ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ସବୁଠାରୁ ଚର୍ଚ୍ଚାରେ ରହୁଥିବା ୧୫ ବର୍ଷୀୟ କ୍ରିକଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଛି ଆଉ ଏକ ବଡ଼ ଦାୟିତ୍ୱ। ୨୦୨୬ ଦୁଲୀପ ଟ୍ରଫି ପାଇଁ ତାଙ୍କୁ ଇଷ୍ଟ ଜୋନ୍ ଦଳର ଉପଅଧିନାୟକ ଭାବେ ଚୟନ କରାଯାଇଛି। ଦଳର ନେତୃତ୍ୱ ଭାର ଷ୍ଟାର୍ ୱିକେଟକିପର-ବ୍ୟାଟର ଇଶାନ କିଶନଙ୍କ ହାତରେ ରହିଥିବା ବୈଭବ ତାଙ୍କ ଡେପୁଟି ଭୂମିକା ନିର୍ବାହ କରିବେ।

ଆସନ୍ତା ମାସରେ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)ରେ ଦୁଲୀପ ଟ୍ରଫି ଖେଳାଯିବ। ମାତ୍ର ୧୫ ବର୍ଷ ବୟସରେ ବୈଭବଙ୍କୁ ଜୋନାଲ୍ ଦଳର ଉପଅଧିନାୟକ ଦାୟିତ୍ୱ ମିଳିବା ବୈଭବଙ୍କ ବଢ଼ୁଥିବା ପ୍ରଭାବର ପ୍ରମାଣ ବୋଲି କୁହାଯାଉଛି।

ଅଭିମନ୍ୟୁ ଇଶ୍ୱରନଙ୍କ ସ୍ଥାନରେ ବୈଭବଙ୍କୁ ଦାୟିତ୍ୱ

ବୈଭବଙ୍କୁ ଉପଅଧିନାୟକ କରାଯିବା ସହ ଆଉ ଏକ ବଡ଼ ପରିବର୍ତ୍ତନ ହୋଇଛି। ବେଙ୍ଗଲ କ୍ରିକେଟ୍ ଦଳର ଅଧିନାୟକ ଅଭିମନ୍ୟୁ ଇଶ୍ୱରନଙ୍କୁ ଇଷ୍ଟ ଜୋନ୍ ନେତୃତ୍ୱ ଭୂମିକାରୁ ହଟାଯାଇଛି। ଇଶ୍ୱରନ ଦୀର୍ଘ ସମୟ ଧରି ବେଙ୍ଗଲ ଦଳର ନେତୃତ୍ୱ ନେବା ସହ ଇଷ୍ଟ ଜୋନ୍ ଏବଂ ଇଣ୍ଡିଆ-ଏ ଦଳକୁ ମଧ୍ୟ ଅନେକଥର ନେତୃତ୍ୱ ଦେଇଛନ୍ତି। ଦୁଲୀପ ଟ୍ରଫିର ୪ ଦଳୀୟ ଫର୍ମାଟ(ଇଣ୍ଡିଆ ଏ, ଇଣ୍ଡିଆ ବି, ଇଣ୍ଡିଆ ସି, ଇଣ୍ଡିଆ ଡି)ରେ ମଧ୍ୟ ସେ ଏକ ଦଳର ଅଧିନାୟକ ରହିଥିଲେ। ତେବେ ଏଥର ଦୁଲୀପ ଟ୍ରଫି ଜୋନାଲ୍ ଫର୍ମାଟରେ ଖେଳାଯାଉଥିବାରୁ ପ୍ରତ୍ୟେକ ଜୋନ୍ ପାଇଁ ଅଲଗା ଚୟନକର୍ତ୍ତା ଦଳ ରହିଛି। ଏହି ପରିବର୍ତ୍ତନରେ ବୈଭବଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିବା ଚର୍ଚ୍ଚାର ବିଷୟ ହୋଇଛି।

Also Read- ବିବାହ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ଅଭିଯୋଗ, ଗିରଫ ହେଲେ କ୍ରିକେଟର ଅଭିଷେକ ପୋରେଲ

ଇଷ୍ଟ ଜୋନ୍‌ରେ ଅନେକ ବଡ଼ ଖେଳାଳି

ଇଷ୍ଟ ଜୋନ୍ ଦଳ ଏଥର ବେଶ୍ ଶକ୍ତିଶାଳୀ ରହିଛି। ଦଳରେ ଭାରତ ପାଇଁ ଖେଳିଥିବା ୫ ଜଣ କ୍ରିକେଟର ରହିଛନ୍ତି। ଇଶାନ କିଶନ ଓ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ ଦଳର ଅଂଶ ଅଛନ୍ତି। ଦଳର ସବୁଠାରୁ ବଡ଼ ନାଁ ହେଉଛନ୍ତି ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ଶାମି। ଭାରତର ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ପରିଚିତ ଶାମି ପୁଣିଥରେ ଜାତୀୟ ଦଳକୁ ଫେରିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏବେ ବି ଶାମିଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ନେଇ କୌଣସି ସମ୍ଭାବନା ଦେଖାଯାଉ ନାହିଁ।

ଏହା ବ୍ୟତୀତ ପେସର ମୁକେଶ କୁମାର ଏବଂ ଅଲରାଉଣ୍ଡର ଶାହବାଜ ଅହମ୍ମଦ ମଧ୍ୟ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିସାରିଛନ୍ତି। ଅଭିମନ୍ୟୁ ଇଶ୍ୱରନ ଏପର୍ଯ୍ୟନ୍ତ ଭାରତ ପାଇଁ ଡେବ୍ୟୁ କରିନଥିଲେ ମଧ୍ୟ ଅନେକଥର ଜାତୀୟ ଦଳର ସିନିୟର ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

​​​​​​​

ଅଗଷ୍ଟ ୨୩ରୁ ଆରମ୍ଭ ହେବ ଦୁଲୀପ ଟ୍ରଫି

ଦୁଲୀପ ଟ୍ରଫି ହେଉଛି ଭାରତର ୬ଟି ଜୋନାଲ୍ ଦଳ ମଧ୍ୟରେ ଖେଳାଯାଉଥିବା ଏକ ପ୍ରମୁଖ ପ୍ରଥମ ଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତା। ଏହାର ୨୦୨୬ ସଂସ୍କରଣ ଅଗଷ୍ଟ ୨୩ରୁ ଆରମ୍ଭ ହେବ। କ୍ୱାର୍ଟର ଫାଇନାଲରେ ଇଷ୍ଟ ଜୋନ୍ର ମୁକାବିଲା ନର୍ଥଇଷ୍ଟ ଜୋନ୍ ସହ ହେବ। ସେହିପରି ନର୍ଥ ଜୋନ୍ ଓ ୱେଷ୍ଟ ଜୋନ୍ ପରସ୍ପରକୁ ଭେଟିବେ। ସେମିଫାଇନାଲ ପାଇଁ ସେଣ୍ଟ୍ରାଲ୍ ଜୋନ୍ ଓ ସାଉଥ୍ ଜୋନ୍କୁ ସିଧାସଳଖ ଜାଗା ମିଳିଯାଇଛି। ଦୁଲୀପ ଟ୍ରଫିର ଫାଇନାଲ୍ ସେପ୍ଟେମ୍ବର ୬ରୁ ଆରମ୍ଭ ହେବ।

Also Read- ଅବସର ଘୋଷଣା ପରେ ପ୍ରଥମେ କଲ୍ କରିଥିଲେ ସଚିନ, ଏହାପରେ ଆସିଥିଲା ଏହି ଖେଳାଳିଙ୍କ ମେସେଜ୍...ମାନିଲେ ରାହାଣେ

ଇଷ୍ଟ ଜୋନ୍ ଦଳ

ଇଶାନ କିଶନ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ (ଉପଅଧିନାୟକ), ଅଭିମନ୍ୟୁ ଇଶ୍ୱରନ, ସୁଦୀପ କୁମାର ଘରାମୀ, ଶାହବାଜ ଅହମ୍ମଦ, ସୂରଜ ସିନ୍ଧୁ ଜୟସ୍ୱାଲ, ମହମ୍ମଦ ଶାମି, ମୁକେଶ କୁମାର, କୁମାର କୁଶାଗ୍ର, ଶିଖର ମୋହନ, ଅନୁକୁଲ ରୟ, ବିରାଟ ସିଂହ, ସୁଭ୍ରାଂଶୁ ସେନାପତି, ଡେନିଶ ଦାସ ଓ ଅଭିଜିତ ସରକାର।

ଷ୍ଟାଣ୍ଡବାଏ: ଆୟୁଷ ଲୋହାରୁକା, ଶ୍ରୀଦମ ପଲ୍, ସମ୍ବିତ ଏସ୍. ବରାଳ, ଶରଣଦୀପ ସିଂହ ଓ ସ୍ୱସ୍ତିକ ସାମଲ।

ମାତ୍ର ୧୫ ବର୍ଷ ବୟସରେ ଦୁଲୀପ ଟ୍ରଫି ଭଳି ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ପ୍ରତିଯୋଗିତାରେ ଉପଅଧିନାୟକ ଦାୟିତ୍ୱ ପାଇବା ବୈଭବ ସୂର୍ଯ୍ୟବଂଶୀଙ୍କ କ୍ରିକେଟ୍ ଯାତ୍ରାର ଆଉ ଏକ ବଡ଼ ଅଧ୍ୟାୟ ହୋଇଛି।