ନୂଆଦିଲ୍ଲୀ: ପିଲାଙ୍କୁ ବିଗାଡୁଛି ସୋସିଆଲ ମିଡିଆ । ଫେସବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ଉପରେ ବଢୁଛି ଲୋକଙ୍କ ରାଗ । ତେଣୁ  ଆମେରିକାରେ ମେଟାର ବଢିଲା ଟେନସନ୍‌ । ଆମେରିକାରେ ଏହି ସୋସିଆଲ ମିଡିଆ ଫେସବୁକ୍‌ ଓ ଇନଷ୍ଟା ଉପରେ କଟକଣା ଚାହୁଁଛନ୍ତି  ୬୬ପ୍ରତିଶତ ଲୋକ । ବିଶ୍ବର କୋଟିକୋଟି ଲୋକ ଏହି ପ୍ଲାଟଫର୍ମ ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ ଆମେରିକାରେ ଏହି ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ବିରୁଦ୍ଧରେ ଜନସାଧାରଣଙ୍କ କ୍ରୋଧ ଓ ଆକ୍ରୋଶ ଦେଖିବାକୁ ମିଳିଛି । ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସର୍ଭେରେ  ୬୧ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ସରକାର ସୋସିଆଲ ମିଡିଆ  କମ୍ପାନୀ ଗୁ ଡ଼ିକ ଉପରେ କଠୋର ତଦାରଖ କରିବା ଉଚିତ।  ଏହା ବ୍ୟତୀତ ୬୬ପ୍ରତିଶତ ଆମେରିକିୟ ଚାହୁଁଛନ୍ତି ଯେ ଏହି କମ୍ପାନୀ ଗୁଡ଼ିକ ୧୬ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ବୟସ ଯାଞ୍ଚ ବାଧ୍ୟତାମୂଳକ କରନ୍ତୁ।  ତେବେ ପ୍ରଶ୍ନ ଉଠୁଛି  କାହିଁକି  ଆମେରିକାରେ ସାଧାରଣ ଲୋକଙ୍କ ମନୋଭାବ ବଦଳିଲା ? ୪ହଜାର ୫ଶହ୫ ଆମେରିକିୟ ଉପରେ କରାଯାଇଥିବା ସର୍ଭେରୁ ଜଣା ପଡିଛି  ୬୧% ଉତ୍ତରଦାତା ସାମାଜିକ ଗଣମାଧ୍ୟମ କମ୍ପାନୀ ଗୁଡ଼ିକ ଉପରେ  କଠୋର ତଦାରଖ ଚାହଁଛନ୍ତି ।  ଏପରିକି  ଆମେରିକାର  ୭୧% ଡେମୋକ୍ରାଟ ଏବଂ ୬୨% ରିପବ୍ଲିକାନ ଏହି ତଦାରଖକୁ ସମର୍ଥନ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଚିନ୍ତାର ବିଷୟ ହୋଇଛି ପିଲାଙ୍କ ଭବିଷ୍ୟତକୁ ନେଇ । ୬୬ ପ୍ରତିଶତ ଲୋକ ସୋସିଆଲ ମିଡିଆ କମ୍ପାନୀ ଗୁଡ଼ିକୁ ୧୬ ବର୍ଷରୁ କମ୍ ବୟସର ବ୍ୟବହାରକାରୀଙ୍କ  ବୟସ ଯାଞ୍ଚ କରିବା ବାଧ୍ୟତାମୂଳକ ଆଇନକୁ ସମର୍ଥନ କରିଛନ୍ତି । ଏହାର ଅର୍ଥ ହେଉଛି ସୋସିଆଲ ମିଡିଆର ଖରାପ ପ୍ରଭାବରୁ ପିଲାଙ୍କୁ ସୁରକ୍ଷା ଦେବା ପ୍ରସଙ୍ଗ ଆମେରିକାରେ ଉଭୟ ଶାସକ ଓ ବିରୋଧୀଙ୍କୁ ଏକତ୍ର କରିଛି ….

୮୫ ପ୍ରତିଶତ ଆମେରିକୀୟ ବିଶ୍ବାସ କରନ୍ତି ଯେ ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ନିଶା ଭଳି  ।  ଏହାର ମାତ୍ରାଧିକ  ବ୍ୟବହାର ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ  ପାଇଁ କ୍ଷତିକାରକ ହୋଇପାରେ। ଅନ୍ୟପକ୍ଷରେ, ସୋସିଆଲ ମିଡିଆକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ରହିଛି ।୭୦ ପ୍ରତିଶତ କହିଛନ୍ତି ଯେ ସେମାନେ ଏହି ପ୍ଲାଟଫର୍ମ ଗୁଡ଼ିକରେ ସମୟ ବିତାଇବାକୁ ପସନ୍ଦ କରନ୍ତି । ୫୨ପ୍ରତିଶତ ସ୍ବୀକାର କରିଛନ୍ତି ଯେ ସେମାନେ ସୋସିଆଲ ମିଡିଆରେ ଅତ୍ୟଧିକ ସମୟ ବିତାଉଛନ୍ତି।  ତେବେ ପିଲାଙ୍କ କଥା  ବିଚାରକୁ ନେଲି  କମ୍ପାନୀ ତାର ନିୟମାବଳୀ ଉପରେ କଠୋର ହେବା ଜରୁରୀ । ସେପଟେ  ମେଟା ବିରୁଦ୍ଧରେ ଆଇନଗତ ଚାପ ଦିନକୁ  ଦିନ ବଢ଼ୁଛି । ନ୍ୟୁ ମେକ୍ସିକୋର ଏକ କୋର୍ଟ ମେଟାକୁ ୫୬୭ ନିୟୁତ ଡଲରା  ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛି।  ନ୍ୟୁ ମେକ୍ସିକୋ କୋର୍ଟର ବିଚାରପତି ବ୍ରାଏନ୍ ବିଡ୍ସଚିଡ୍ ମେଟାର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ଡିଜାଇନ୍ ଏବଂ ପିଲାଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ।  କୋର୍ଟ ମେଟାକୁ ଅନେକ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଯେଉଁଥିରେ ବୟସ ଯାଞ୍ଚ, ନାବାଳକଙ୍କ ପାଇଁ ନିର୍ଦ୍ଦିଷ୍ଟ ବ୍ୟବହାର ସୀମା, ରାତି ଏବଂ ସ୍କୁଲ ସମୟରେ ବିଜ୍ଞପ୍ତି ଗୁଡ଼ି ଉପରେ କଟକଣା ସହ କିଛି କ୍ଷେତ୍ରରେ ପିତାମାତାଙ୍କ ଅନୁମତି ଭଳି ପ୍ରସଙ୍ଗ ଉପରେ ନଜର ଦେବାକୁ ନିର୍ଦ୍ଦେଶରେ କୁହାଯାଇଛି । ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି କୋର୍ଟ ମେଟାର ପ୍ଲାଟଫର୍ମ ଗୁଡ଼ିକୁ କେବଳ ବ୍ୟକ୍ତିଗତ ଭାବେ  ପିଲାମାନଙ୍କ ପାଇଁ କ୍ଷତିକାରକ ନୁହେଁ, ବରଂ ସମାଜକୁ ପ୍ରଭାବିତ କରୁଥିବା ଏକ ସମସ୍ୟା ଭାବରେ ଦେଖିଥିଲେ ।

ବାରମ୍ବାର ବିରୋଧ ବଢିବା ପରେ  ଆଗାମୀ ଦିନରେ  ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଏହାର ପ୍ଲାଟଫର୍ମ ଗୁଡ଼ିକରେ ବୟସ ଯାଞ୍ଚ ଏବଂ ଶିଶୁ ସୁରକ୍ଷା ନିୟମକୁ ଅଧିକ କଠୋର କରିପାରେ ବୋଲି ଚର୍ଚ୍ଚା ହେଉଛି । ଆମେରିକାର ଅନେକ ରାଜ୍ୟ ପୂର୍ବରୁ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନିୟନ୍ତ୍ରଣ କରୁଥିବା ବିଭିନ୍ନ ଆଇନ ପ୍ରଣୟନ କରି ସାରିଛନ୍ତି।  ମେଟା ଭଳି କମ୍ପାନୀ ଗୁଡ଼ିକ ପାଇଁ ସମସ୍ୟା କେବଳ ବହୁ ନିୟୁତ ଡଲାରର ଜରିମାନା ନୁହେଁ। ଯଦି ବିଭିନ୍ନ ରାଜ୍ୟ ଏବଂ କୋର୍ଟ ବୟସ ଯାଞ୍ଚ, ବିଜ୍ଞପ୍ତି ସୁପାରିଶ  ଏବଂ ଶିଶୁ-ଅନୁକୂଳ ବୈଶିଷ୍ଟ୍ୟ ଗୁଡ଼ିକରେ ପରିବର୍ତ୍ତନ ଆବଶ୍ୟକ କରୁଥିବା ନିୟମାବଳୀ ଜାରି କରିବା ଆରମ୍ଭ କରନ୍ତି, ତେବେ ମେଟା ଏହାକୁ ମାନିବାକୁ ବାଧ୍ୟ ହେବ।  ଏସଂପର୍କେ  ଅଗଷ୍ଟ ୧୨ରେ କାଲିଫର୍ନିଆରେ ୨୯ ଟି ଆମେରିକୀୟ ରାଜ୍ୟକୁ ନେଇ ଏକ ପୃଥକ ଫେଡେରାଲ୍ ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଛି।  ମେଟା ଏବଂ ଅନ୍ୟ କମ୍ପାନୀ ଗୁଡ଼ିକ ଏହି ଟ୍ରାଏଲରେ ଶିଶୁ ଏବଂ କିଶୋର ମାନଙ୍କ ସମ୍ପର୍କରେ ସମାନ ଅଭିଯୋଗର ସମ୍ମୁଖୀନ ହେବାକୁ ଯାଉଛି।  କିନ୍ତୁ ମେଟା ଏହି ଅଭିଯୋଗ ଗୁଡ଼ିକୁ ଅସ୍ବୀକାର କରୁଛି ।