ନୂଆଦିଲ୍ଲୀ: ଇରାନରେ ଉତ୍ପାଦିକ ତୈଳ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଇଛି । ଏନେଇ ଇରାନର ଗଣମାଧ୍ୟମ ଦାବି କରିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଚାଲିଥିବା ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଦୀର୍ଘଦିନର ବିବାଦ ସାମାନ୍ୟ ଥଣ୍ଡ ପଡ଼ିଥିବା କୁହାଯାଉଛି । ଇରାନର ସରକାରୀ ଗଣମାଧ୍ୟମ ‘ତସନିମ୍ ନ୍ୟୁଜ୍’ (Tasnim News) ର ରିପୋର୍ଟ ଅନୁଯାୟୀ, ଆମେରିକା ଇରାନର ତୈଳ ସେକ୍ଟର ଉପରେ ଲଗାଯାଇଥିବା କଟକଣାକୁ କିଛି ସମୟ ପାଇଁ ହଟାଇବାକୁ ସହମତି ପ୍ରକାଶ କରିଛି।

ତୈଳ ରପ୍ତାନୀ ଉପରୁ କଟକଣା ହ୍ରାସ

ୱାଶିଂଟନ ଏବଂ ତେହେରାନ ମଧ୍ୟରେ ଚାଲିଥିବା ଆଲୋଚନାର ଏକ ନୂତନ ‘ଡ୍ରାଫ୍ଟ ଫ୍ରେମୱାର୍କ’ (Draft Framework) ପ୍ରସ୍ତୁତ କରାଯାଇଛି। ଏହି ପ୍ରସ୍ତାବ ଅନୁଯାୟୀ, ଆଲୋଚନା ପ୍ରକ୍ରିୟା ଜାରି ରହିଥିବା ସମୟରେ ଆମେରିକା ଇରାନର ତୈଳ ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଅସ୍ଥାୟୀ ଭାବେ ହଟାଇବ।

ସୂତ୍ର ଅନୁଯାୟୀ, ଆମେରିକା ଏଥର ଯେଉଁ ନୂଆ ପ୍ରସ୍ତାବ ପ୍ରସ୍ତୁତ କରିଛି, ତାହା ପୂର୍ବର ସମସ୍ତ ପ୍ରସ୍ତାବଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପୂର୍ବରୁ ଆମେରିକା ଚୁକ୍ତି ସ୍ୱାକ୍ଷର ପରେ କଟକଣା ହଟାଇବାକୁ କହୁଥିବା ବେଳେ, ଏବେ ଆଲୋଚନା ସମୟରେ ହିଁ ରିହାତି ଦେବାକୁ ରାଜି ହୋଇଛି।

ଆର୍ଥିକ ପ୍ରଭାବ

ଯଦି ଇରାନର ତୈଳ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଏ, ତେବେ ବିଶ୍ୱ ବଜାରକୁ ଅଧିକ ତୈଳ ଯୋଗାଣ ହେବ। ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିବାର ସମ୍ଭାବନା ରହିଛି, ଯାହା ଭାରତ ପରି ଆମଦାନୀକାରୀ ଦେଶଗୁଡ଼ିକ ପାଇଁ ଲାଭଦାୟକ ହୋଇପାରେ। ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତିକୁ ଏଡ଼ାଇବା ପାଇଁ ଆମେରିକା ଏକ ମାର୍ଗ ବାଛିବାକୁ ଚେଷ୍ଟା କରୁଛି।

ବିଶ୍ୱସ୍ତରରେ ଶକ୍ତି ସଙ୍କଟ (Energy Crisis) ଦେଖାଦେଇଥିବାରୁ ଇରାନର ତୈଳ ଉତ୍ପାଦନ ବୃଦ୍ଧି କରି ବଜାରକୁ ସନ୍ତୁଳିତ କରିବାକୁ ଆମେରିକା ଚାହୁଁଛି। ଡ୍ରପ୍ ସାଇଟ୍ ନ୍ୟୁଜ୍ ପୂର୍ବରୁ ଦେଇଥିବା ରିପୋର୍ଟ ପରେ ଆମେରିକା ଏବେ ଇରାନ ସହ ସମ୍ପର୍କ ସୁଧାରି ଅଞ୍ଚଳରେ ନିଜର ପ୍ରଭାବ ବଜାୟ ରଖିବାକୁ ଚେଷ୍ଟା କରୁଥିବା କୁହାଯାଉଛି।ଏହି ନୂତନ ପ୍ରସ୍ତାବ ଆମେରିକା-ଇରାନ ସମ୍ପର୍କରେ ଏକ ବଡ଼ ମୋଡ଼ ଆଣିପାରେ। ଯଦିଓ ଆମେରିକା ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ସୂଚନା ମିଳିନାହିଁ, କିନ୍ତୁ ଇରାନ ଗଣମାଧ୍ୟମର ଏହି ଦାବି ବିଶ୍ୱ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।