ନୂଆଦିଲ୍ଲୀ,|୦୭: ବିଦା ହେବେ ବୈଭବ ସୂର୍ଯ୍ୟବଂଶୀ । ଯେଉଁ ଆଶା ନେଇ ଟିମରେ ଖେଳାଯାଇଥିଲା ତାହା ଏବେ ଫିକା ହେବାକୁ ବସିଲାଣି । ଆଇପିଏଲର ଷ୍ଟାର୍ ଅନ୍ତର୍ଜାତୀୟ କ୍ରିକେଟରେ ପୂରା ବିଫଳ । ଚାଲୁନି ବ୍ୟାଟ୍ । ଗୋଟିଏ ଦୁଇଟା ସଟ୍ ଖେଳିବା ପରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରୁଛନ୍ତି ୧୫ ବର୍ଷୀୟ ବ୍ୟାଟର୍ । ଯାହା ଚୟନକର୍ତ୍ତା, କୋଚ୍ ଏବଂ କ୍ୟାପ୍ଟେନଙ୍କୁ ନିରାଶ କରିଛି ।

ଭାରତୀୟ ଦଳର ଷ୍ଟାର୍ ବ୍ୟାଟସମ୍ୟାନ୍ ବୈଭବ । ମାତ୍ର ୧୫ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା । ସେ ଆରମ୍ଭରୁ ଦୁଇଟି ଦର୍ଶନୀୟ ଛକା ଲଗାଇଥିଲେ । ଏହାପରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ତୃତୀୟ ମୁକାବିଲାରେ ଭାରତ ଆଗରେ ଥିବା ୨୦୨ ରନର ଟାର୍ଗେଟ୍ । ଓପନିଂ କରିବାକୁ ଆସିଥିଲେ ବୈଭବ । ସମସ୍ତେ ଭାବୁଥିଲେ ସେ ଛକା ଚଉକା ବର୍ଷା କରିବେ । ଇଂଲଣ୍ଡର ୨୦୧ ରନ୍ ଛୋଟ ଲାଗିବ । କିନ୍ତୁ ସେମିତି କିଛି ହେଲାନି । ତାସ୍ ଘର ଭଳି ଭୁଶୁଡି ପଡିଲା ବିଶ୍ୱର ଟପ୍ ବ୍ୟାଟିଂ ଅର୍ଡର୍ । ଅଭିଷେକ ଶର୍ମାଙ୍କ ସହ ମିଶି ଓପନିଂ କରିବାକୁ ଆସିଥିଲେ ବୈଭବ । କିନ୍ତୁ ସେ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଗଲେ । ଯାହା ପରେ ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଗଲା ।

ଆଇପିଏଲରେ ଖୁବ୍ ରନ୍ କରିଥିଲେ ବୈଭବ । ଅରେଞ୍ଜ୍ କ୍ୟାପ୍ ଜିତିଥିଲେ । ଯେଉଁଥି ପାଇଁ ତାଙ୍କୁ ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ବିପକ୍ଷ ଟି୨୦ରେ ସ୍ଥାନ ମିଳିଥିଲା । ଆୟରଲ୍ୟାଣ୍ଡ ବିପକ୍ଷରେ ତାଙ୍କୁ ଚୂଡାନ୍ତ ଏକାଦଶରେ ନେଇ ନଥିଲା ଟିମ୍ । ଦଳ ସିରିଜ୍ ବି ହାରିଥିଲା । ଯାହାକୁ ନେଇ ଫ୍ୟାନ୍ସ ଏବଂ ଭେଟେରାନ୍ ଖପ୍ପା ହୋଇଥିଲେ । ବୈଭବଙ୍କୁ ଖେଳାଇଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ସେମାନେ କହିଥିଲେ । ଦଳ ଉପରେ ପ୍ରବଳ ଚାପ ପଡୁଥିଲା ।

Also Read :-ବିଶ୍ୱ ବିଜେତାଙ୍କ ଆତ୍ମ ସମର୍ପଣ, ଇଂଲଣ୍ଡଠୁ ୧୨୫ ରନରେ ହାରିଲା ଟିମ୍ ଇଣ୍ଡିଆ

ଶେଷରେ ଦ୍ୱିତୀୟ ଟି୨୦ରେ ଇଂଲଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ମିଳିଥିଲା । ହେଲେ ସେ ଏହାର ସଦୁପଯୋଗ କରିପାରୁ ନାହାଁନ୍ତି । ଲଗାତାର ଦୁଇଟି ମ୍ୟାଚରେ ବିଫଳ ହୋଇଛନ୍ତି । ଫଳରେ ତାଙ୍କ କ୍ଯାରିଅର ଅନିଶ୍ଚିତତା ଆଡକୁ ଗତି କରୁଛି । ଭାରତ ହାତରେ ସିରିଜ ବଞ୍ଚାଇବାକୁ ଆଉ ଦୁଇଟି ମ୍ୟାଚ୍ ଅଛି । ଦୁଇଟି ମ୍ୟାଚ୍ ଜିତିଲେ ସିରିଜ୍ ଡ୍ର ରହିବ । ତେଣୁ ବୈଭବଙ୍କୁ ନେଇ ଆଉ ରିସ୍କ ନେବାକୁ ଦଳ ଚାହୁଁନଥିବା ଅନୁମାନ କରାଯାଉଛି । କେହି କେହି ସଞ୍ଜୁ ସାମସନଙ୍କୁ ପୁଣି ଖେଳାଇବାକୁ କହୁଛନ୍ତି । ଯଦି ସଞ୍ଜୁ ଖେଳିବେ ତାହାଲେ ବୈଭବ ବିଦା ହେବା ଥୟ । ତେବେ ବୈଭବ ଖେଳିବେ ନା ତାଙ୍କୁ ବିଦା ହେବାକୁ ପଡିବ ତାହା ଚତୁର୍ଥ ମୁକାବିଲାରେ ସ୍ପଷ୍ଟ ହୋଇଯିବ ।