Price Hike: ଆମେରିକା ଇରାନ ମଧ୍ୟରେ ଜାରି ଯୁଦ୍ଧର ପ୍ରଭାବ ଦୁନିଆର ରୋଷେଇ ଉପରେ ଦେଖିବାକୁ ମିଳିଛି। ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ, ବିଶ୍ୱ ସ୍ତରରେ ଖାଦ୍ୟ ପଦାର୍ଥ ଦାମ୍ ଗତ ତିନି ବର୍ଷରେ ସବୁଠୁ ଅଧିକ ବଢ଼ିଛି। ସେହିଭଳି ଫୁଡ୍ ଆଣ୍ଡ୍ ଆଗ୍ରିକଲଚର ଅର୍ଗାନାଇଜେସନ (FAO) ପକ୍ଷରୁ ଶୁକ୍ରବାର ଜାରି ତଥ୍ୟ ଅନୁସାରେ, ଏପ୍ରିଲରେ ଫୁଡ୍ କମୋଡିଟି ପ୍ରାଇସ ଇଣ୍ଡେକ୍ସରେ ୧.୬% ବୃଦ୍ଧି ହୋଇଛି। ଯାହା ଗତ ବର୍ଷରୁ ୨.୫% ଅଧିକ ରହିଛି। ଖାଇବା ତେଲ, ମାଂସ ଏବଂ ଶସ୍ୟ ଆଦିର ଯୋଗାଣରେ ବାଧା ସୃଷ୍ଟି ହୋଇଥିବାରୁ ଏଭଲି ସ୍ଥିତି ସୃଷ୍ଟି ହୋଇଛି।

ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ବଢ଼ିଛି ଅଡ଼ୁଆ

ଇରାନ ଯୁଦ୍ଧ ୧୦ମ ସପ୍ତାହରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀ ଏବେ ବି ବନ୍ଦ ରହିଛି। ଏହି ମାର୍ଗରେ ଚାଷ ପାଇଁ ଆବଶ୍ୟକ ଡିଡେଲ ଏବଂ ସାର ଭଳି ସାମଗ୍ରୀ ଆମଦାନୀ ବନ୍ଦ ହୋଇଯାଇଛି। ଖାଦ୍ୟ ଏବଂ ଇନ୍ଧନ ମହଙ୍ଗା ହେବା ଯୋଗୁ ଚାଷୀଙ୍କ ପାଇଁ ଚାଷ କରିବା ମହଙ୍ଗା ହୋଇଯାଇଛି। ଯାହାର ସିଧା ପ୍ରଭାବ ଆସନ୍ତା ସମୟରେ ଖାଦ୍ୟ- ପାନୀୟ ଭଳି ଜିନିଷ ଉପରେ ପଡ଼ିବ। ଦୁନିଆର ୨୦% ତେଲ ଏବଂ ଗ୍ୟାସ ଯୋଗାଣ ମଧ୍ୟ ଏହି ରାସ୍ତାରେ ହୋଇଥାଏ। ପ୍ରତିଦିନ ପ୍ରାୟ ୨ କୋଟି ବ୍ୟାରେଲ ତେଲ ଏବଂ ହାରାହାରି ୧୫୩ ଜାହାଜ ଏହି ମାର୍ଗ ଦେଇ ଯାଇଥାନ୍ତି। ବର୍ତ୍ତମାନ ଏସବୁ ବନ୍ଦ ରହିବାରୁ ଇନ୍ଧନ ସଂକଟ ଉତ୍କଟ ହେଲାଣି।

ଖାଇବା ତେଲ ଏବଂ ମାଂସ ଦାମରେ ସବୁଠୁ ଅଧିକ ବଢ଼ିଛି

ରିପୋର୍ଟ ଅନୁସାରେ, ସବୁଠୁ ଅଧିକ ପ୍ରଭାବ ବନସ୍ପତି ତେଲ ଉପରେ ପଡ଼ିଛି। ଅଶୋଧିତ ତେଲ ଦାମ ବଢ଼ିବା ଯୋଗୁ ବାୟୋ- ଫୁଏଲର ଚାହିଦା ବଢ଼ିଛି। ଫଳରେ ଖାଇବା ତେଲ ଇଣ୍ଡେକ୍ସ ମାର୍ଚ୍ଚ ତୁଳନାରେ ୫.୯% ବଢ଼ିଛି। ଏହା ୨୦୨୨ ଜୁଲାଇ ପରେ ସବୁଠୁ ଉଚ୍ଚତମ ସ୍ତର। ସେହିଭଳି ମିଟ୍ ଇଣ୍ଡେକ୍ସରେ ୧.୨% ବୃଦ୍ଧି ହୋଇଛି। ଯାହା ଏପର୍ଯ୍ୟନ୍ତ ଅଲଟାଇମ ରେକର୍ଡ। ଶସ୍ୟ ଦାମରେ ମଧ୍ୟ ୦.୮% ବୃଦ୍ଧି ଦେଖିବାକୁ ମିଳିଛି।

Also Read- ଟମାଟୋ, ଖାଦ୍ୟ ତୈଳ ଓ LPG ବିଗାଡିଲା ସ୍ୱାଦ, ଦେଶରେ ମହଙ୍ଗା ହେଲା ନିରାମିଷ ଓ ଆମିଷ ଥାଳି

କମ୍ପାନି ବିକୁଛନ୍ତି ପୁରୁଣା ଷ୍ଟକ,ଆଗକୁ ଆହୁରି ବଢ଼ିବ ଦରବୃଦ୍ଧି

FAO ର ଚିଫ୍ ଇକୋନୋମିଷ୍ଟ ମ୍ୟାକ୍ସିମୋ ଟୋରେରୋ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆଗ୍ରି- ଫୁଡ୍ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଏଥିପାଇଁ ଦରବୃଦ୍ଧି ହୋଇନି କାରଣ କମ୍ପାନଙ୍କ ପାଖରେ ପୁରୁଣା ଷ୍ଟକ ରହିଛି। ସେ କହିଛନ୍ତି କଞ୍ଚାମାଲ ଏବଂ ଏନର୍ଜିର ବଢ଼ୁଥିବା ଖର୍ଚ୍ଚ କମ୍ପାନିଙ୍କ ଖାତାରେ ପହଞ୍ଚିବା ମାତ୍ରୋ, ଉପଭୋକ୍ତାଙ୍କ ଉପରେ ମଧ୍ୟ ତାହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ଯଦି ଏହି ଚାପ ୯୦ ଦିନରୁ ଅଧିକ ରହିବ, ତେବେ ୨୦୨୬ ଶେଷ ଏବଂ ୨୦୨୭ରେ ବିଶ୍ୱ ଖାଦ୍ୟ ସଙ୍କଟର ସମ୍ଭାବନା ଅନେକ ବଢ଼ିଯିବ।

ଅମଳ କମିବା ନେଇ ଆଶଙ୍କା

ଖରାପ ପାଣିପାଗ ଏବଂ ୨୦୨୬ରେ ଗହମ ଚାଷ କମ୍ ହେବା ଖବର ମଧ୍ୟ ଶସ୍ୟ ଦାମ୍ ବଢ଼ାଇଛି। ସାରର ବଢ଼ୁଥିବା ଦାମ ଯୋଗୁ ଚାଷୀ ଏବେ ଏଭଳି ଫସଲ ଅମଳ ପାଇଁ ବିଚାର କରୁଛନ୍ତି। ଯେଉଁଥିରେ ସାରର ବ୍ୟବହାର କମ୍ ହୋଇଥାଏ। ବିଶେଷଜ୍ଞଙ୍କ ମତରେ କମୋଡିଟି ମାର୍କେଟରେ ଆସିଥିବା ଏହି ତୀବ୍ରତାର ପ୍ରଭାବ ରିଟେଲ ମାର୍କେଟ ପର୍ଯ୍ୟନ୍ତ ପହଞ୍ଚିବାରେ କିଛି ସମୟ ଲାଗିବ କିନ୍ତୁ ଖାଦ୍ୟ ଦାମ୍ ବଢ଼ିବା ନିଶ୍ଚିତ।

୨୦ ଜରୁରୀ ସାମଗ୍ରୀ ମଧ୍ୟରୁ ୧୬ ଦାମ୍ ୩୬% ପର୍ଯ୍ୟନ୍ତ ବଢ଼ିଲାଣି

ବ୍ୟାଙ୍କ୍ ଅଫ୍ ବରୋଦାର ‘ଏସେନ୍ସିଆଲ କମୋଡିଟି ଇଣ୍ଡେକ୍ସ’ ଅନୁସାରେ, ଭାରତରେ ଏପ୍ରିଲ ମାସରେ ଦରବୃଦ୍ଧି ସୂଚକାଙ୍କ ବାର୍ଷିକ ୧.୧% ଏବଂ ମାସିକ ଆଧାରରେ ୦.୩% ବଢ଼ିଛି। ଏହା ୨୦୨୫ ଅଗଷ୍ଟ ପରେ ସବୁଠୁ ତୀବ୍ର ମାସିକ ବୃଦ୍ଧି । ଗତ ମାସରେ ୨୦ଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟରୁ ୧୬ର ଦାମ୍ ବଢ଼ିଛି। ଖାଇବା ତେଲ, ଟମାଟୋ ଏବଂ ଅନ୍ୟ ଜରୁରୀ ଆବଶ୍ୟକ ଜିନିଷର ଦାମରେ ୩୬% ପର୍ଯ୍ୟନ୍ତ ବୃଦ୍ଧି ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪% ପର୍ଯ୍ୟନ୍ତ ବଢ଼ିଛି। ଆସନ୍ତା ମାସରେ ଦରବୃଦ୍ଧି ଆହୁରି ବଢ଼ିବା ନେଇ ଭୟ ଲାଗି ରହିଛି। କାରଣ ମେ ମାସରେ ଦାମ୍ ବଢ଼ିଥାଏ।

ଭାରତ ଉପରେ ପ୍ରଭାବ

ଅଶୋଧିତ ତେଲ ମହଙ୍ଗା ହେବା କାରଣରୁ ଏହାର ସିଧା ପ୍ରଭାବ ପରିବହନ, ପ୍ୟାକେଜିଂ ଏବଂ କେମିକାଲ୍ସ ଉପରେ ପଡ଼ିଥାଏ। ଯଦି ଏହି ତିକ୍ତତା ଅଧିକ ଦିନ ଲାଗି ରହେ, ତେବେ ପେଟ୍ରୋଲ- ଡିଜେଲର ଦାମ ବଢ଼ିପାରେ। ଏହାଦ୍ବାରା ଏଫଏମସିଜିର ମ୍ୟାନୁଫ୍ୟାକଚରିଂ ଏବଂ ମାଲ ପରିବହନ ଖର୍ଚ୍ଚ ବଢ଼ିଯିବ।

ବିଶେଷଜ୍ଞଙ୍କ ମତରେ ଯଦି ମୌସୁମୀ ହାରାହାରି ଠାରୁ କମ୍ ରହେ କିମ୍ବା ବିଶ୍ବ ସଙ୍କଟ ଯଥାଶୀଘ୍ର ନ ସୁଧୁରିବ ତେବେ ଘରରେ ମାସିକ ବିଲ୍ ଉପରେ ଏହାର ଚାପ ପଡ଼ିବ।

ଏଫଏମସିଜି ସେକ୍ଟରର ବଡ଼ କମ୍ପାନି ଡାବର ଇଣ୍ଡିଆ ଏହାର ଉତ୍ପାଦର ଦାମ ବଢ଼ାଇବା ନେଇ ସଙ୍କେତ ଦେଇଛି। କମ୍ପାନିର କହିବା ଅନୁସାରେ ପ୍ୟାକେଜିଂ ମ୍ୟାଟେରିଆଲର ବଢ଼ୁଥିବା ଦାମ୍ ଏବଂ ମଧ୍ୟପ୍ରାଚ୍ୟରେ ତିକ୍ତତା କାରଣରୁ ଇନପୁଟ୍ କଷ୍ଟ୍ ବଢ଼ିଛି। ଡାବର ବ୍ୟତୀତ ହିନ୍ଦୁସ୍ତାନ ୟୁନିଲିଭର ଏବଂ ନେସଲେ ଭଳି କମ୍ପାନିମାନେ ମଧ୍ୟ ଦରବୃଦ୍ଧି ଚାପର ସାମ୍ନା କରୁଛନ୍ତି। ଏମିତିରେ ଏହା ଘରର ବଜେଟ ବଢ଼ାଇବା ନେଇ ସମ୍ଭାବନା ବଢ଼ିଛି। କାରଣ ସାବୁନ, ତେଲ, ବିସ୍କୁଟ ଭଳି ନ୍ଦୈନନ୍ଦିନ ସାମଗ୍ରୀ ମହଙ୍ଗା ହୋଇପାରେ।

Also Read- ହର୍ମୁଜରୁ ଟୋଲ ଅସୁଲ କରିବ ଇରାନ, ଗଠିତ ହେଲା ଏଜେନ୍ସୀ, ଚୀନ୍ ମୁଦ୍ରାରେ ନେବ ଟ୍ୟାକ୍ସ

ଚଳିତ ମାସ ୧୫ ତାରିଖ ପୂର୍ବରୁ ବଢ଼ିପାରେ ପେଟ୍ରୋଲ ଡିଜେଲ ଦାମ୍

ଏହାରି ମଧ୍ୟରେ ଖବର ଆସିଛି ଯେ, ଚଳିତମାସ ୧୫ ତାରିଖ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବ। ଯଦି ସରକାର ଅନୁମତି ପ୍ରଦାନ କରନ୍ତି ତା’ ହେଲେ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪ରୁ ୫ ଟଙ୍କା ବଢ଼ାଇପାରନ୍ତି। ଏଥିସହ ଘରୋଇ ଏଲପିଜି ଦର ମଧ୍ୟ ସିଲିଣ୍ଡର ପିଛା ୪୦ରୁ ୫୦ ଟଙ୍କା ବୃଦ୍ଧି ପାଇପାରେ। କୁହାଯାଇଛି ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକର ପେଟ୍ରୋଲ ଓ ଡିଜେଲ ବିକ୍ରିଜନିତ କ୍ଷତି ବଢ଼ିଯାଇଛି।

ଉଭୟ ସରକାର ଏବଂ ତେଲ କମ୍ପାନି ପେଟ୍ରୋଲରେ ଲିଟର ପିଛା ୨୪ ଟଙ୍କା ଏବଂ ଡିଜେଲରେ ୩୦ ଟଙ୍କା କ୍ଷତି ସହୁଥିବା ଆକଳନ କରାଯାଉଛି। ଏମିତିରେ ୩ଟି ଯାକ ରାଷ୍ଟ୍ରାୟତ୍ତ ତେଲ କମ୍ପାନଙ୍କ ମାସିକ କ୍ଷତି ୩୦ ହଜାର କୋଟି ଟଙ୍କା ପାଖାପାଖି ରହିଛି। ଯୁଦ୍ଧ ପୂର୍ବରୁ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ତଳେ ଥିଲାବେଳେ ନିକଟରେ ଏହା ବ୍ୟାରେଲ ପିଛା ୧୨୬ ଡଲାର ସ୍ତରକୁ ବଢ଼ିଯାଇଥିଲା। ଅବଶ୍ୟ ଏବେ ଏହା ୧୦୧ ଡଲାର ସ୍ତରରେ ରହିଛି।

ଏହା ପୂର୍ବରୁ ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଜଣେ ଅଧିକାରୀ କହିଛନ୍ତି ସରକାରଙ୍କୁ ପେଟ୍ରୋଲ ଦର ନିଶ୍ଚୟ ବଢ଼ାଇବାକୁ ପଡ଼ିବ। କାରଣ ଏଭଳି ଉଚ୍ଚସ୍ତରରେ ଅଶୋଧିତ ତେଲ ରହିଲେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ସରକାର ବେଶି ଦିନ ଅଟକାଇ ପାରିବେ ନାହିଁ। ସରକାରଙ୍କ ପାଖରେ ଆର୍ଥିକ ପ୍ରତିବନ୍ଧକ ରହିଛି ବୋଲି ଆଇଏମଏଫର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନିର୍ଦ୍ଦେଶକ କ୍ରିଷ୍ଣା ଶ୍ରୀନିବାସନ କହିଛନ୍ତି।

ସେ କହିଛନ୍ତି ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ କମ୍ କରିଛନ୍ତି। ସାର ଉପରେ ସବସିଡି ଦେଉଛନ୍ତି। କିନ୍ତୁ ତାହା କିଛି ଦିନ ଚାଲିପାରିବ। କିନ୍ତୁ ଅଧିକ ଦିନ ଚାଲିବା ପାଇଁ ଆର୍ଥିକ ବ୍ୟବସ୍ଥା ନାହିଁ। ଆଗକୁ ଏମିତି ଦିନ ଆସିବ ସରକାରଙ୍କୁ ନିଶ୍ଚିତ ରୂପେ ଦରବୃଦ୍ଧି ପାଇଁ ଅନୁମତି ଦେବାକୁ ହେବ। ଭାରତ ପାଇଁ ଏହି ନୀତି ପ୍ରଯୁଜ୍ୟ ବୋଲି ସେ କହିଛନ୍ତି।

ତେବେ ଆର୍ଥିକ ପ୍ରତିବନ୍ଧକ ପାଇଁ ତେଲ ଦର ବଢ଼ାଇବାକୁ ପଡ଼ିବ ବୋଲି ଆଇଏମଏଫ ଅଧିକାରୀଙ୍କ ଯୁକ୍ତିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ପୁନମ ଗୁପ୍ତା ଖାରଜ କରିଛନ୍ତି।