ମୁମ୍ବାଇ: ନବରାତ୍ରୀ ଉତ୍ସବ ପୂର୍ବରୁ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଏକ ନୂଆ ବିବାଦ। ଗର୍ବା ଓ ଡାଣ୍ଡିଆ କାର୍ଯ୍ୟକ୍ରମରେ ମୁସଲିମଙ୍କ ଅଂଶଗ୍ରହଣକୁ ନେଇ 'ବିଶ୍ୱ ହିନ୍ଦୁ ପରିଷଦ ବା VHP'ର ନୂଆ ନିୟମ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସଂଗଠନ ପକ୍ଷରୁ ଆୟୋଜକମାନଙ୍କ ପାଇଁ କିଛି ନିୟମାବଳୀ ଜାରି କରାଯାଇଛି। ଆଧାର କାର୍ଡ ଯାଞ୍ଚ, କପାଳରେ ତିଳକ ଲଗାଇବା ସହ ଅନ୍ୟାନ୍ୟ ନିର୍ଦ୍ଦେଶ ଜାରି ହେବା ପରେ ଏହି ପଦକ୍ଷେପକୁ ନେଇ ସମାଲୋଚନା ମଧ୍ୟ ତୀବ୍ର ହୋଇଛି।

VHPର ନିର୍ଦ୍ଦେଶ ଅନୁସାରେ, କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଲୋକଙ୍କ ପରିଚୟ ଯାଞ୍ଚ ପାଇଁ ଆଧାର କାର୍ଡ ଯାଞ୍ଚ କରିବା ଏବଂ ଅଂଶଗ୍ରହଣକାରୀଙ୍କ କପାଳରେ ତିଳକ ଲଗାଇବା ଭଳି ପଦକ୍ଷେପ ସୁପାରିସ କରାଯାଇଛି। VHPର ମତ ହେଉଛି ଯେ ନବରାତ୍ରୀ କେବଳ ଗୀତ, ସଙ୍ଗୀତ ଓ ନୃତ୍ୟର ଉତ୍ସବ ନୁହେଁ। ଏହା ଦେବୀଙ୍କ ଉପାସନା ସହ ଜଡ଼ିତ ଏକ ଧାର୍ମିକ ପର୍ବ। ଏହି କାରଣ ଦର୍ଶାଇ ସଂଗଠନ ମୁସଲିମମାନଙ୍କୁ ଗର୍ବା ଓ ଡାଣ୍ଡିଆ କାର୍ଯ୍ୟକ୍ରମରେ ଅଂଶ ନେବାକୁ ନ ଦେବାର ନିଷ୍ପତ୍ତି ନେଇଥିବା କହିଛି।

Also Read : ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ଦେହାନ୍ତ, ହୃଦଘାତରେ ଚାଲିଗଲା ଜୀବନ

VHPର ଏହି ଘୋଷଣାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ସମାଲୋଚନା ଓ ଚର୍ଚ୍ଚା ଆରମ୍ଭ ହୋଇଛି । ସମାଲୋଚକମାନେ ଧର୍ମ ଆଧାରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବେଶ ନିଷେଧକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହା ସାମାଜିକ ବିଭାଜନ ବଢ଼ାଇପାରେ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ସଂଗଠନ କହିଛି ଯେ ଏହି ପଦକ୍ଷେପ କୌଣସି ସମ୍ପ୍ରଦାୟ ବିରୋଧରେ ନୁହେଁ, ବରଂ ନବରାତ୍ରୀର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ନିଆଯାଇଛି। ତେବେ ଏହି ନିଷ୍ପତ୍ତିକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଓ ସାମାଜିକ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ନବରାତ୍ରୀରେ ଗର୍ବା ଓ ଡାଣ୍ଡିଆ ଉତ୍ସବକୁ ନେଇ VHPର ଏହି ନିୟମ କେତେଦୂର କାର୍ଯ୍ୟକାରୀ ହେବ ଏବଂ ଏହି ବିବାଦ ଆଗକୁ କେଉଁ ମୋଡ଼ ନେବ ତାହା ଉପରେ ନଜର |