ୱାଶିଂଟନ୍: ଇରାନ ସହ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ନିଜର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରୁଛି। ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ନେଇ ଲକହିଡ୍ ମାର୍ଟିନକୁ ସର୍ବାଧିକ ୫୮.୬ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ପ୍ରଦାନ କରିଛି। ଏହା ପେଣ୍ଟାଗନର ସବୁଠାରୁ ବଡ଼ ବାୟୁ ପ୍ରତିରକ୍ଷା କ୍ରୟ ଚୁକ୍ତି ମଧ୍ୟରୁ ଗୋଟିଏ। ଏହି ଚୁକ୍ତି ଅନୁସାରେ କମ୍ପାନୀ PAC-3 MSE ଇଣ୍ଟରସେପ୍ଟର ମିସାଇଲ୍ ଉତ୍ପାଦନ କରିବ।

ଆମେରିକୀୟ ସେନା ସୂଚନା ଅନୁଯାୟୀ, ୨୦୨୬ରୁ ୨୦୩୨ ପର୍ଯ୍ୟନ୍ତ ୭ ବର୍ଷ ପାଇଁ ଏହି ଚୁକ୍ତି ଲାଗୁ ହେବ। ୟୁକ୍ରେନ୍କୁ ବିପୁଳ ପରିମାଣର ଅସ୍ତ୍ର ଯୋଗାଣ ଏବଂ ଇରାନ ସହ ସମ୍ପ୍ରତି ସାମରିକ କାର୍ଯ୍ୟକଳାପରେ ପାଟ୍ରିଅଟ୍ ମିସାଇଲ୍ ବ୍ୟବହାର ହେବାରୁ ଆମେରିକାର ମିସାଇଲ୍ ଭଣ୍ଡାର ହ୍ରାସ ପାଇଛି। ଏହାକୁ ପୁନଃ ଭରଣା ପାଇଁ ଏହି ଦୀର୍ଘମିଆଦି ଚୁକ୍ତି କରାଯାଇଛି।

ଲକହିଡ୍ ମାର୍ଟିନ୍ କହିଛି ଯେ ୨୦୩୦ ସୁଦ୍ଧା PAC-3 MSE ମିସାଇଲ୍ ଉତ୍ପାଦନ କ୍ଷମତାକୁ ତିନିଗୁଣ ବଢ଼ାଯିବ। କମ୍ପାନୀ ୨୦୩୦ ସୁଦ୍ଧା ୮ରୁ ୯ ବିଲିୟନ ଡଲାର ବିନିଯୋଗ କରି ୨୦ରୁ ଅଧିକ କାରଖାନାର ଆଧୁନିକୀକରଣ କରିବ ଏବଂ ବାର୍ଷିକ ପ୍ରାୟ ୨,୦୦୦ଟି ପାଟ୍ରିଅଟ୍ ମିସାଇଲ୍ ଉତ୍ପାଦନ ଲକ୍ଷ୍ୟ ରଖିଛି।

Also Read- ଶବ ସହ ଖେଳୁଥିବା ମଣିଷ ‘ଡାକ୍ତର ଡେଥ୍’ଙ୍କ ପରଲୋକ, ତାଙ୍କ ମୃତଦେହର ହେବ ଏଭଳି ଅବସ୍ଥା

PAC-3 MSE ହେଉଛି ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଅତ୍ୟାଧୁନିକ ଇଣ୍ଟରସେପ୍ଟର, ଯାହା ବାଲିଷ୍ଟିକ୍ ମିସାଇଲ୍, କ୍ରୁଜ୍ ମିସାଇଲ୍ ଏବଂ ଯୁଦ୍ଧ ବିମାନକୁ ଧ୍ୱଂସ କରିବାରେ ସକ୍ଷମ। ବିଶ୍ୱରେ ବଢ଼ୁଥିବା ସୁରକ୍ଷା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଆମେରିକା ନିଜର ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ମଜବୁତ କରିବାକୁ ଏହି ପଦକ୍ଷେପ ନେଇଛି।