ଗୁଣ୍ଟୁର : ୭୪ ବର୍ଷ ବୟସରେ ଦୁଇଟି ଶିଶୁକନ୍ୟାଙ୍କ ମା’ ! ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥିଲେ ବି ଏହା ସତ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏର୍ରାମତି ମଙ୍ଗାୟମ୍ମା ୭୪ ବର୍ଷ ବୟସରେ IVF ଜରିଆରେ ଯମଜ ଝିଅଙ୍କୁ ଜନ୍ମ ଦେଇଥିଲେ। ଏହି ବିରଳ ଘଟଣା ଘଟିଥିଲା ୨୦୧୯ ମସିହାରେ ଯାହା ଏବେ ପୁଣି ଚର୍ଚ୍ଚାକୁ ଆସିଛି। କାରଣ, ଏତେ ଅଧିକ ବୟସରେ IVF କରିବା ଉଚିତ କି ନୁହେଁ ଏବଂ IVF ପାଇଁ ବୟସର ଏକ ସୀମା ରହିବା ଦରକାର କି ? ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା ।

ଏର୍ରାମତି ମଙ୍ଗାୟମ୍ମାଙ୍କ କାହାଣୀ ମେଡିକାଲ ସାଇନ୍ସ ସହ ଜଡ଼ିତ ଏକ ବିରଳ ଘଟଣା ଭାବେ ସାମ୍ନାକୁ ଆସିଥିଲା। ତାଙ୍କ ବିବାହ ୧୯୬୨ ମସିହାରେ ରାଜା ରାଓଙ୍କ ସହ ହୋଇଥିଲା। କିନ୍ତୁ ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଦମ୍ପତିଙ୍କର କୌଣସି ସନ୍ତାନ ହୋଇନଥିଲା। ଶେଷରେ ସେମାନେ IVF ବିଶେଷଜ୍ଞଙ୍କ ସହାୟତା ନେଇଥିଲେ।୨୦୧୯ ମସିହାରେ ୭୪ ବର୍ଷ ବୟସରେ ସେ IVF ବା 'ଇନ ଭିଟ୍ରୋ ଫର୍ଟିଲାଇଜେସନ' ଚିକିତ୍ସା ଜରିଆରେ ଯମଜ ଝିଅଙ୍କୁ ଜନ୍ମ ଦେଇଥିଲେ। ଗୁଣ୍ଟୁରର ଏକ ଘରୋଇ ହସ୍ପିଟାଲରେ ସିଜେରିଆନ୍ ସେକ୍ସନ୍ ଜରିଆରେ ଏହି ଡେଲିଭରି ହୋଇଥିଲା। ଡାକ୍ତରଙ୍କ ଅନୁସାରେ, ମା’ ଏବଂ ଦୁଇ ଶିଶୁ ସେତେବେଳେ ସୁସ୍ଥ ଥିଲେ।

ରିପୋର୍ଟ ଅନୁସାରେ, ବିବାହର ୫୭ ବର୍ଷ ପରେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇନଥିଲା। ପରେ IVF ପ୍ରକ୍ରିୟାରେ ସେ ଦୁଇଟି ଶିଶୁକନ୍ୟାଙ୍କ ମା' ହେବାର ସୌଭାଗ୍ୟ ପାଇଥିଲେ | କିନ୍ତୁ ଏହି ଘଟଣା କେବଳ ଏକ ମେଡିକାଲ ରେକର୍ଡ ହୋଇ ରହିନଥିଲା। ଏହା ପରେ IVF ଚିକିତ୍ସାରେ ବୟସ ସୀମା ରହିବା ଦରକାର କି ନାହିଁ, ତାକୁ ନେଇ ଡାକ୍ତର ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଶେଷଜ୍ଞମାନେ କହିଥିଲେ, ବହୁତ ଅଧିକ ବୟସରେ ଗର୍ଭଧାରଣ କଲେ ଉଚ୍ଚ ରକ୍ତଚାପ, ଡାଇବେଟିସ୍, ରକ୍ତସ୍ରାବ, ହୃଦ୍ଜନିତ ସମସ୍ୟା ଏବଂ ଅନ୍ୟାନ୍ୟ ଜଟିଳତାର ଆଶଙ୍କା ବଢ଼ିପାରେ। ଏହା ସହ ଶିଶୁଙ୍କ ଭବିଷ୍ୟତ ଯତ୍ନ ଓ ପିତାମାତାଙ୍କ ବୟସକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

Also Read : ନେପାଳ ବନ୍ୟାରେ ନିଖୋଜ ବାପା ମା ! ଲୁହ ଭରା ଆଖିରେ ପରୀକ୍ଷା ଦେଲେ ଝିଅ

ଆଉ ଏବେ ଏହି ପୁରୁଣା ଘଟଣା ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଦୁଇ ପ୍ରକାର ମତ ଦେଖିବାକୁ ମିଳୁଛି। କିଛି ଲୋକ ଏହାକୁ ମେଡିକାଲ ସାଇନ୍ସର ଅଗ୍ରଗତି ବୋଲି କହୁଥିବାବେଳେ, ଆଉ କିଛି ଲୋକ ଏତେ ଅଧିକ ବୟସରେ IVF କରିବାର ନୈତିକତା ଏବଂ ଶିଶୁଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ତେଣୁ, ୭୪ ବର୍ଷ ବୟସରେ ଯମଜ ଶିଶୁଙ୍କ ମା’ ହୋଇଥିବା ମଙ୍ଗାୟମ୍ମାଙ୍କ ଘଟଣା ଯେତିକି ଚର୍ଚ୍ଚିତ, ସେତିକି ଗୁରୁତ୍ୱପୂର୍ଣ୍ଣ ମଧ୍ୟ।