ନୂଆଦିଲ୍ଲୀ: ଗ୍ରୀନଲ୍ୟାଣ୍ଡକୁ ନେଇ ଆମେରିକା ଓ ଡେନମାର୍କ ମଧ୍ୟରେ ଉତ୍ତେଜନା ବଢିଛି । ଡେନମାର୍କ ସାଂସଦ ରାସମୁସ ଜାରଲୋଭ ଚେତାବନୀ ଦେଇଛନ୍ତି, ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଉପରେ ଆକ୍ରମଣ କରନ୍ତି, ତେବେ ଏହାକୁ ସିଧାସଳଖ ଯୁଦ୍ଧ ବୋଲି ଧରାଯିବ । ସିଏନଏନକୁ ପ୍ରତିକ୍ରିୟା ଦେଇ ଜାରଲୋଭ କହିଛନ୍ତି, "ଯଦି ଆମେରିକା ଗ୍ରୀନଲ୍ୟାଣ୍ଡ ଉପରେ ଆକ୍ରମଣ କରେ, ତେବେ ଏହା ଯୁଦ୍ଧ ହେବ ଓ ଆମେ ପରସ୍ପର ବିରୁଦ୍ଧରେ ଲଢେଇ କରିବୁ । ଆମେ ଜାଣିଛୁ ଆମେରିକା ଆମଠାରୁ ବହୁ ଶକ୍ତିଶାଳୀ, କିନ୍ତୁ ଆମ ଭୂମି ଓ ଲୋକଙ୍କ ରକ୍ଷା କରିବା ଆମ କର୍ତ୍ତବ୍ୟ ଅଟେ ।"

ଏହା ପୂର୍ବରୁ ମଙ୍ଗଳବାର ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେ ଡାଭୋସରେ ବିଶ୍ୱ ଆର୍ଥିକ ମଞ୍ଚରେ ଗ୍ରୀନଲ୍ୟାଣ୍ଡକୁ ନେଇ ବିଶ୍ୱ ନେତାଙ୍କ ସହ ଆଲୋଚନା କରିବେ । ସେ ଏହା ମଧ୍ୟ ଦାବି କରିଥିଲେ ଯେ ଡେନମାର୍କ ଗ୍ରୀନଲ୍ୟାଣ୍ଡକୁ ସୁରକ୍ଷା ଦେବାରେ ଅକ୍ଷମ ଅଟେ । ଟ୍ରମ୍ପ ସାମ୍ୱାଦିକଙ୍କୁ କହିଥିଲେ, ଆମକୁ ଗ୍ରୀନଲ୍ୟାଣ୍ଡ ଦରକାର । ଡେନମାର୍କର ଲୋକମାନେ ଭଲ, କିନ୍ତୁ ସେମାନେ ସେଠାକୁ ଯାଆନ୍ତି ନାହିଁ ଓ ତାହାର ସୁରକ୍ଷା କରିପାରିବେ ନାହିଁ ।

ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସନ୍ ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଥିଲେ, ଡେନମାର୍କ ଗ୍ରୀନଲ୍ୟାଣ୍ଡକୁ କେବେବି ଛାଡ଼ିବ ନାହିଁ । ସେ କହିଥିଲେ, ଗ୍ରୀନଲ୍ୟାଣ୍ଡ ଡେନମାର୍କର ଅଂଶ ଓ ଏହାର ଅଖଣ୍ଡତା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଅନ୍ୟପଟେ ଗ୍ରୀନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍ସ-ଫ୍ରେଡରିକ୍ ନୀଲସନ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଗ୍ରୀନଲ୍ୟାଣ୍ଡ ବିରୁଦ୍ଧରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ସମ୍ଭାବନା କମ ରହିଛି, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇପାରିବ ନାହିଁ ।

ଗ୍ରୀନଲ୍ୟାଣ୍ଡକୁ ନେଇ ଟ୍ରମ୍ପଙ୍କ ଲଗାତାର ବୟାନରେ ନାଟୋ ଦେଶ ଓ ୟୁରୋପ ମଧ୍ୟରେ ଚିନ୍ତା ବଢିଛି । ଉଲ୍ଲେଖଯୋଗ୍ୟ, କମ ଜନସଂଖ୍ୟା କିନ୍ତୁ ପ୍ରାକୃତିକ ସମ୍ୱଳରେ ପରିପୂର୍ଣ୍ଣ ଏହି ଆର୍କଟିକ୍ ଦ୍ୱୀପ ମିସାଇଲ୍ ଆକ୍ରମଣ ସ୍ଥିତିରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ସ୍ଥାପନ କରିବା ଓ କ୍ଷେତ୍ରରେ ଜାହାଜ ନିରୀକ୍ଷଣ କରିବା ପାଇଁ ରଣନୈତିକ ଦୃଷ୍ଟିରୁ ଉପଯୁକ୍ତ ସ୍ଥାନ । ଏହି କାରଣରୁ ଡେନମାର୍କ ଓ ଗ୍ରୀନଲ୍ୟାଣ୍ଡ ଉଭୟ ଆମେରିକାର ଦାବିକୁ ସ୍ୱୀକାର କରିବେ ନାହିଁ । ଡେନମାର୍କ ଓ ଗ୍ରୀନଲ୍ୟାଣ୍ଡର କଡ଼ା ସନ୍ଦେଶରୁ ସ୍ପଷ୍ଟ ହୋଇଛି ଯେ ଯଦି ଆମେରିକା ଜୋର କରି କିଛି ସୈନ୍ୟ ପଦକ୍ଷେପ ନିଏ ତେବେ ସ୍ଥିତି ଜଟିଳ ହେବା ନିଶ୍ଚିତ ।