘ଅପରାଧ ଓ ଦଣ୍ଡ’ ସମ୍ପର୍କିତ ପ୍ରାବଧାନ ରହିଛି। ଲୋକପାଳ ଅଭିଯୋଗକାରୀଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିଥିଲେ, ଯେଉଁଥିରେ ତାଙ୍କୁ ଏବେକା ଅଭିଯୋଗରେ କେଉଁ ଆରୋପ ୧୯୮୮ ଆଇନ ଅନୁସାରେ ଦଣ୍ଡଯୋଗ୍ୟ ଶ୍ରେଣୀରେ ଆସୁଛି ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗକାରୀ ଅଗଷ୍ଟ ୨୬ ତାରିଖରେ ବିଧିବଦ୍ଧ ଶପଥପତ୍ର ଦାଖଲ କରିଥିଲେ। ତେବେ ଲୋକପାଳ କହିଛନ୍ତି ଯେ ଅଭିଯୋଗକାରୀଙ୍କ ଦ୍ୱାରା ଦିଆଯାଇଥିବା ସ୍ପଷ୍ଟିକରଣ ଆପାତତଃ ଜରୁରି ସର୍ତ୍ତଙ୍କୁ ପୂରଣ କରୁନି। ଏହା ସହିତ ଲୋକପାଳ ଅଭିଯୋଗକୁ ନିସ୍ତାରଣ କରିଦେଇଛନ୍ତି।