ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୧୦ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପୂର୍ବରୁ GFS ଅନୁଯାୟୀ ଲଘୁଚାପ ଆକଳନ କରୁଥିବା ବେଳେ ପରେ ECMWF ମଡେଲ ଅନୁମାନ କରିଥିଲା।

ଆସନ୍ତା ୧୨ ସୁଦ୍ଧା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି IMD। ହେଲେ Cyclogenesis ଅର୍ଥାତ ଅବପାତ ସୃଷ୍ଟି ସମ୍ଭାବନା କମ।

ଏହା କେଉଁ ଆଡକୁ ଗତି କରିବ ତାହା ଏବେ ବି ଅସ୍ପଷ୍ଟ। ତଥାପି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାନେଇ ଅନୁମାନ କରାଯାଉଛି। ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରାପ୍ ଲାଇନ୍ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି। ମାତ୍ର ୧୧ ତାରିଖ ବେଳକୁ ଏହି ଟ୍ରାପ୍ ଲାଇନ୍ ଦୁର୍ବଳ ହେଲେ ଏହାପରେ ଲଘୁଚାପ କ୍ଷେତ୍ରଟି କେଉଁ ଦିଗକୁ ଯିବ ତାହା ସ୍ପଷ୍ଟ ହେବ।

ପ୍ରଫେସର ପଶୁପାଳକ କହିଛନ୍ତି, ସମୁଦ୍ର ପୃଷ୍ଠର ତାପମାତ୍ରା ପୂର୍ବାପେକ୍ଷା ୧ ଡିଗ୍ରୀ ବଢ଼ି ୩୦- ୩୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ । ସେହିପରି ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପୂର୍ବରୁ ପବନର ଗତି ୪୬ କିମିରୁ ୫୫ କିମି ଥିଲା । ଏହାର ବେଗ ହ୍ରାସ ପାଇ ଘଣ୍ଟା ପ୍ରତି ୩୭ କିମି ରହିଛି । ଏହା କମିବା ଦ୍ୱାରା ଲଘ ଘନୀଭୂତ ହେବାକୁ ଅନୁକୂଳ ହେବ ।