ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ରାହୁଲ ଏକ ଭିଡିଓ ପୋଷ୍ଟ କରିଥିବା ବେଳେ ‘ଭବିଷ୍ୟତରେ କେବଳ କଂଗ୍ରେସ ହିଁ ଦେଶକୁ ନରେନ୍ଦ୍ର ମୋଦି ଓ ବିଜେପି ହାତରୁ ମୁକ୍ତ କରିପାରିବ’ ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ରାହୁଲ କହିଛନ୍ତି ଯେ ଏହାକୁ ‘ଲେଖିକି ରଖ’। କୌଣସି ଅନ୍ୟ ପାର୍ଟି ଦେଶରେ ବିଜେପିକୁ ହରାଇ ନପାରେ। କେବଳ କଂଗ୍ରେସ ପାର୍ଟି ହିଁ ବିଜେପି ଓ ନରେନ୍ଦ୍ର ମୋଜିଙ୍କୁ ହରାଇ ପାରିବ।

ପୋଷ୍ଟ ରେ ସଂଯୁକ୍ତ କରିଥିବା ଭିଡିଓରେ ରାହୁଲ କହିଛନ୍ତି ଯେ ଭାରତରେ ବିଚାରଧାରାର ସଂଘର୍ଷ ଚାଲିଛି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ କେବଳ କଂଗ୍ରେସ ପାର୍ଟି ହିଁ ଭଲପାଇବା ଓ ଏକତାର କଥା କହୁଛି ଏହାର ଓଲଟା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍) ଘୃଣା ଓ ବିଭାଜନର ପ୍ରଚାର କରୁଛି। ଏହା ବିଚାରଧାରାର ଲଢେଇ ଓ ଏହାକୁ ଦେଶରେ କେବଳ ଦୁଇଟି ରାଜନୈତିକ ଦଳ ପରସ୍ପର ମଧ୍ୟରେ ଲଢୁଛନ୍ତି। ରାହୁଲ କହିଛନ୍ତି ଯେ ଆପଣମାନେ ଦେଖିବେ କୌଣସି ଅନ୍ୟ ପାର୍ଟି ସେମାନଙ୍କ ସାମ୍ନା କରିପାରିବେ ନାହିଁ। କେବଳ କଂଗ୍ରେସ ହିଁ ସେମାନଙ୍କୁ ହରାଇବ। ବିଜେପି କଂଗ୍ରେସ ଠାରୁ ହିଁ ହାରିବ ବୋଲି ରାହୁଲ ଭିଡିଓରେ ଦାବି କରିଛନ୍ତି।

ଏହା ଛଡା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିସ୍ଫୋରକ ଆରୋପ ଲଗାଇଛନ୍ତି। କହିଛନ୍ତି ଯେ ଆମେରିକାରେ ଥିବା ସମ୍ବେଦନଶୀଳ ସୂଚନା କାରଣରୁ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ସ୍ୱାୟତତା ସହିତ ବୁଝାମଣା କରାଯାଉଛି। ରାହୁଲ ଦାବି କରିଛନ୍ତି ଯେ ଜେଫରୀ ଏପଷ୍ଟିନ ସମ୍ପର୍କିତ ୩୫ ଲକ୍ଷ ଫାଇଲ ଏବେ ଆମେରିକାରେ ଅଛି, ଯେଉଁଥିରେ ପ୍ରାଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସୂଚନା ରହିଛି। ଏଣୁ ଏବେ ଯଦି ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ଡେଇଁବାକୁ କହିବେ ସେ ଡେଇଁଯିବେ ବୋଲି ରାହୁଲ କହିଛନ୍ତି।

ରାହୁଲ କହିଛନ୍ତି ଯେ ଏପଷ୍ଟିନ ଫାଇଲରେ ମୋଦିଙ୍କ ପୁରା ଚରିତ୍ର ଓ ଇତିହାସ ରହିଛି। ଏଣୁ ଟ୍ରମ୍ପ ସୋସିଆଲ ମିଡିଆରେ ଖୋଲାଖୋଲି କହୁଛନ୍ତି ସେ ନରେନ୍ଦ୍ର ମୋଦିଙ୍କ କ୍ୟାରିୟରୁ ୧ ମିନିଟ୍ ରେ ସମାପ୍ତ କରିଦେଇ ପାରିବେ। ଯଦି ଆପଣ ପ୍ରମାଣ ଚାହୁଁଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ଶାସନ ବାହ୍ୟ ନିୟନ୍ତ୍ରଣରେ ଅଛି ତେବେ ମୁଁ ଏବେ ହିଁ ପ୍ରମାଣ ଦେଉଛି। କିଛି ସମୟ ପୂର୍ବରୁ ଆମେରିକା-ଭାରତ ବୁଝାମଣା ହୋଇଥିଲା। କୌଣସି ପ୍ରଧାନମନ୍ତ୍ରୀ ଏପରି ବୁଝାମଣା କରିପାରିନଥାନ୍ତେ। ଏହା ଆମେରିକା ଚାପରେ ହୋଇଛି। ଏହାର ସବୁଠୁ ବଡ଼ କାରଣ ଏପଷ୍ଟିନ ବୋଲି ରାହୁଲ କହିଛନ୍ତି।