ନୂଆଦିଲ୍ଲୀ: ଏକ ସିପିଂଜର୍ଣ୍ଣାଲ ଅନୁସାରେ ହର୍ମୁଜ ପ୍ରଣାଳୀରେ ଜାହାଜଙ୍କୁ ଯାତାୟାତ ଅନୁମତି ଦେବା ପାଇଁ ଓ ସେମାନଙ୍କ ଠାରୁ ଟୋଲ ଅସୁଲ ନିମନ୍ତେ ଇରାନ ଏକ ପ୍ରାଧିକରଣ ଗଠନ କରିଛି। ସିପିଂ ଓ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କିତ ଖବର ଓ ସୂଚନା ପ୍ରଦାନ କରୁଥିବା ଉଦ୍ୟୋଗ ପତ୍ରିକା ‘ଲୟଡସ ଲିଷ୍ଟ’ କହିଛି ଯେ ପାରସ୍ୟ ଉପସାଗର ପ୍ରଣାଳୀ ମଧ୍ୟ ପ୍ରାଧିକରଣ ଏକ ନୂଆ ଢାଞ୍ଚା ପେସ୍ କରିଛି, ଏଥିରେ ଜାହାଜଙ୍କୁ ଟ୍ରାଞ୍ଜିଟ ଅଥରାଇଜେସନ ପ୍ରାପ୍ତ କରିବା ଓ ଯିବା ପୂର୍ବରୁ ଟୋଲ ପୈଠ କରିବା ବାଧ୍ୟତାମୂଳକ କରାଯାଇଛି।

ଇ-ମେଲରେ ପଠା ଯାଉଛି ନିୟମ
ପ୍ରାଧିକରଣ ଦ୍ୱାରା ପଠା ଯାଉଥିବା ଫର୍ମର ଉଦାହରଣ ଦେଇ ଏଥିରେ କୁହାଯାଇଛି ଯେ ଜାହାଜର ମାଲିକାନା, ବୀମା, ଚାଳକ ଦଳଙ୍କ ବିବରଣୀ ଓ ଯେଉଁ ମାର୍ଗରେ ଯିବେ ତାର ବିସ୍ତୃତ ରେକର୍ଡ ପ୍ରସ୍ତୁତ କରିବା ଆବଶ୍ୟକ। ଏହି ଫର୍ମ ଇ-ମେଲ ଦ୍ୱାରା ଆଦାନ ପ୍ରଦାନ ହେବ। ଏହା ଏପରି ସମୟରେ ହେବାକୁ ଯାଉଛି ଯେତେବେଳେ ଇରାନ ହର୍ମୁଜ ଷ୍ଟ୍ରେଟ୍ ରେ ଏକ ନୂଆ ବ୍ୟବସ୍ଥା ସ୍ଥାପନ କରିବାକୁ ଚାହୁଁଥିବା ଓ ଏଥିରେ ଶୁଳ୍କ ଆଦାୟ କରିବା ସହ ଏଥିରୁ ପ୍ରାପ୍ତ ରାଜସ୍ୱକୁ ଓମାନ ସହ ବାଣ୍ଟିବ ବୋଲି କହିଛି।

ଚୀନ୍ ମୁଦ୍ରାରେ ନେବ ଟୋଲ ଟ୍ୟାକ୍ସ
ଯଦି ଇରାନ ହର୍ମୁଜରେ ଟାରିଫ ଲାଗୁ କରେ ତେବେ ବାର୍ଷିକ ୪୦ରୁ ୫୦ ବିଲିୟନ ଆମେରିକୀୟ ଡଲାର ଆୟ କରିବ। ଏହା ଦ୍ୱାରା ଇରାନ ଉପରେ ଜାରି ଆମେରିକୀୟ କଟକଣାକୁ ହ୍ରାସ କରାଯାଇ ପାରିବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯାହା ତାହା ହେଉଛି ଏହି ଶୁଳ୍କ ଚୀନ୍ ମୁଦ୍ରା ୟୁଆନରେ ଅସୁଲ କରାଯିବ। ଏହା ଦ୍ୱାରା ଇରାନ ଓ ଚୀନ୍ ମଧ୍ୟରେ ଆର୍ଥିକ ସମ୍ପର୍କ ମଜଭୁତ ହେବା ସହ ଆଞ୍ଚଳିକ ତଥା ବୈଶ୍ୱିକ ଶକ୍ତି ସନ୍ତୁଳନରେ ପରିବର୍ତ୍ତନ ଆସି ପାରିବ।

ଚୀନ୍, ଭାରତ ଓ ଜାପାନ ପୂର୍ବରୁ ଦେଉଛନ୍ତି ଶୁଳ୍କ
ରିପୋର୍ଟ ଅନୁସାରେ ଚୀନ୍, ଭାରତ ଓ ଜାପାନରୁ ଯାଉଥିବା ଜାହାଜ ପୂର୍ବରୁ ଏହି ପ୍ରକ୍ରିୟାରେ ପୈଠ କରିଆସୁଛନ୍ତି। ଏବେ ଇରାନ ସଂସଦ ଏହି ପ୍ରକ୍ରିୟାକୁ ଔପଚାରିକ କରିବାକୁ କାମ କରୁଛି। ଇରାନ ଏବେ କ୍ରିପ୍ଟୋ କରେନ୍ସୀରେ ମଧ୍ୟ ପୈଠ ସ୍ୱୀକାର କରିବା ଆରମ୍ଭ କରିଛି। ଯଦି ଇରାନ ଏହି ଶୁଳ୍କ ଆଦାୟ ଜାରି ରଖେ ତେବେ ଆଞ୍ଚଳିକ ପ୍ରଭାବ ଆମେରିକାରୁ ହଟି ଚୀନ୍ ଓ ଏସିୟା ଆଡକୁ ସ୍ଥାନାନ୍ତରିତ ହୋଇପାରେ। ଏହା ଦ୍ୱାରା ବୈଶ୍ୱିକ ତୈଳ କାରବାରରେ ଆମେରିକୀୟ ଡଲାର (ପେଟ୍ରୋ ଡଲାର)ର ଐତିହାସିକ ଶ୍ରେଷ୍ଠତା ଦୁର୍ବଳ ହୋଇପାରେ।

୧୯୭୦ରେ ଆରମ୍ଭ ହୋଇଥିଲା ପେଟ୍ରୋ ଡଲାର ବ୍ୟବସ୍ଥା
ପେଟ୍ରୋଡଲାର ବ୍ୟବସ୍ଥା ୧୯୭୦ରେ ଆରମ୍ଭ ହୋଇଥିଲା। ସାଉଦୀ ଆରବକୁ ସୈନ୍ୟ ସହାୟତା ବଦଳେ ଆମେରିକା କେବଳ ତୈଳ ମୂଲ୍ୟ ଆମେରିକୀୟ ଡଲାରରେ ଆଙ୍କିବାକୁ କହିଥିଲା। ଧିରେ ଧିରେ ଏହି ବ୍ୟବସ୍ଥା ଓପେକ୍ ଦେଶରେ ବ୍ୟାପିଥିଲା ଓ ଡଲାର ବୈଶ୍ୱିକ ତୈଳ ବ୍ୟବସାୟର ମାନକ ବନି ଯାଇଥିଲା। ଫଳରେ ଆମେରିକୀୟ ଡଲାର ବୈଶ୍ୱିକ ରିଜର୍ଭ ମୁଦ୍ରାରେ ପରିଣତ ହୋଇଥିଲା। ଏଣୁ ଆମେରିକାର ଆର୍ଥିକ ଓ ରାଜନୈତିକ ଶକ୍ତି ଦୃଢ ହୋଇଥିଲା। ଏହା ଦ୍ୱାରା ତୈଳ ରପ୍ତାନୀକାରୀ ଦେଶଙ୍କ ନିକଟରେ ବିପୁଳ ଆମେରିକୀୟ ଡଲାର ଜମା ହୋଇଥିଲା, ଯାହାକୁ ସେମାନେ ଆମେରିକାରେ ପ୍ରତିଭୂତି ଓ ବୈଶ୍ୱିକ ନିବେଶରେ ଲଗାଇଥିଲେ। ଏଣୁ ଆମେରିକାର ନିଅଣ୍ଟିଆ ଆର୍ଥିକ ପରିସ୍ଥିତିରେ ସୁଧାର ଆସିଥିଲା।