ନୂଆଦିଲ୍ଲୀ: ଏପ୍ରିଲରେ ଘରେ ରୋଷେଇ ହେଉଥିବା ନିରାମିଷ ଓ ଆମିଷ ଥାଳି ମହଙ୍ଗା ହୋଇଛି। କ୍ରିସିଲ ଇଣ୍ଟେଲିଜେନ୍ସର ମାସିକ ‘ ରୋଟି ରାଇସ୍ ରେଟ୍’ (ଆରଆରଆର) ରିପୋର୍ଟ ଅନୁସାରେ ବାର୍ଷିକ ଆଧାରରେ ପ୍ରତି ଥାଳି ପିଛା ବ୍ୟୟ ପ୍ରାୟ ୨% ବଢିଛି। ଏଥି ପାଇଁ ଟମାଟର, ବନସ୍ପତି ତେଲ ଓ ଏଲପିଜି ସଂକଟକୁ ଦାୟି କରାଯାଇଛି। ରିପୋର୍ଟ ମୁତାବକ ଦକ୍ଷିଣ ଭାରତରେ ଟମାଟର ଚାଷ ଅଞ୍ଚଳ ହ୍ରାସ ଯୋଗୁ ଉତ୍ପାଦନ ପ୍ରଭାବିତ ହୋଇଛି। ଏଣୁ ବଜାରରେ ଟମାଟୋ ଦର ପାଖାପାଖି ୩୮% ପର୍ଯ୍ୟନ୍ତ ବଢିଛି।

ସେହିପରି ବୈଶ୍ୱିକ ଯୋଗାଣ ଚାପ ଯୋଗୁ ବନସ୍ପତି ତୈଳ ଓ ଏଲପିଜି ସିଲିଣ୍ଡର ଦର ୭% ଲେଖାଏଁ ବଢିଛି। କ୍ରିସିଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର ପୁଷ୍ପେନ ଶର୍ମା କହିଛନ୍ତି ଯେ ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଖର୍ଚ୍ଚ ବୃଦ୍ଧି ସିଧା ପ୍ରଭାବ ଲୋକଙ୍କ ରୋଷେଇ ଘର ଉପରେ ପଡିଛି। ସେ କହିଛନ୍ତି ଯେ ନିରାମିଷ ଓ ଆମିଷ ଥାଳି ମହଙ୍ଗା ହେବାର ଏହା ହିଁ ମୁଖ୍ୟ କାରଣ।

ଆଗାମୀ ମାସମାନଙ୍କରେ ଆହୁରି ବଢିପାରେ ଦାମ
ରିପୋର୍ଟରେ ଏହା ବି ସତର୍କ କରାଯାଇଛି ଯେ ଜୁଲାଇ ଓ ଅଗଷ୍ଟ ମାସରେ ଟମାଟର ଦର ଆହୁରି ବଢିପାରେ। ଗ୍ରୀଷ୍ମରେ ସ୍ୱଳ୍ପ କୃଷି, ଦୁର୍ବଳ ବଜାର ସଂକେତ ଓ ଉତ୍ତର ଭାରତର ପ୍ରମୁଖ ଉତ୍ପାଦନ କ୍ଷେତ୍ରରେ ଗ୍ରୀଷ୍ମ ଲହରର ପ୍ରଭାବ ଏହାର ମୁଖ୍ୟ କାରଣ ହୋଇ ପାରେ। ଆଗାମୀ ଦିନରେ ପିଆଜ ଦର ବୃଦ୍ଧି ନେଇ ମଧ୍ୟ କ୍ରିସିଲ ସତର୍କ କରିଛି। ଚଳିତ ବର୍ଷ ରବି ଫସଲ ଅମଳରେ ୪ରୁ ୬% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଏଣୁ ଆଗାମୀ ସମୟରେ ପିଆଜ ଦର ଉଚ୍ଚା ହୋଇପାରେ। ତେବେ ଡାଲି ଦର ଆଶ୍ୱସ୍ତି ଦେଇ ପାରେ। ରିପୋର୍ଟ ଅନୁସାରେ ଅନୁକୂଳ ଆମଦାନୀ ପରିସ୍ଥିତି ଓ ସରକାର ବଫର ଷ୍ଟକ୍ ଜାରି କରିବା ଯୋଗୁ ବଜାରରେ ଲଗାତାର ଯୋଗାଣ ଅବ୍ୟହତ ରହିବ। ଏଣୁ ଡାଲି ପର୍ଯ୍ୟାପ୍ତ ଉପଲବ୍ଧ ହେବା ଯୋଗୁ ଦର ନିୟନ୍ତ୍ରିତ ରହିବ ବୋଲି ଅନୁମାନ କରାଯାଉଛି।