ଭୁବନେଶ୍ୱର: ବଢ଼ିଛି ବାତ୍ୟା ଆଶଙ୍କା। ଦକ୍ଷିଣ ଆଣ୍ଡମାନ ସାଗର ଓ ତା ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ। ଆସନ୍ତା ୧୨ ତାରିଖ ବେଳକୁ ଲଘୁଚାପର ରୂପ ନେବ। କିନ୍ତୁ ଏହାର ଦିଗ ବଙ୍ଗୋପସାଗର ପଟକୁ ହେବ କି ତାହା ସ୍ପଷ୍ଟ ନାହିଁ। ବର୍ତ୍ତମାନ ଏହାର ଦିଗ ତାମିଲନାଡୁ ପଟକୁ ରହୁଥିବା ପୂର୍ବାନୁମାନ କରାଯାଇଛି। ଏହା ପ୍ରଭାବରେ ରାଜ୍ୟରେ ତାତି ବଢିବ। ୧୩ରୁ ପାରଦ ବଢିବାକୁ ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଦକ୍ଷିଣ ଆଣ୍ଡମାନ ସାଗରରେ ଘୁର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ୧୨ ତାରିଖ ସୁଦ୍ଧା ଲଘୁଚାପ ଓ ପରେ ଗଭୀର ଅବପାତ ହେବ । ଏହା ଆହୁରି ଘନିଭୁତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା କହିଛନ୍ତି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। କିନ୍ତୁ ଏହାର ପ୍ରଭାବ ବର୍ତ୍ତମାନ ତାମିଲନାଡୁ ଉପକୂଳ ପଟକୁ ଦେଖାଉଥିବା ସେ କହିଛନ୍ତି। ବାତ୍ୟା ରୂପ ନେଲେ ମଧ୍ୟ ଏତେ ତୀବ୍ର ରୂପ ନେବ ନାହିଁ ବୋଲି ସେ କହିଛନ୍ତି ।

ଏପଟେ ରାଜ୍ୟରେ ଏକ ଟ୍ରାପ ଲାଇନ ଥିବାରୁ ଏହା ପ୍ରଭାବରେ ଦକ୍ଷିଣ ଆଣ୍ଡମାନ ସାଗରରେ ଥିବା ଘୁର୍ଣ୍ଣିବଳୟ ବଙ୍ଗୋପସାଗର ପଟକୁ ଆସିବିକି ନାହିଁ ସ୍ପଷ୍ଟ ଚିତ୍ର ଦେଉ ନଥିବା ସେ କହିଛନ୍ତି। ୧୩ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ । ଏହି ଦୁଇଟି ସିଷ୍ଟମ ମିଶିଥିବାରୁ କାଳବୈଶାଖୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯେତିକି ମାତ୍ରରେ ଘଡଘଡି ସହ ବର୍ଷା ହେବା କଥା ସେତିକି ହଉ ନାହିଁ।

ଦକ୍ଷିଣ ଆଣ୍ଡମାନ ସାଗର ରେ ଥିବା ଏହି ସିଷ୍ଟମ ଯୋଗୁଁ ରାଜ୍ୟରେ ପାରଦ ବଢିବ। ୧୩ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୧୪ ଓ ୧୫ ତାରିଖରେ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ହେବା ସମ୍ଭାବନା ରହିଛି। ୧୬ ରୁ ୧୮ ମଧ୍ୟରେ ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ବଢିବ । ଅସହନୀୟ ଗୁଲଗୁଳି ଓ ଗରମ ଲୋକେ ଅନୁଭବ କରିବେ। ୧୮ ତାରିଖ ପର୍ଯ୍ୟନ୍ତ ତାତି ରହିବ।

also read- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ଆସନ୍ତା ୧୧ରୁ ପୁଣି ଗଣତି ମଣତି ହେବ ରତ୍ନଭଣ୍ଡାର

ଆସନ୍ତା ୧୮ ତାରିଖ ବେଳକୁ ଆଉ ଏକ ସିଷ୍ଟମ କେନ୍ଦ୍ରୀୟ ବଙ୍ଗୋପସାଗର ଠାରେ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଅନ୍ୟପଟେ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସ୍ଥାନ ରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ୟେଲୋ ଓ୍ୱାର୍ଣିଂ ଜାରି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀର ପ୍ରଭାବ ଅଧିକ ରହିଥିବାରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି।