ନୂଆଦିଲ୍ଲୀ: ୟେମେନର ହୁତି ବିଦ୍ରୋହୀଙ୍କ ଦ୍ୱାରା ସାଉଦି ଆରବ ଉପରେ ମିସାଇଲ୍ ମାଡ଼ ଜାରି କରିଛି । ଏହି ଆକ୍ରମଣ ଲଗାତର ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ସାଉଦି ରାଜଧାନୀ ରୟାଦ ସ୍ଥିତ ସର୍ବୋଚ୍ଚ ବିଲ୍ଡିଂ ଉପରୁ ମିସାଇଲ୍ ମାଡ଼ ହୋଇଛି । କ୍ଷେପଣାସ୍ତ୍ର ଆକ୍ରମଣରେ ରିୟାଦରେ ଥିବା ପବ୍ଲିକ୍ ଇନଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ) ମୁଖ୍ୟାଳୟକୁ ବ୍ୟାପକ କ୍ଷତି ହୋଇଛି ।

ହୁତିଙ୍କ ଆକ୍ରମଣରେ ସାଉଦି ରାଜଧାନୀ ରିୟାଦର ସବୁଠାରୁ ଉଚ୍ଚ କୋଠା (ଯାହାର ଉଚ୍ଚତା ୮୦ ମହଲା) ଟାର୍ଗେଟ୍ କରାଯାଇଥିଲା । ଆକ୍ରମଣରେ ବିଲ୍ଟିଂ ସାତ କିମ୍ବା ଆଠ ମହଲା ଧ୍ୱଂସ ହୋଇଛି । ନିକଟରେ ଥିବା କୋଠାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ନିଆଁ ଲାଗି ଯାଇଥିଲା । ସୂଚନା ଅନୁଯାୟୀ, ହୁତିମାନଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ପିଆଇଏଫ୍ କୋଠାଟି କିଙ୍ଗ୍ ଅବଦୁଲ୍ଲା ଫାଇନାନ୍ସିଆଲ୍ ଜିଲ୍ଲାରେ ଅବସ୍ଥିତ ।

ସାଉଦି ଆରବ ଆକ୍ରମଣକୁ ସ୍ପଷ୍ଟ କରିଛି କିନ୍ତୁ କୌଣସି କ୍ଷତି ବାବଦରେ ରିପୋର୍ଟ ଜାରି କରିନାହିଁ । ଏହା ପୂର୍ବରୁ ନଭେମ୍ବର ୮ରେ, ହୁତି ବିଦ୍ରୋଦୀମାନେ ସେହି ଅଞ୍ଚଳରେ ଥିବା ଦୁନିଆର ସବୁଠାରୁ ବଡ଼ ତୈଳ କମ୍ପାନି ଆରାମକୋର କର୍ପୋରେଟ୍ କାର୍ଯ୍ୟାଳୟକୁ ଟାର୍ଗେଟ କରିଥିଲେ । ହୁତି ଆକ୍ରମଣ ସତ୍ତ୍ୱେ, ସେପ୍ଟେମ୍ବରର ତଥ୍ୟ ଅନୁଯାୟୀ, ସାଉଦି ଆରବର ତୈଳ ରପ୍ତାନି ପୁନର୍ବାର ବୃଦ୍ଧି ପାଇଛି ଏବଂ ଏହା ସାତ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସାଉଦି ଆରବ ସେପ୍ଟେମ୍ବରରେ ପ୍ରତିଦିନ ୫ ନିୟୁତ ବ୍ୟାରେଲରୁ ଅଧିକ ଅଶୋଧିତ ତେଲ ରପ୍ତାନି କରିଥିଲା, ଯାହା ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ତଳେ ରହିଥିଲା ।

ସେପଟେ ରିୟାଦ ପ୍ରଶାସନ ଲୋକଙ୍କୁ ଘର ଭିତରେ ରହିବା ଏବଂ ଗୁଜବକୁ ବିଶ୍ୱାସ ନକରିବା ଲାଗି ଅନୁରୋଧ କରିଛି । ସାଉଦି ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ ୟେମେନରେ ଯୁଦ୍ଧ ଆହୁରି କିଛି ମାସ ପର୍ଯ୍ୟନ୍ତ ଚାଲିପାରେ, ଯାହା ସାଉଦି ଆରବକୁ ମଧ୍ୟ ପ୍ରଭାବିତ କରିବ । ଅଧିକାରୀମାନେ ନାଁ ଗୋପନ ରଖି କହିଛନ୍ତି ଯେ ଯଦି ଆମେରିକା ଏହି ସଂଘର୍ଷରେ ହସ୍ତକ୍ଷେପ କରେ, ତେବେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ ଏବଂ ଶୀଘ୍ର ଶାନ୍ତି ପ୍ରତିଷ୍ଠା ହୋଇପାରିବ । ତଥାପି, ଇରାନ ସଂଘର୍ଷ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୟେମେନ ସଂଘର୍ଷରେ ଫସି ରହିବାକୁ ଚାହୁଁନାହାନ୍ତି ।