Eggs Price: କ୍ଷୀର, ମାଛ, ମାଂସ ଏମିତିକି ଡାଲି, ପ୍ରୋଟିନ ପାଇଁ ଯାହାସବୁ ଆବଶ୍ୟକ ସବୁ ତ ମହଙ୍ଗା ଥିଲା, ହେଲେ ଗରିବ ପରିବାର ପାଇଁ ଶସ୍ତାରେ ପ୍ରଟୋନି ସୋର୍ସର ଯେଉଁ ଗୋଟିଏ ବିକଳ୍ପ ଥିଲା ତାହା ବି ମହଙ୍ଗା ହେଲାଣି। ଆମେ କହୁଛି ଅଣ୍ଡା କଥା।

ଭାରତୀୟଙ୍କ ପାଇଁ ଦୀର୍ଘଦିନ ଧରି ସୁଲଭ ଓ ପ୍ରୋଟିନ ଏକ ପ୍ରମୁଖ ଉତ୍ସ ଭାବେ ପରିଚିତ ଅଣ୍ଡା ଏବେ ମହଙ୍ଗା ହେବାରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଅଣ୍ଡା ଦର ପ୍ରାୟ ୩୫ରୁ ୪୦ ପ୍ରତିଶତ ବଢ଼ି ସାରିଲାଣି। ଫାର୍ମ ସ୍ତରରେ ଗୋଟିଏ ଅଣ୍ଡାର ଦର ପ୍ରାୟ ୭ ଟଙ୍କା ରହିଛି। ବିଭିନ୍ନ ବଜାରରେ ଖୁଚୁରା ଦରରେ ତଥାପି ଅନେକ ପାର୍ଥକ୍ୟ ଦେଖାଯାଉଛି।

ଅନଲାଇନ୍ ଡେଲିଭରି ପ୍ଲାଟଫର୍ମଗୁଡ଼ିକରେ କେତେକ ସ୍ଥାନରେ ଅଣ୍ଡାଦର ଏହାଠାରୁ ମଧ୍ୟ ଅଧିକ ରହୁଛି। ଆଗକୁ ଶୀତ ଋତୁ ଆସୁଛି, ତେଣୁ ଅଣ୍ଡାର ଚାହିଦା ବଢ଼ିବ। ଯାହା ଦର ବୃଦ୍ଧି ଉପରେ ମଧ୍ୟ ଚାପ ସୃଷ୍ଟି କରିପାରେ। ହେଲେ ତା ପୂର୍ବରୁ ଦର ବୃଦ୍ଧି ହେବା ଖାଉଟିକୁ ଚିନ୍ତାରେ ପକାଇଛି। ଅଣ୍ଡା ଦର ବୃଦ୍ଧି ପଛରେ ପ୍ରମୁଖ କାରଣ ଇଥାନଲ ବୋଲି କୁହାଯାଉଛି। କେମିତି ଆଗକୁ ପୁଢ଼ନ୍ତୁ।

ଅଣ୍ଡା ଦର ବଢ଼ିବା ପଛରେ ମକା

ଅଣ୍ଡା ଦର ବଢ଼ିବା ପଛରେ ଅନ୍ୟାନ୍ୟ କାରଣ ଥିବାବେଳେ କୁକୁଡ଼ା ଖାଦ୍ୟ ପାଇଁ ବ୍ୟବହାର ହେଉଥିବା ମକାର ଏକ ବଡ଼ ଭୂମିକା ରହିଛି। କୁକୁଡ଼ାଙ୍କ ଖାଦ୍ୟରେ ମକା ଶକ୍ତିର ଏକ ବଡ଼ ଉତ୍ସ। ହେଲେ ଏହି ମକା ଏବେ ନିଅଣ୍ଟିଆ ପଡ଼ିଲାଣି।

କାରଣ ଭାରତର ଇଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (EBP) କାର୍ଯ୍ୟକ୍ରମ ଅଧୀନରେ ଇଥାନଲ୍ ଉତ୍ପାଦନ ପାଇଁ ଅଧିକ ପରିମାଣରେ ମକା ବ୍ୟବହାର ହେଉଛି। ଅର୍ଥାତ୍ ପୋଲ୍ଟ୍ରି ଫିଡ୍ରେ ବ୍ୟବହାର ହୋଇପାରୁଥିବା ମକାର ଏକ ବଡ଼ ଅଂଶ ଏବେ ଇଥାନଲ୍ ଉତ୍ପାଦନରେ ଲାଗୁଛି। ଏପଟେ ଡିମାଣ୍ଡ ବଢ଼ୁଥିବା ବେଳେ ସପ୍ଲାଏ ହେଇପାରୁ ନଥିବାରୁ କୁକୁଡ଼ା ଦାନାରେ ବ୍ୟବବାର ମକାର ମୂଲ୍ୟ ବଢ଼ୁଛି । ଯାହା ଅଣ୍ଡା ଦରକୁ ପ୍ରଭାବିତ କରୁଛି।

ଇଥାନଲ୍ ପାଇଁ କେତେ ମକା ବ୍ୟବହାର ହେଉଛି?

ସରକାରୀ ତଥ୍ୟ ଅନୁସାରେ, ଇଥାନଲ ସପ୍ଲାଏ ଇଅର (ESY) ୨୦୨୪-୨୫ ବର୍ଷରେ ୧୨୫.୭୫ ଲକ୍ଷ ମେଟ୍ରିକ୍ ଟନ୍ ମକା ଇଥାନଲ୍ ଉତ୍ପାଦନରେ ବ୍ୟବହାର ହୋଇଥିଲା। ସେହି ସମୟରେ ମକା ଆଧାରିତ ଡିଷ୍ଟିଲେରୀଗୁଡ଼ିକୁ ପ୍ରାୟ ୪୭୭.୮ କୋଟି ଲିଟର ଇଥାନଲ୍ ବଣ୍ଟନ କରାଯାଇଥିଲା।

ମକା ବ୍ୟବହାରରେ ଗତ କିଛି ବର୍ଷରେ ବଡ଼ ପରିବର୍ତ୍ତନ ଆସିଛି। ଦୁଇ ବର୍ଷ ମଧ୍ୟରେ ଇଥାନଲ୍ ପାଇଁ ମକା ବ୍ୟବହାର ପ୍ରାୟ ୮.୩ ଲକ୍ଷ ଟନ୍ରୁ ୧୨୫.୭୫ ଲକ୍ଷ ଟନ୍କୁ ବଢ଼ିଛି। ଅର୍ଥାତ୍ ଦୁଇ ବର୍ଷରେ ଏହା ୧୫ ଗୁଣରୁ ଅଧିକ ବୃଦ୍ଧି ପାଇଛି।

ମକା ମହଙ୍ଗା ହେଲେ ଅଣ୍ଡା କାହିଁକି ମହଙ୍ଗା ହୁଏ?

ଏହାର ହିସାବ ସରଳ। ଇଥାନଲ୍ ଚାହିଦା ବଢ଼ିଲା → ମକା ଚାହିଦା ବଢ଼ିଲା → ମକା ଦର ବଢ଼ିଲା → ପୋଲ୍ଟ୍ରି ଫିଡ୍ ମହଙ୍ଗା ହେଲା → ଅଣ୍ଡା ଉତ୍ପାଦନ ଖର୍ଚ୍ଚ ବଢ଼ିଲା → ଅଣ୍ଡା ଦର ଉପରେ ଚାପ ପଡ଼ିଲା। ମକା ଏକମାତ୍ର କାରଣ ନୁହେଁ। ତଥାପି ପୋଲ୍ଟ୍ରି ଶିଳ୍ପର ମୋଟ ଖର୍ଚ୍ଚରେ ଫିଡ୍ର ଭୂମିକା ବହୁତ ବଡ଼ ଥିବାରୁ ମକା ଦର ବୃଦ୍ଧିର ପ୍ରଭାବ ଅଣ୍ଡା ଦର ଉପରେ ପଡ଼ୁଛି।

ଶୀତରେ ଆହୁରି ବଢ଼ିପାରେ ଦର

ଶୀତ ଋତୁରେ ଅଣ୍ଡାର ଚାହିଦା ସାଧାରଣତଃ ବଢ଼ିଥାଏ। ଘରୋଇ ଚାହିଦା ସହ ହୋଟେଲ୍, ରେସ୍ତୋରାଁ ଓ ଅନ୍ୟ ସଂସ୍ଥାଗତ ଗ୍ରାହକଙ୍କ ଚାହିଦା ମଧ୍ୟ ବଢ଼ିଥାଏ। ଯଦି ସେହି ସମୟରେ ମକା ଓ ଅନ୍ୟାନ୍ୟ ଫିଡ୍‌ର ଦର ଉଚ୍ଚ ରହେ, ତେବେ ପୋଲ୍ଟ୍ରି ଚାଷୀଙ୍କ ଉପରେ ଅଧିକ ଖର୍ଚ୍ଚର ଚାପ ପଡ଼ିବ। ଏହାର ପ୍ରଭାବ ଖୁଚୁରା ବଜାରରେ ମଧ୍ୟ ପଡ଼ିପାରେ। ଫଳରେ ଆଗାମୀ ମାସଗୁଡ଼ିକରେ ଅଣ୍ଡା ଦର ଉଚ୍ଚା ରହିବା କିମ୍ବା ଆହୁରି ବଢ଼ିବାର ସମ୍ଭାବନା ରହିଛି।

ଖାଦ୍ୟ, ଓ ଇନ୍ଧନ ମଧ୍ୟରେ ପ୍ରତିଯୋଗିତା

ଭାରତରେ ମକା ଉତ୍ପାଦନ ବଢ଼ୁଥିଲେ ମଧ୍ୟ ଏହାର ବ୍ୟବହାର ମଧ୍ୟ ବଢ଼ିଛି। ଇଥାନଲ୍, ପୋଲ୍ଟ୍ରି ଫିଡ୍, ଷ୍ଟାର୍ଚ୍ଚ ଓ ଅନ୍ୟ ଶିଳ୍ପ ପାଇଁ ମକାର ଚାହିଦା ରହିଛି। ତେଣୁ ଅଣ୍ଡା ଦର ବୃଦ୍ଧିର ମୂଳ ପ୍ରଶ୍ନ କେବଳ ମକା କମ୍ ଉତ୍ପାଦନ ନୁହେଁ। ବରଂ ମକାର ପ୍ରତ୍ୟେକ ଟନ୍ ପାଇଁ ଖାଦ୍ୟ, ପଶୁ ଫିଡ୍ ଓ ଇନ୍ଧନ କ୍ଷେତ୍ର ମଧ୍ୟରେ ବଢ଼ୁଥିବା ପ୍ରତିଯୋଗିତା ହିଁ ବର୍ତ୍ତମାନର ଅଣ୍ଡା ଦର ବୃଦ୍ଧିକୁ ବୁଝିବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।