କୋଲକାତା: ପଶ୍ଚିମବଙ୍ଗର ପାଇଁ ଶନିବାର ସତେ ଯେପରି ଶୁଭ ଏବଂ ଉତ୍ସବର ଦିନ। କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ବିଜେପି ସରକାରଙ୍କ ମହାନ ଶପଥ ଗ୍ରହଣ ସମାରୋହ। ଏଥିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଚ ଉପରେ ପହଞ୍ଚିବା ମାତ୍ରେ ପ୍ରଥମେ ଜଣେ ବୃଦ୍ଧଙ୍କୁ ଆଲିଙ୍ଗନ କରିଥିଲେ। ତା'ପରେ ତାଙ୍କ ପାଦ ଛୁଇଁଥିଲେ। ତା'ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ନେହରେ ଆଲିଙ୍ଗନ କରିଥିଲେ। ଏହି ସମୟରେ ବୃଦ୍ଧଙ୍କ ଆଖି ଓଦା ହୋଇଗଲା। ସେଠାରେ ଉପସ୍ଥିତ ନେତାଙ୍କ ଆଖି ବି ଛଳଛଳ ହୋଇଗଲା ଏହି ଦୃଶ୍ୟ ଏବେ ଖବରର ଶିରୋନାମା ପାଲଟିଗଲା। ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି କାହାକୁ ଆଲିଙ୍ଗନ କରିଥିଲେ, ଏବେ ସମସ୍ତଙ୍କ ମନରେ ସେଇ ଗୋଟେ ପ୍ରଶ୍ନ।

ପ୍ରଧାନମନ୍ତ୍ରୀ ମଞ୍ଚ ଉପରେ ପଶ୍ଚିମବଙ୍ଗରେ ବିଜେପିର ସବୁଠାରୁ ବରିଷ୍ଠ କର୍ମୀଙ୍କ ମଧ୍ୟରୁ ଜଣେ ମାଖନଲାଲ ସରକାରଙ୍କ ଆଶୀର୍ବାଦ ଲୋଡ଼ିଥିବା ଜଣାପଡ଼ିଛି। ୯୮ ବର୍ଷୀୟ ମାଖନଲାଲ ସରକାରଙ୍କୁ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଜାତୀୟତାବାଦୀ ଆନ୍ଦୋଳନରେ ସାମିଲ ଥିବା ପ୍ରାରମ୍ଭିକ ତୃଣମୂଳସ୍ତରର କର୍ମୀଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।

୧୯୫୨ ମସିହାରେ ସେ କାଶ୍ମୀରରେ ତ୍ରିରଙ୍ଗା ଉତ୍ତୋଳନ ଆନ୍ଦୋଳନରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହିତ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ୧୯୮୦ ମସିହାରେ ବିଜେପି ଗଠନ ହେବା ପରେ, ତାଙ୍କୁ ପଶ୍ଚିମ ଦିନାଜପୁର, ଜଳପାଇଗୁଡ଼ି ଏବଂ ଦାର୍ଜିଲିଂ ଜିଲ୍ଲା ପାଇଁ ସଂଗଠନ ସଂଯୋଜକ ନିଯୁକ୍ତ କରାଯାଇଥିଲା। ମାତ୍ର ଗୋଟିଏ ବର୍ଷ ମଧ୍ୟରେ, ସେ ଦଳରେ ପ୍ରାୟ ୧୦ ହଜାର ନୂଆ ସଦସ୍ୟଙ୍କୁ ଯୋଡିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୯୮୧ ମସିହାରୁ ସେ ଲଗାତାର ସାତ ବର୍ଷ ପାଇଁ ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରିଥିଲେ। ଏହାକୁ ସେତେବେଳେ ଏକ ଅସାଧାରଣ ସଫଳତା ବୋଲି ବିବେଚନା କରାଯାଉଥିଲା, କାରଣ ବିଜେପି ନେତାମାନେ ସାଧାରଣତଃ ଦୁଇ ବର୍ଷରୁ ଅଧିକ ସମୟ ପାଇଁ କୌଣସି ସାଂଗଠନିକ ପଦବୀରେ ନଥିଲେ। ଏଭଳି ଭେଟେରାନ ନେତାଙ୍କୁ ମଞ୍ଚରେ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।