ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନରୁ ଫେରିବା ବେଳେ ତାଙ୍କ ବିମାନରେ ଅଜବ ସୁରକ୍ଷା ବ୍ୟବସ୍ଥା ନେଇ ଖବର ମିଳିଛି । ଟ୍ରମ୍ପଙ୍କ ସହ ଯାଇଥିବା ଏବଂ ତାଙ୍କ ସହ ଫେରୁଥିବା ସାମ୍ବାଦିକଙ୍କ ଫୋନ୍‌ ଜବତ କରାଯାଇଥିଲା ବୋଲି ଜଣାପଡ଼ିଛି । ବିମାନକୁ ଚଢ଼ିବା ମାତ୍ରେ ସେମାନେ ଚୀନ୍‌ରେ ବ୍ୟବହାର କରିଥିବା ଫୋନ୍‌ଗୁଡ଼ିକୁ ଫାରାଡେ ବ୍ୟାଗ୍‌ରେ ରଖାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଷ୍ଟ୍ରପତିଙ୍କ ବିମାନ ଏୟାର ଫୋର୍ସ- ଓ୍ବାନର ସୁରକ୍ଷା ଅଧିକାରୀ ସାମ୍ବାଦିକମାନଙ୍କୁ କହିଥିଲେ । ହ୍ୱାଇଟ୍ ହାଉସ୍ ପ୍ରେସ୍ ପୁଲ୍ ରିପୋର୍ଟ ଅନୁଯାୟୀ, ବିମାନ ଛାଡ଼ିବା ସମୟରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା ଯେ, ସୁରକ୍ଷା ଦୃଷ୍ଟିରୁ ସେମାନଙ୍କର ଫୋନ୍ ନିଆଯାଉଛି। 

ସିବିଏସ୍ ନ୍ୟୁଜ୍ ପ୍ରତିନିଧି ଜେନିଫର୍ ଜାକବ୍ସଙ୍କ ସୂଚନା ଅନୁଯାୟୀ, ଏୟାର ଫୋର୍ସ ୱାନ୍‌ର ଜଣେ କର୍ମଚାରୀ ସାମ୍ବାଦିକମାନଙ୍କୁ ସେମାନଙ୍କର ଫୋନ୍‌ଗୁଡ଼ିକୁ ସ୍ୱତନ୍ତ୍ର ‘ଫାରାଡେ ବ୍ୟାଗ୍’ ଭିତରେ ରଖିବାକୁ କହିଥିଲେ। ଧାତବ ଆସ୍ତରଣ ଥିବା ଏହି ବିଶେଷ ବ୍ୟାଗ୍ କୌଣସି ପ୍ରକାର ୱାୟାରଲେସ୍ ସିଗନାଲ୍‌କୁ ସମ୍ପୂର୍ଣ୍ଣ ରୋକିଥାଏ । ଫଳରେ ସ୍ପାଇୱେୟାର କିମ୍ବା ଅନଧିକୃତ ତଥ୍ୟ ଚୋରି ହେବାର ଆଶଙ୍କା ରହେ ନାହିଁ। ବିମାନ ଆମେରିକାରେ ଅବତରଣ କରିବା ପର୍ଯ୍ୟନ୍ତ ଏହି ଫୋନ୍‌ଗୁଡ଼ିକୁ ସୁରକ୍ଷିତ ରଖାଯାଇଥିଲା। ଏହା ସହିତ ହ୍ୱାଇଟ୍ ହାଉସ୍ କର୍ମଚାରୀମାନେ ଚୀନ୍‌ରେ ବ୍ୟବହାର କରିଥିବା ଅସ୍ଥାୟୀ ବା ‘ବର୍ଣ୍ଣର ଫୋନ୍’ ଗୁଡ଼ିକୁ ମଧ୍ୟ ସଂଗ୍ରହ କରାଯାଇଥିଲା। ଅନ୍ୟପକ୍ଷରେ, ଏହି ଗସ୍ତ ସମୟରେ ଅନେକ ସାମ୍ବାଦିକ ଓ ଫଟୋଗ୍ରାଫର ପୂର୍ବରୁ ହିଁ ସତର୍କତା ଅବଲମ୍ବନ କରି ସେମାନଙ୍କର ନିୟମିତ ଅଫିସ୍ ଫୋନ୍, ବ୍ୟକ୍ତିଗତ ମୋବାଇଲ୍, ଲାପଟପ୍ ଏବଂ ସ୍ମାର୍ଟୱାଚ୍‌କୁ ସୁରକ୍ଷା ବ୍ୟାଗ୍ ଭିତରେ ରଖିଦେଇଥିଲେ। 

ଏନବିସି ନ୍ୟୁଜକୁ ଫୋନ୍‌ ଯୋଗେ ଟ୍ରମ୍ପ କହିଥିଲେ, ଯେଉଁଠାରେ ଫୋନ୍ ରହିବା ଉଚିତ ନୁହେଁ ସେଠାରେ ଲୋକଙ୍କ ପାଖରେ ଫୋନ୍ ନରହୁ ବୋଲି ପ୍ରଶାସନ ଚାହୁଁଥିଲା । ସେମାନେ ଏନେଇ ଅତ୍ୟନ୍ତ ସତର୍କ ଥିଲେ। ତେବେ ସେ କୌଣସି ନିର୍ଦ୍ଦିଷ୍ଟ ବିପଦ ବିଷୟରେ ଖୋଲାଖୋଲି କହିନାହାନ୍ତି।  ଫକ୍ସ ନ୍ୟୁଜ୍ ପ୍ରତିନିଧି ତଜ୍ୟାକି ହେନରିଚ୍ କହିଛନ୍ତି ଯେ, ଗତ ମେ ମାସରେ ଟ୍ରମ୍ପଙ୍କ ବେଜିଂ ଗସ୍ତ ପରେ ଫେରିବା ସମୟରେ ସାମ୍ବାଦିକମାନଙ୍କଠାରୁ ଏଭଳି ଫୋନ୍ ନିଆଯାଇ ନଥିଲା। ସୂଚନାଯୋଗ୍ୟ,  ଟ୍ରମ୍ପ ଫିଲିପାଇନ୍ସରେ ASEAN ସମ୍ମିଳନୀ ଏବଂ ଚୀନ୍‌ରେ ଏପେକ୍ ସମ୍ମିଳନୀରେ ଯୋଗ ଦେଇଥିଲେ। ଗୁରୁବାର ଦିନ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ ।