ନୁଆଦିଲ୍ଲୀ,୦୧|୦୭:ଗତ ୩୦ ବର୍ଷ ମଧ୍ୟରେ ଭାରତ-ଆମେରିକା ସମ୍ପର୍କ ସବୁଠୁ ଖରାପ ସ୍ଥିତିରେ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଏବଂ ଏକତରଫା ନିଷ୍ପତ୍ତି ଯୋଗୁ ଆପୋସ ବିଶ୍ବାସକୁ କ୍ଷତି ପହଞ୍ଚିଛି। ଓ୍ବାଶିଂଟନ ଡିସିରେ ଆୟୋଜିତ ଆମେରିକା-ଭାରତ ରଣନୀତିକ ସହଯୋଗିତା ଫୋରମ ( ୟୁ ଏସ୍ ଆଇଏସ୍ ପି ଏଫ୍) ଲିଡରସିପ୍ ସମିଟ୍ ୨୦୨୬ରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଡେମୋକ୍ରାଟିକ ସାଂସଦ ରୋ ଖାନ୍ନା ଏହି ବୟାନ ଦେଇଛନ୍ତି।

ଖାନ୍ନା କହିଛନ୍ତି, ଟ୍ରମ୍ପଙ୍କ ଟାରିଫ ନୀତି, ଇରାନ ସହ ଯୁଦ୍ଧ ଏବଂ ସହଯୋଗୀ ଦେଶଗୁଡ଼ିକର ପରାମର୍ଶ ନିଆ ନ ଯିବା ଯୋଗୁ ଆମେରିକାର ମୂଳଭିତ୍ତିକୁ କ୍ଷତି ପହଞ୍ଚିଛି। ଇରାନ ଯୁଦ୍ଧ ପ୍ରଭାବ ଭାରତରେ ଗ୍ୟାସ ଦର ଉପରେ ପଡ଼ିଛି। ମୋ କଥାରେ ଯଦି ବିଶ୍ଵାସ ହେଉନାହିଁ, ତେବେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ପଚାରିପାର ବୋଲି ଖାନ୍ନା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଖାନ୍ନା ଟ୍ରମ୍ପଙ୍କ ଟାରିଫ ନୀତିକୁ ବି ଭୁଲ ଦର୍ଶାଇଛନ୍ତି। କହିଛନ୍ତି, ମୋର ସଦ୍ୟ ଚୀନ୍ ଯାତ୍ରା ବେଳେ ଭାରତର ଜଣେ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ ହୋଇଥିଲା। ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୋଗୁ ବିଶ୍ଵାସର ଏକ ପିଢ଼ି ଶେଷ ହୋଇଯାଇଥିବା ସେ କହିଥିଲେ । ଟ୍ରମ୍ପଙ୍କ ନୀତି ଯୋଗୁ ହୋଇଥିବା କ୍ଷତିକୁ ଯଦି ସ୍ବୀକାର କରା ନ ଯାଏ, ତେବେ ଏହା ବାସ୍ତବତାକୁ ଆଖି ବୁଜି ଦିଆଯିବା ଭଳି ହେବ।

Also Read :- ଏବେ ଶସ୍ତା ହେବ ବିମାନ ଯାତ୍ରା : ଜେଟ୍ ଫୁଏଲ୍ ଦାମ୍ କମିଲା ୫ ଟଙ୍କା

ଟ୍ରମ୍ପଙ୍କୁ ‘ଛୋଟା ବତକ’ ରାଷ୍ଟ୍ରପତି ଦର୍ଶାଇ ଖାନ୍ନା କହିଛନ୍ତି, ଡେମୋକ୍ରାଟିକ ପାର୍ଟି ଆଗାମୀ ମଧ୍ୟାବଧି ନିର୍ବାଚନରେ ପ୍ରତିନିଧି ସଭାରେ ବହୁମତ ହାସଲ କରିନେବ ଏବଂ ୨୦୨୮ର ରାଷ୍ଟ୍ରପତି ନିର୍ବାଚନ ବି ଜିତିବ। ନୂଆ ପିଢ଼ିଙ୍କୁ ଆମେରିକା ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାକୁ ହେବ। ଖାନ୍ନାଙ୍କ ମୁତାବକ, ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କଲିନ ଡି ରୁଜଭେଲ୍ସ ବିଶ୍ବବ୍ୟାପୀ ଦେଶଗୁଡ଼ିକ ସହ ମିଶି କାମ କରିବାରେ ବିଶ୍ଵାସ ରଖୁଥିଲେ। ଭାରତର ସ୍ବାଧୀନତା ଆନ୍ଦୋଳନକୁ ବି ସେ ସମର୍ଥନ କରୁଥିଲେ।