ନୂଆଦିଲ୍ଲୀ,୧୧/୦୮କ୍ରିକେଟରୁ ଅବସର ନେଉଛନ୍ତି ଆଜିଙ୍କ୍ୟ ରାହାଣେ । ସମସ୍ତ ଫର୍ମାଟକୁ ସେ ବାଏବାଏ କରିଛନ୍ତି । ରେଡ୍ ବଲ୍ କ୍ରିକେଟରେ ଭାରତୀୟ ଦଳରେ ତାଙ୍କର ଦବଦବା ଅଧିକ ଥିଲା । ବିଦେଶମାଟିରେ ସେ ଦଳକୁ ଅନେକ ମୁକାବିଲାରେ ଜିତାଇଛନ୍ତି । ବଡ ସ୍କୋର ମଧ୍ୟ କରିଛନ୍ତି । ଯେଉଁ ପିଚ୍ ବୋଲରଙ୍କୁ ସୁହାଏ ସେଇଠି ମଧ୍ୟ ରାହାଣେ ବଡ ପାଳି ଖେଳିଛନ୍ତି ।ତେବେ ସେ ଯେଉଁଦିନ ଅବସର ଘୋଷଣା କଲେ ତାଙ୍କୁ ଅନେକ ବଡ ବଡ କ୍ରିକେଟର କଲ୍ କରିଥିଲେ ।

Also Read :- ନିର୍ବାଚନରେ ହାରିବେ ଟ୍ରମ୍ପ୍ ! ଆସିପାରେ ମହାଭିଯୋଗ, ସର୍ଭେରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ରାହାଣେଙ୍କ କହିବାନୁସାରେ, ସେ ଅବସର ଘୋଷଣା କରିବା ପରେ ପ୍ରଥମ କଲ୍ ସଚିନ ତେନ୍ଦୁଲକରଙ୍କଠୁ ଆସିଥିଲା । ଏହାପରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରିତ ବୁମରା ତାଙ୍କ ସହ ଯୋଗାଯୋଗ କରିଥିଲେ । ଏକ ଜାତୀୟ ଖବରକାଗଜକୁ ରାହାଣେ କହିଛନ୍ତି ଯେ, ସଚିନ ହିଁ ପ୍ରଥମ ବ୍ୟକ୍ତି ଯିଏ କି ଅବସର ଘୋଷଣାର କିଛି ମିନିଟ୍ ମଧ୍ୟରେ ତାଙ୍କୁ କଲ୍ କରିଥିଲେ । ତାଙ୍କର ଏହି ନିଷ୍ପତ୍ତିରେ ସଚିନ ଖୁସି ନଥିଲେ । ରାହାଣେ ଅଧିକ ମ୍ୟାଚ୍ ଖେଳନ୍ତୁ ବୋଲି ସଚିନ ଚାହୁଁଥିଲେ । କିନ୍ତୁ ରାହାଣେ କହିଥିଲେ ଯେ, ସେ ଆଉ ଖେଳିବେ ନାହିଁ । ତାଙ୍କର ଆଉ କିଛି ଅବସୋଶ ନାହିଁ । ସବୁ ଲକ୍ଷ୍ୟ ପୂରଣ କରିଛନ୍ତି । କ୍ରିକେଟକୁ ସେ ସବୁକିଛି ଦେଇଛନ୍ତି ।

ସେହିପରି ଇରଫାନ୍ ପଠାନ୍ ମଧ୍ୟ ତାଙ୍କୁ ଫୋନ୍ କରିଥିଲେ । କିଛି ମିନିଟ୍ ଧରି କଥା ହୋଇଥିଲେ । ଏହାପରେ ରୋହିତ, ବିରାଟଙ୍କ ମେସେଜ୍ ଆସିଥିଲା ।ସେ ସମସ୍ତଙ୍କୁ ସମାନ କଥା କହିଥିଲେ । ସେ ନିଜ ନିଷ୍ପତ୍ତିରେ ଖୁସି ଅଛନ୍ତି । କିନ୍ତୁ ନିଜର ରିଟାୟାରମେଣ୍ଟ୍ ଭିଡିଓ ରେକର୍ଡ ବେଳେ ଭାବପ୍ରବଣ ହୋଇଯାଇଥିବା ମାନିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରିଟାୟରମେଣ୍ଟ ଭିଡିଓ ରେକର୍ଡ ପରେ ସେ ବହୁତ କାନ୍ଦିଥିଲେ । ପରିବାର ସହ ଅବସର ବାବଦରେ ଆଲୋଚନା ବେଳେ ବି ଦୁଃଖ ଲାଗୁଥିଲା । କିନ୍ତୁ ରେକର୍ଡିଂ ଅଧିକ ଭାବପ୍ରବଣ କରିଦେଇଥିଲା । ବର୍ଷ ବର୍ଷ ଧରି ସେ ଯାହା କରିବାକୁ ଭଲ ପାଉଥିଲେ ଆଉ କରିପାରିବେ ନାହିଁ । ଏକଥା ତାଙ୍କ ମନରେ ଚାଲିଥିଲା । ଯାହା ଭାବି ଆଖିରୁ ଲୁହ ଆସିଯାଉଥିଲା ।

ରାହାଣେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏବଂ ଚେତେଶ୍ୱର ପୂଜାରା କ୍ରିଜରେ ଅଧିକ ସମୟ ବିତାଇଥିଲେ । ବିରାଟଙ୍କ ସହ ମଧ୍ୟ ସେ ଟେଷ୍ଟ୍ ଫର୍ମାଟରେ ବହୁତ ସମୟ କାଟିଛନ୍ତି । ଉଭୟଙ୍କର ସହ ତାଙ୍କର ଭଲ ସମ୍ପର୍କ ରହିଛି । ଭାରତୀୟ ଦଳ କିପରି ଟେଷ୍ଟରେ ଏକ ନମ୍ବର ସ୍ଥାନରେ ରହିବ ଏହା ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ଲଗାତାର ଭାବେ ସେମାନେ ଖେଳ ବାବଦରେ କଥାବାର୍ତ୍ତା କରୁଥିଲେ ଏବଂ ଷ୍ଟ୍ରାଟେଜି ପ୍ରସ୍ତୁତ କରୁଥିବା ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ।