• ରାଜ୍ୟ ସରକାର ଗୁଜରାଟ ମୋଟର ବାହନ ନିୟମ ୧୯୮୯ର ସଂଶୋଧନ କରିଛନ୍ତି
  • ସଂଶୋଧନ ଦୁଇ, ତିନି ଓ ଚାରିଚକିଆ ସମେତ ବସ୍ ଓ ଟ୍ରକ୍ ରେ ନିୟମ ଲାଗୁ ହେବ
  • ଜାତି ଆଧାରିତ ପରିଚୟ ସୂଚାଉଥିବା ଶବ୍ଦ ଓ ସଂକେତ ପ୍ରଦର୍ଶନ ଉପରେ କଡ଼ା କଡ଼ି ରୋକ ଲଗାଯାଇଛି

ଗାନ୍ଧିନଗର: ଘରୋଇ ବାହନରେ ଜାତିସୂଚକ ଶବ୍ଦ ଲେଖିବା ଅଥବା ଜାତିର ସଂକେତ ଚିହ୍ନ ଲଗାଇବା ଗୁଜରାଟରେ ନିଷିଦ୍ଧ ହୋଇଛି। ରାଜ୍ୟ ସରକାର ଏଥି ପାଇଁ ଗୁଜରାଟ ମୋଟର ବାହନ ନିୟମ ୧୯୮୯ର ସଂଶୋଧନ କରିଛନ୍ତି। ସଂଶୋଧନ ଅନୁସାରେ ଦୁଇ, ତିନି ଓ ଚାରିଚକିଆ ସମେତ ବସ୍ ଓ ଟ୍ରକ୍ ରେ ନିୟମ ଲାଗୁ ହେବ ଏବଂ ଏପରି ଜାତି ସୂଚକ ଶବ୍ଦ ଷ୍ଟିକରିଂ କରିପାରିବେନି।ରାଜ୍ୟ ସରକାରଙ୍କ ବନ୍ଦର ଓ ପରିବହନ ବିଭାଗ ୧୭ ନଭେମ୍ବର ୨୦୨୬ରେ ଗୁଜରାଟ ମୋଟର ବାହନ (ତୃତୀୟ ସଂଶୋଧନ) ଅଧିସୂଚନା ଜାରି କରିଛନ୍ତି।

ଏହି ସଂଶୋଧନ ମାଧ୍ୟମରେ ବାହନ ମାନଙ୍କରେ ଜାତି ଆଧାରିତ ପରିଚୟ ସୂଚାଉଥିବା ଶବ୍ଦ ଓ ସଂକେତ ପ୍ରଦର୍ଶନ ଉପରେ କଡ଼ା କଡ଼ି ରୋକ ଲଗାଯାଇଛି। ନିୟମ ୧୨୫ର ଉପ ନିୟମ (୧)ରେ ‘ନୋ ଆଡଭର୍ଟାଇଜିଂ ଡିଭାଇସ ଫିଗର’ (ବିଜ୍ଞାପନ ଉପକରଣ ଓ ଆକୃତି ଉପରେ ରୋକ) ସହିତ ଏବେ ସ୍ପଷ୍ଟ ରୂପେ ‘କାଷ୍ଟ ସାଇନେଜ’ ଶବ୍ଦକୁ ମଧ୍ୟ ଯୋଡା ଯାଇଛି। ନିୟମ ୧୩୮ରେ ଉପନିୟମ (୨) ପରେ ଏକ ନୂଆ ଉପନିୟମ (୩) କୁ ମଧ୍ୟ ସାମିଲ କରାଯାଇଛି। ଏହି ଆଇନ ଅନୁସାରେ ରାଜ୍ୟ ସରକାରଙ୍କ ସାଧାରଣ ଓ ସ୍ୱତନ୍ତ୍ର ଆଦେଶରେ ମିଳିଥିବା ଅନୁମତି ପ୍ରାପ୍ତ ବ୍ୟତିକ୍ରମ ବ୍ୟତୀତ କୌଣସି ଘରୋଇ ବାହନରେ ବିଜ୍ଞାପନ ଉପକରଣ, ଜାତି ଦର୍ଶାଉଥିବା ଚିହ୍ନ, ଆକୃତି ଅଥବା କୌଣସି ପ୍ରକାରର ଲେଖାଇ ପ୍ରଦର୍ଶିତ ହୋଇ ପାରିବନି।

ଏହି ସଂଶୋଧନର ଉଦ୍ଦେଶ୍ୟ ଘରୋଇ ବାହନମାନଙ୍କରେ ଜାତି ଆଧାରିତ ପରିଚୟ ପ୍ରଦର୍ଶିତ କରୁଥିବା ଶବ୍ଦ ଓ ଚିହ୍ନକୁ ନିୟନ୍ତ୍ରିତ କରିବା। ତେବେ ରାଜ୍ୟ ସରକାର ସାଧାରଣ ଅଥବା ସ୍ୱତନ୍ତ୍ର ଆଦେଶ ମାଧ୍ୟମରେ କିଛି ବ୍ୟତିକ୍ରମକୁ ଅନୁମତି ଦେଇ ପାରିବେ। ଉଲ୍ଲେଖଯୋଗ୍ୟ ଯେ ଏହି ସଂଶୋଧନ ନିୟମର ଡ୍ରାଫ୍ଟ ୧୧ ଜୁନ ୨୦୨୬ରେ ଗେଜେଟରେ ନୋଟିଫିକେସନ ହୋଇଥିଲା। ଏହା ଉପରେ ଲୋକଙ୍କ ଠାରୁ ୩୦ ଦିନ ମଧ୍ୟରେ ଆପତ୍ତି ଓ ପରାମର୍ଶ ମଗା ଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ ଠାରୁ କୌଣସି ଆପତ୍ତି ଅଥବା ପରାମର୍ଶ ମିଳିନଥିଲା। ଏହା ପରେ ଚୂଡ଼ାନ୍ତ ନିୟମକୁ ଅଧିସୂଚିତ କରାଯାଇଛି।