ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ବିଚିତ୍ର କାରନାମା ପୁଣି ସାମ୍ନାକୁ ଆସିଛି। ଜାତୀୟ ଦଳ ପାଇଁ ନୂଆ ଫିଲ୍ଡିଂ କୋଚ୍ ନିଯୁକ୍ତ କରିବାକୁ ପିସିବି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଲିଙ୍କଡଇନ୍'ର ସାହାରା ନେଇଛି। ଗତ ମାସରେ ଅଷ୍ଟ୍ରେଲିଆର ସେନ୍ ମ୍ୟାକଡରମୋଟ୍ ଫିଲ୍ଡିଂ କୋଚ୍ ପଦରୁ ଇସ୍ତଫା ଦେବା ପରେ ଏହି ସ୍ଥାନ ଖାଲି ପଡ଼ିଥିଲା। ତେବେ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ବୋର୍ଡ କୋଚ୍ ପଦ ପାଇଁ ଲିଙ୍କଡଇନ୍ରେ ବିଜ୍ଞାପନ ଦେବା ଘଟଣା ଅତ୍ୟନ୍ତ ବିରଳ ହୋଇଥିବାରୁ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଓ ହାସ୍ୟରୋଳ ସୃଷ୍ଟି ହୋଇଛି।

ଅନ୍ତର୍ଜାତୀୟ କ୍ରିକେଟ୍ରେ ପାକିସ୍ତାନ ଦଳ ନିଜର ଦୁର୍ବଳ ଫିଲ୍ଡିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଖରାପ ଫିଲ୍ଡିଂ ଓ କ୍ୟାଚ୍ ଛାଡ଼ିବା ଯୋଗୁଁ ଦଳ ପରାଜୟର ସାମ୍ନା କରିଛି। ୨୦୨୧ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ହସନ୍ ଅଲ୍ଲୀ ମାଥ୍ୟୁ ୱେଡ୍ଙ୍କ ସହଜ କ୍ୟାଚ୍ ଛାଡ଼ିବା ଏବଂ ପରବର୍ତ୍ତୀ ସମୟରେ ୱେଡ୍ ଲଗାତାର ୩ଟି ଛକା ମାରି ମ୍ୟାଚ୍ ଜିତାଇବା ଘଟଣାକୁ କ୍ରିକେଟ୍ ପ୍ରେମୀ ଏବେ ବି ଭୁଲିନାହାନ୍ତି।

Also Read: IPL 2027: ମୁମ୍ବାଇ ଇଣ୍ଡିଆନ୍ସରେ ରହିବେ ହାର୍ଦ୍ଦିକ, ହେଲେ ମିଳିବନି କ୍ୟାପ୍ଟେନ୍ସି !

କୋଚ୍ ପଦ ପାଇଁ କ’ଣ ରହିଛି ଯୋଗ୍ୟତା ?

ପିସିବି ଦେଇଥିବା ବିଜ୍ଞାପନ ଅନୁସାରେ, ଆବେଦନକାରୀଙ୍କ ପାଖରେ ଅନ୍ତତଃ ୫ ବର୍ଷର କୋଚିଂ ଅଭିଜ୍ଞତା ଥିବା ଆବଶ୍ୟକ। ସେ କୌଣସି ଜାତୀୟ ଦଳ, ଫ୍ରାଞ୍ଚାଇଜି କିମ୍ବା ଅନ୍ତର୍ଜାତୀୟ ଖେଳାଳିଙ୍କ ସହ କାମ କରିଥିବା ଦରକାର। ଏହାସହ ଆବେଦନକାରୀଙ୍କ ପାଖରେ 'ଲେବଲ-୨' କ୍ରିକେଟ୍ କୋଚିଂ ସାର୍ଟିଫିକେଟ୍ ଥିବା ବାଧ୍ୟତାମୂଳକ।

ବୋର୍ଡ ସ୍ପଷ୍ଟ କରିଛି ଯେ, ସେମାନଙ୍କୁ କେବଳ କ୍ୟାଚ୍ ଧରାଇବା ଶିଖାଉଥିବା କୋଚ୍ ନୁହେଁ, ବରଂ ଆଧୁନିକ ଫିଲ୍ଡିଂ କୌଶଳରେ ନିପୁଣ ଏବଂ ମ୍ୟାଚ୍ ସ୍ଥିତି ଅନୁସାରେ ଖେଳାଳିଙ୍କ ଦକ୍ଷତା ବୃଦ୍ଧି କରିପାରୁଥିବା ବିଶେଷଜ୍ଞ ଦରକାର। ଆଗ୍ରହୀ ପ୍ରାର୍ଥୀମାନେ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ସେନ୍ ମ୍ୟାକଡରମୋଟ୍ ହଠାତ୍ ନିଜ ପଦରୁ ଓହରି ଯାଇଥିଲେ। ତେବେ ସେ କାହିଁକି ଇସ୍ତଫା ଦେଲେ, ସେ ନେଇ ନା ମ୍ୟାକଡରମୋଟ୍ କିଛି କହିଛନ୍ତି ନା ପିସିବି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇଛି।