ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ନେଇ ଏକ ରୋଚକ ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି। ପଦବୀରୁ ଇସ୍ତଫା ଦେବାର ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ବାସଭବନ ମିଳିପାରିନାହିଁ। ଫଳରେ ସେ ଏବେ ଦିଲ୍ଲୀ ନିକଟସ୍ଥ ଏକ ଘରୋଇ ଫାର୍ମହାଉସରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏ ଘଟଣା ଆପଣଙ୍କୁ ଅଜବ ଲାଗୁଥିବ। କିନ୍ତୁ ବାସ୍ତବରେ ପୂର୍ବତନ ଉପରାଷ୍ଟ୍ରପତିଙ୍କ କ୍ଷେତ୍ରରେ ଏମିତି ହିଁ ଘଟିଛି।

ସୂଚନା ଅନୁଯାୟୀ, ଦିଲ୍ଲୀର ଛତରପୁର ଅଞ୍ଚଳରେ ଥିବା ଇଣ୍ଡିଆନ୍ ନ୍ୟାସନାଲ୍ ଲୋକଦଳ (INLD) ନେତା ଅଭୟ ସିଂହ ଚୌତାଲାଙ୍କ ଏକ ଘରୋଇ ଫାର୍ମହାଉସରେ ବର୍ତ୍ତମାନ ଧନଖଡ଼ ରହୁଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇ ନଥିବାବେଳେ, ଏହି ବିଷୟରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

Also Read: ଦିଶା ସାଲିଆନ୍ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ସିବିଆଇ କରିବ ତଦନ୍ତ

କ’ଣ କହୁଛି ନିୟମ ?

ସରକାରୀ ନିୟମାନୁସାରେ, ଦେଶର ଜଣେ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଆଜୀବନ ମାଗଣା ସରକାରୀ ବାସଭବନ, ବିଜୁଳି ଓ ଜଳ ସେବା ପାଇବାର ଆଇନଗତ ଅଧିକାର ରହିଛି। ସେମାନଙ୍କୁ ଲୁଟିୟନ୍ସ ଦିଲ୍ଲୀର ସବୁଠାରୁ ଉଚ୍ଚଶ୍ରେଣୀୟ ‘ଟାଇପ୍-୮’ ସରକାରୀ ବଙ୍ଗଳା ଯୋଗାଇ ଦିଆଯାଏ। ଯଦି ସରକାରୀ ଆବାସ ଖାଲି ନଥାଏ, ତେବେ ଘରୋଇ ସଂସ୍ଥାରୁ ୨୦୦୦ ବର୍ଗଫୁଟର ଘର ଭଡ଼ାରେ ନେଇ ଯୋଗାଇଦେବାକୁ ସରକାର ବାଧ୍ୟ।

ପୂର୍ବତନ ଉପରାଷ୍ଟ୍ରପତିଙ୍କ କ୍ଷେତ୍ରରେ କ’ଣ ହୋଇଥିଲା ?

ଏହାପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଅବସର ନେଇଥିବା ଏମ୍. ଭେଙ୍କିଆ ନାଇଡୁଙ୍କୁ କାର୍ଯ୍ୟକାଳ ଶେଷ ହେବାର ଅଳ୍ପ ଦିନ ମଧ୍ୟରେ ଦିଲ୍ଲୀର ତ୍ୟାଗରାଜ ମାର୍ଗସ୍ଥିତ ବିଶାଳ ବଙ୍ଗଳା ଆବଣ୍ଟନ କରାଯାଇଥିଲା। ଅନ୍ୟପଟେ, ଧନଖଡ଼ ପଦ ଛାଡ଼ିବା ପରେ ୨୦୨୫ ସେପ୍ଟେମ୍ବରରୁ ଅଭୟ ଚୌତାଲାଙ୍କ ଫାର୍ମହାଉସରେ ଅସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ। ତେବେ ବର୍ଷେ ପରେ ବି ସେ ସେଠାରେ ରହୁଥିବା ଜଣାପଡ଼ିଛି।

ନଗର ଉନ୍ନୟନ ମନ୍ତ୍ରଣାଳୟ ଓ ସମ୍ପତ୍ତି ନିର୍ଦ୍ଦେଶାଳୟର ଅଧିକାରୀଙ୍କ କହିବାନୁଯାୟୀ, ଧନଖଡ଼ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆବାସ ଆବଣ୍ଟନ ପାଇଁ କୌଣସି ଆନୁଷ୍ଠାନିକ ଆବେଦନ କରାଯାଇ ନଥିବାରୁ ଏହି ପ୍ରକ୍ରିୟା ବାକି ରହିଛି।

Also Read: CJP ନିର୍ବାଚନ ଲଢିଲେ ଭୋଟ ଦେବେ ଜନତା? C-Voter ସର୍ଭରେ ମିଳିଲା ଆଶ୍ଚର୍ଯ୍ୟଜନକ ଜବାବ