ନୂଆଦିଲ୍ଲୀ ୮।୩:ଶ୍ରୀଲଙ୍କା ନିକଟ ହୀନ୍ଦ ମହାସାଗରରେ ଆମେରିକୀୟ ସବମେରିନ ଦ୍ୱାରା ବୁଡାଇ ଦିଆଯାଇଥିବା ଇରାନୀ ଯୁଦ୍ଧ ପୋତ ଆଇଆରଆଇଏସ୍ ଡେନା ମାମଲାରେ ଏକ ନୂଆ କଥା ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁସାରେ ଆକ୍ରମଣରେ ପ୍ରାଣ ହରାଇଥିବା ଜନୈକ ନାବିକ ତାଙ୍କ ପିତାଙ୍କୁ ଫୋନରେ କହିଥିଲା ଯେ ଆମେରିକା ସେନା ଜାହାଜ ଛାଡିବା ଲାଗି କ୍ରୁଙ୍କୁ ୨ ଥର ଚେତାବନୀ ଦେଇଛି। ଏହି ସୂଚନା ଇରାନର ସେହି ଅଧିକାରୀକ ଦାବିକୁ ମିଛ ପ୍ରମାଣିତ କରିଛି ଯେଉଁଥିରେ ଆକ୍ରମଣ ବିନା କୌଣସି ଚେତାବନୀରେ କରାଯାଇଥିବାର ଅଭିଯୋଗ ହୋଇଛି।

କମାଣ୍ଡର ଓ କ୍ରୁଙ୍କ ମଧ୍ୟରେ ହୋଇଥିଲା ଝଗଡା
ରିପୋର୍ଟରେ ଏହା ବି କୁହାଯାଇଛି ଯେ ଚେତାବନୀ ମିଳିବା ପରେ ଚାଳକଦଳ ସଦସ୍ୟ ଓ କମାଣ୍ଡରଙ୍କ ମଧ୍ୟରେ ବିତର୍କ ହୋଇଥିଲା। ନାବିକ ଜାହାଜ ଛାଡିବାକୁ ଚାହୁଁଥିଲେ, ହେଲେ କମାଣ୍ଡର ଏଥି ପାଇଁ ସେମାନଙ୍କୁ ଅନୁମତିଦେଇ ନଥିଲେ। ଗତ ବୁଧବାର ହୋଇଥିବା ଏହି ଆକ୍ରମଣ ଲାଗି ଆମେରିକୀୟ ସବମେରିନ ଟରପେଡୋ ଉପଯୋଗ କରିଥିଲା। ଏଥିରେ ଇରାନୀ ଯୁଦ୍ଧଜାହାଜର ଅନେକ ନାବିକ ପ୍ରାଣ ହରାଇଥିଲେ। ଶ୍ରୀଲଙ୍କା ନୌସେନା ଉଦ୍ଧାର ଅଭିଯାନ ଚଳାଇ ୮୭ ଜଣଙ୍କ ଶବ ଉଦ୍ଧାର କରିଛି ଓ ୩୨ ଜଣ ଜୀବନ୍ତ ଉଦ୍ଧାର ହୋଇଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଐତିହାସିକ ଘଟଣା
ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ ଏହି ଆକ୍ରମଣକୁ ସାଇଲେଣ୍ଟ ଡେଥ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ପ୍ରଥମ ଥର ଶତ୍ରୁ ଯୁଦ୍ଧ ପୋତ ବୁଡାଇବା ପାଇଁ ସବମେରିନର ଉପଯୋଗ କରିଛି। ଏହି ଘଟଣା ଆମେରିକା ଓ ଇରାନ ମଧ୍ୟରେ ଜାରି ଉତ୍ତେଜନାକୁ ଏକ ନୂଆ ତଥା ବିପଜଦନକ ମୋଡକୁ ନେଇଯାଇଛି। ଏହି ଇରାନୀ ଯୁଦ୍ଧପୋତ ନିକଟରେ ଭାରତର ବିଶାଖା ପାଟଣାରେ ଆୟୋଜିତ ଇଣ୍ଟରନ୍ୟାସନାଲ ଫ୍ଲିଟ ରିଭ୍ୟୁରେ ସାମିଲ ହୋଇଥିଲା। ଏହି କାରଣରୁ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ ଘଟଣା ଉପରେ ନଜର ରଖିଛନ୍ତି।

ଜୀବିତ ନାବିକଙ୍କୁ ନେଇ ଫଶିଛି ପେଞ୍ଚ
ଏହା ମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ମାମଲାରେ ଆମେରିକା ଶ୍ରୀଲଙ୍କା ସରକାରଙ୍କ ସହ ସମ୍ପର୍କ କରିଛି। ଏଥିରେ ଶ୍ରୀଲଙ୍କାକୁ ଆମେରିକା ଉଦ୍ଧାର ନାବିକ ଓ ଶରଣ ଦେଇଥିବା ଅନ୍ୟ ଏକ ଇରାନୀ ଯୁଦ୍ଧ ପୋତ ଆଇଆରଆଇଏସ ବୁଶହରର ୨୦୮ ନାବିକଙ୍କୁ ଏବେ ଇରାନ ନ ପଠାଉ।