ଭୁବନେଶ୍ୱର ୧୯।୦୫ : ଅଶାନ୍ତ ବାଣୀବିହାର । ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପୁଣି ବାଣୀବିହାର ଅଶାନ୍ତ ହୋଇପଡ଼ିଛି । ସୋମବାର ରାତିରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଏହାକୁ ନେଇ ବିଳମ୍ବିତ ରାତିରେ ବାଣୀବିହାର ପରିସରରେ ଉତ୍ତେଜନା ଲାଗି ରହିଛି। ଅଣଛାତ୍ରଙ୍କ ଗିରଫ ଦାବିରେ ବାଣୀବିହାରର ଶତାଧିକ ଛାତ୍ର ମୁଖ୍ୟ ଫାଟକରେ ସାମ୍ନାରେ ଧାରଣାରେ ବସିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଖବର ଅନୁଯାୟୀ, ସୋମବାର ରାତିରେ ବାଣୀବିହାର କ୍ୟାମ୍ପସରେ ଥିବା ନୂଆ ପାର୍କ ନିକଟରେ ୮ରୁ ଅଧିକ ଅଣଛାତ୍ର ବସି ମଦ ପିଇବା ସହିତ ସେଠାରେ ଆତଙ୍କ ଖେଳାଉଥିଲେ। ସେହି ପଟ ଦେଇ ଯାଉଥିବା କିଛି ଛାତ୍ରଙ୍କୁ ଅଣଛାତ୍ରମାନେ ଅଟକାଇ ତାଗିଦ୍ କରିଥିଲେ । ଏହାକୁ ନେଇ ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଥିବା ଅଣଛାତ୍ରମାନେ ଛାତ୍ରମାନଙ୍କୁ ମାରଧର କରିଥିଲେ । ଅଣଛାତ୍ରଙ୍କ କବଳରୁ ଖସି ଯାଇ ଛାତ୍ରମାନେ ହଷ୍ଟେଲରେ ସହପାଠୀଙ୍କୁ ଘଟଣା ବିଷୟରେ କହିଥିଲେ । କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ନେଇ ଘଟଣା ପ୍ରଘଟ ହେବା ପରେ ହଷ୍ଟେଲର ଶତାଧିକ ଛାତ୍ର ଏକଜୁଟ୍ ହୋଇ ଯାଇଥିଲେ ।

Also Read:-Petrol Diesel Price Hike 19 May 2026 Odisha: ସପ୍ତାହରେ ଦ୍ୱିତୀୟ ଥର ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଓଡ଼ିଶା ସମେତ ପ୍ରମୁଖ ସହରର ରେଟ୍

ଅଣଛାତ୍ରଙ୍କ ଗିରଫ ଦାବିରେ ସେମାନେ ମୁଖ୍ୟ ଫାଟକ ନିକଟରେ ପହଞ୍ଚଥିଲେ । ସହିଦନଗର ଥାନା ପୁଲିସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଛାତ୍ରଙ୍କୁ ବୁଝାଶୁଝା କରିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରମାନେ ଅଣଛାତ୍ରଙ୍କ ଗିରଫ ଦାବି ନେଇ ଅଡ଼ି ବସିଥିଲେ । ରାତିରେ ପୁଲିସ କୌଣସି ଅଣଛାତ୍ରଙ୍କୁ ଗିରଫ କରି ନ ଥିବା ଜଣାପଡ଼ିଛି । ଗଣ୍ଡଗୋଳକାରୀ ଅଣଛାତ୍ରମାନେ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର ବୋଲି ଆକ୍ରମଣର ଶିକାର ହୋଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ।

Watch Video:-

​​​​​​​