ନ୍ୟୁୟର୍କ, ୦୪ /୧୨: ଆଖି ପିଛୁଳାକେ ପାଲଟିଗଲା ନିଆଁ ପିଣ୍ଡୁଳା । ଖଣ୍ଡ ବିଖଣ୍ଡ ହୋଇଗଲା ଆମେରିକାର ଶକ୍ତିଶାଳୀ ଯୁଦ୍ଧ ବିମାନ ଏଫ-୧୬ । ଦକ୍ଷିଣ କାଲିଫର୍ଣ୍ଣିଆରେ ଚାଲିଥିବା ଟ୍ରେନିଂ ମିଶନରେ ୟୁଏସର ଏଫ୍-୧୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟକ୍ରମେ ଏହାର ପାଇଲଟ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

.ୟୁଏସ ବାୟୁସେନା କହିଛି ଯେ, ଦକ୍ଷିଣ କାଲିଫର୍ଣ୍ଣିଆରେ ଥଣ୍ଡରବାର୍ଡ ଏଫ-୧୬ସି ଫାଲକନ୍ ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଦୁର୍ଘଟଣାର କିଛି ସମୟ ପୂର୍ବରୁ ପାଇଲଟ ଏଥିରୁ ବାହାରିଯାଇଥିଲେ । ତେବେ ଅଘଟଣ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବାୟୁସେନା ଆହୁରି କହିଛି ଯେ, ବୁଧବାର ଦିନ ୧୦ଟା ୪୫ ମିନିଟରେ ଅଘଟଣ ଘଟିଛି । ଟ୍ରେନିଂ ସମୟରେ ବିମାନ ନିୟନ୍ତ୍ରଣ ହରାଇଥିଲା । ଏହାକୁ କାଲିଫର୍ଣ୍ଣିଆରେ ଥିବା ନେଲିସ୍ ଏୟାର ଫୋର୍ସ ବେସରେ ଅବସ୍ଥାପିତ କରାଯାଇଥିଲା । ଯାହାକୁ ନୂଆ କମାଣ୍ଡରମାନେ ବ୍ୟବହାର କରିଥାନ୍ତି । ଏଥିରେ ସେମାନଙ୍କୁ ତାଲିମ ଦିଆଯାଏ । ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଜୀବନ ଉପରେ କୌଣସି ବିପଦ ନାହିଁ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏଫ୍-୧୬ ହଠାତ ଦୁର୍ଘଟଣାଗ୍ରସ୍ତ ହେଉଛି । କିଛି ସେକେଣ୍ଡରେ ଏହା ନିଆଁ ପିଣ୍ଡୁଳା ପାଲଟୁଛି । କିନ୍ତୁ ପାଇଲଟ ଜଣଙ୍କ କୌଶଳକ୍ରମେ ଏଥିରୁ ବର୍ତ୍ତି ଯାଉଛନ୍ତି ।

ସୂଚନାଯୋଗ୍ୟ ଏଫ-୧୬ ହେଉଛି ବିଶ୍ୱର ଏକ ଆଡଭାନ୍ସଡ୍ ଯୁଦ୍ଧ ବିମାନ । ଏହାକୁ ପାକିସ୍ତାନ ମଧ୍ୟ ବ୍ୟବହାର କରିଥାଏ । ସୁଖୋଇ, ରାଫେଲ ଭଳି ଏଫ-୧୬ ବଡ ବଡ ମିଶନରେ ଦେଶମାନଙ୍କୁ ସହାୟତା ପ୍ରଦାନ କରିଆସିଛି ।