ସିରିକ : ପଶ୍ଚିମ ଏସିଆରେ ପୁଣି ଭୟଙ୍କର ହୋଇଛି ଆମେରିକା-ଇରାନ ମଧ୍ୟରେ ସାମରିକ ଉତ୍ତେଜନା। ଇରାନର ଦକ୍ଷିଣ ଅଞ୍ଚଳରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ମିଶାଇଲ ଖଣ୍ଡ ଏକ ଘର ଉପରେ ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଇରାନୀ କର୍ତ୍ତୃପକ୍ଷ କହିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଆହୁରି ବଢ଼ିଛି।

ଇରାନର ସିରିକ୍ କାଉଣ୍ଟିର କୁହେସ୍ତାକ ଅଞ୍ଚଳରେ ଏକ ଘରେ ବିବାହ ଉତ୍ସବ ଚାଲିଥିଲା। ଏହି ସମୟରେ ଆମେରିକାର ଆକ୍ରମଣରୁ ଆସିଥିବା ଶ୍ରାପ୍ନେଲ୍ ଘରକୁ ଆଘାତ କରିଥିବା ଇରାନୀ ରେଡ୍ କ୍ରେସେଣ୍ଟ କହିଛି। ଆକ୍ରମଣରେ ଘରର ବହୁ ଅଂଶ ଧ୍ୱଂସ ହୋଇଯାଇଥିବା ରିପୋର୍ଟ ଆସିଛି। ଇରାନୀ ଅଧିକାରୀଙ୍କ ଅନୁସାରେ, ଏହି ଘଟଣାରେ ୪ ବର୍ଷର ଏକ ଶିଶୁ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ପ୍ରାଥମିକ ରିପୋର୍ଟରେ ୫୦ରୁ ଅଧିକ ଆହତଙ୍କ କଥା କୁହାଯାଇଥିଲା। ପରେ ସିରିକ୍ ଗଭର୍ଣ୍ଣର ୬୩ ଜଣ ଆହତ ହୋଇଥିବା କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଆକ୍ରମଣ ବେଳେ ୫୦ରୁ ଅଧିକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲାଆହତମାନଙ୍କୁ ନିକଟସ୍ଥ ମିନାବ୍ ସହରର ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ନିକଟରେ ଘଟିଛି। ଆମେରିକା ପକ୍ଷରୁ ଇରାନରେ ନୂଆ ପର୍ଯ୍ୟାୟର ଆକ୍ରମଣ କରାଯାଇଥିବା ବେଳେ ଆମେରିକୀୟ ସେନା କହିଛି ଯେ ଏହାର ଟାର୍ଗେଟ୍ ଥିଲା ଇରାନୀ ସାମରିକ ଘାଟି, ଏୟାର ଡିଫେନ୍ସ ସିଷ୍ଟମ୍, ରାଡାର, ସାମୁଦ୍ରିକ ସମ୍ପତ୍ତି ଏବଂ ଯୋଗାଯୋଗ କେନ୍ଦ୍ର।

ଅନ୍ୟପଟେ, ଇରାନ ଏହି ଆକ୍ରମଣର ଜବାବ ଦେବା ଆରମ୍ଭ କରିଥିବା ଦାବି କରିଛି। ଇରାନୀ ରିଭଲ୍ୟୁସନାରୀ ଗାର୍ଡ୍ ଆମେରିକୀୟ ଠିକଣା ଓ ସ୍ୱାର୍ଥକୁ ଟାର୍ଗେଟ୍ କରିଥିବା କହିଛି। ଜୋର୍ଡାନ୍, ବାହାରିନ୍ ଓ ଇରାକ୍ରେ ଆମେରିକୀୟ ସାମରିକ ଠିକଣାକୁ ନେଇ ମଧ୍ୟ ଆକ୍ରମଣର ଖବର ଆସିଛି। ବିବାହ ଉତ୍ସବ ଉପରେ ଆକ୍ରମଣରେ ସାଧାରଣ ନାଗରିକ, ବିଶେଷକରି ଶିଶୁଙ୍କ ମୃତ୍ୟୁ ଘଟିଥିବା ଖବର ପରେ ଇରାନ ଆମେରିକାକୁ କଡ଼ା ଭାଷାରେ ନିନ୍ଦା କରିଛି। ତେବେ ଆମେରିକାର ସାମରିକ ଟାର୍ଗେଟ୍ ଦାବି ଏବଂ ଇରାନର ନାଗରିକ ଅଞ୍ଚଳରେ କ୍ଷୟକ୍ଷତି ନେଇ ଦୁଇ ପକ୍ଷର ବୟାନ ମଧ୍ୟରେ ପାର୍ଥକ୍ୟ ରହିଛି । ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ନେଇ ପୂର୍ବରୁ ହିଁ ଚାପ ବଢ଼ିଥିବା ବେଳେ ଏହି ନୂଆ ଆକ୍ରମଣ ଘଟଣା ପଶ୍ଚିମ ଏସିଆର ସ୍ଥିତିକୁ ଆହୁରି ଜଟିଳ କରିଛି । ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ମଧ୍ୟରେ ଆକ୍ରମଣ ଏବେ ଇରାନରେ ଶୋକର ଛାୟା ଖେଳାଇଛି। ଆଗକୁ ଆମେରିକା ଓ ଇରାନ ମଧ୍ୟରେ ଏହି ପ୍ରତିଆକ୍ରମଣ କେତେ ଦୂର ଯାଉଛି, ତା’ ଉପରେ ଏବେ ସମଗ୍ର ବିଶ୍ୱର ନଜର ।