ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ଜାରି ଯୁଦ୍ଧ ମଧ୍ୟରେ ଆମେରିକା ଦକ୍ଷିଣ-ପୂର୍ବ ଏସିୟାର ଏକ ମୁସଲମାନ ଦେଶ ସହ ମିଶି ବଡ଼ ଖେଳ କରିବା ପ୍ରସ୍ତୁତିରେ ଥିଲା। ତେବେ ଏକ ଭାରତୀୟ ରିପୋର୍ଟ ଏହି ଯୋଜନାକୁ ପଣ୍ଡ କରିଦେଇଛି। ଗତ ଦିନରେ ଆମେରିକା ଓ ବିଶ୍ୱର ସର୍ବ ବୃହତ୍ତ ମୁସଲମାନ ଦେଶ ଇଣ୍ଡୋନେସିୟା ମଧ୍ୟରେ ଏକ ଗୋପନ ବୁଝାମଣା ପ୍ରସ୍ତୁତି ଚାଲିଥିଲା, ତେବେ ଭାରତୀୟ ଗଣମାଧ୍ୟମର ଏକ ରିପୋର୍ଟ ହଟଚମଟ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ଓ ଇଣ୍ଡୋନେସିୟା ମଧ୍ୟରେ ଏପ୍ରିଲ ୧୩ ତାରିଖରେ ଏକ ଡିଫେନ୍ସ ଡିଲ ସ୍ୱାକ୍ଷରିତ ହେବାର ଥିଲା। ତେବେ ଏହି ଡିଲ ସ୍ୱାକ୍ଷରିତ ହେବାର ଠିକ୍ ପୂର୍ବରୁ ଏପ୍ରିଲ ୧୨ ତାରିଖରେ ଏହି ରିପୋର୍ଟ ପ୍ରକାଶିତ ହୋଇଥିଲା।

ରିପୋର୍ଟରେ ଦାବି କରାଯାଇଥିଲା ଯେ ଇଣ୍ଡୋନେସିୟା ଏୟାରସ୍ପେସ୍ ରେ ଆମେରିକା ନିଜ ଯୁଦ୍ଧ ବିମାନଙ୍କୁ ସମ୍ପୂର୍ଣ୍ଣ ଅନୁମତି ଦେବାକୁ ଯୋଜନା କରୁଛି।ଏହି ଲିକ୍ ପରେ ଇଣ୍ଡୋନେସିୟାରେ ଭୀଷଣ ହୋ ହଲ୍ଲା ହୋଇଥିଲା ଓ ଶେଷରେ ଏହି ପ୍ରାବଧାନକୁ ଫାଇନାଲ ଡିଲରୁ ବାହାର କରି ଦିଆଯାଇଛି ।‘ଇଣ୍ଡିଆ ଟୁଡେ’ ଅନୁସାରେ ଏହି ଡିଲର ପୁରା ସୂଚନା ‘ସଣ୍ଡେ ଗାର୍ଡିଆନ’ରେ ପ୍ରକାଶିତ ହୋଇଥିଲା। ରିପୋର୍ଟ ଅନୁସାରେ ଆମେରିକା ଓ ଇଣ୍ଡୋନେସିଆ ଏହି ଗୋପନ ଯୋଜନା ଉପରେ କାମ କରୁଥିଲେ।

ଗତ ଫେବୃଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବଭୋ ସୁବିୟାନ୍ତୋ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହ୍ୱାଇଟହାଉସ୍ ରେ ଏକ ବୈଠକ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁସାରେ ଏପ୍ରିଲ ୧୩ ତାରିଖରେ ଆମେରିକା ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ଓ ଇଣ୍ଡୋନେସିଆ ରକ୍ଷାମନ୍ତ୍ରୀ ସାଫ୍ରି ଜମସୋଏଦ୍ଦିନଙ୍କ ବୈଠକରେ ପ୍ରସ୍ତାବକୁ ଔପଚାରିକ ରୂପେ ସାମିଲ କରାଯିବାର ଥିଲା, ହେଲେ ବିବାଦ କାରଣରୁ ଏହା ବାଦ ପଡିଛି।

ଏହି ପ୍ରସ୍ତାବିତ ଡିଲ ଅନୁସାରେ ଆମେରିକା ଯୁଦ୍ଧ ବିମାନଙ୍କୁ ଇଣ୍ଡୋନେସିଆ ଏରୋସ୍ପେସ୍ ରେ ବିନା କୌଣସି ଅବରୋଧରେ ଉଡାଣ କରିବାକୁ ଅନୁମତି ମିଳି ଯାଇଥାନ୍ତା। ତେବେ ଅଧିକାରୀକ ରୂପେ ଏହା କେବଳ ଜରୁରିକାଳୀନ ପରିସ୍ଥିତିରେ ହୋଇଥାନ୍ତା ବୋଲି କୁହାଯାଏ। ହେଲେ ଏହାର ଅସଲି ଉଦ୍ଦେଶ୍ୟ ଇଣ୍ଡୋ-ପେସିଫିକ୍ କ୍ଷେତ୍ର ଉପରେ ଦେଖରେଖ ବଢାଇବାର ଥିଲା। ଖାସ କରି ସେହି ସମୟରେ ଯେତେବେଳେ ଇରାନ ହର୍ମୁଜ ଉପରେ ଚାପ ପକାଉଥିବା ବେଳେ ବିଶ୍ୱରେ ତୈଳ ଯୋଗାଣ ପ୍ରଭାବିତ ହେଉଛି। ଏଣୁ ଆମେରିକା ମଲାକା ଷ୍ଟ୍ରେଟ୍ ରେ ନିଜର ସ୍ଥିତି ମଜଭୁତ କରିବାକୁ ଚାହୁଁଥିଲା, ଯାହା ହର୍ମୁଜ ପରେ ବିଶ୍ୱର ଦ୍ୱିତୀୟ ବ୍ୟସ୍ତତମ ତୈଳ ପରିବହନ ମାର୍ଗ।

ଇଣ୍ଡୋନେସିଆର ଭୌଗଳିକ ସ୍ଥିତି ଏହାର ରଣନୈତିକ କେନ୍ଦ୍ରରେ ରହିଛି। କାରଣ ଏହା ମଲାକା ଷ୍ଟ୍ରେଟ ନିକଟରେ ରହିଛି। ଆମେରିକାର ଏହି ଡିଲ ଇଣ୍ଡୋ-ପେସିଫିକରେ ଚୀନ୍ ଉପରେ ନଜର ରଖିବାକୁ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତା। ତେବେ ଏହି ରିପୋର୍ଟ ଯେପରି ସାମ୍ନାକୁ ଆସିଲା ଇଣ୍ଡୋନେସିୟାରେ ଏହାକୁ କଡ଼ା ବିରୋଧ କରାଗଲା। ଜାକାର୍ତାରେ ସାଂସଦମାନେ ଏଭଳି କୌଣସି ବୁଝାମଣାର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିରେ ସଂସଦର ଉପାଧ୍ୟକ୍ଷ ସୁକମତା ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ବିଦେଶୀ ସାମରିକ ସହଯୋଗ ଲାଗି ସଂସଦର ପରାମର୍ଶ ନେବା ଜରୁରି ଓ ବିନା ଆଇନଗତ ଆଧାରରେ କାହାକୁ ଏରୋସ୍ପେସ୍ ଦେବା ସମ୍ଭବ ନୁହେଁ। ଏହି ବିରୋଧ ପରେ ପ୍ରବଭୋ ସରକାର ଚାପରେ ଆସିଥିଲେ।

ଏଥିରେ ଇଣ୍ଡୋନେସିଆ ପ୍ରତିରକ୍ଷା ବିଭାଗ ତୁରନ୍ତ ସଫେଇ ଦେଇ କହିଛି ଯେ ଆମେରିକୀୟ ଯୁଦ୍ଧ ବିମାନଙ୍କୁ ଓଭର ଫ୍ଲାଇଟ୍ ଆକ୍ସେସ ଦେବା ଫାଇନାଲ ଡିଲର ଅଂଶବିଶେଷ ନଥିଲା। ମନ୍ତ୍ରାଳୟ କହିଛି ଯେ ଏହା କେବଳ ଲେଟର ଅଫ ଇଣ୍ଟେଣ୍ଟ ରେ ଚର୍ଚ୍ଚା ସ୍ତରରେ ଥିଲା। ତେବେ ଏହା ବି କୁହାଯାଇଛି ଯେ ଏପରି କୌଣସି ବୁଝାମଣାରେ ଇଣ୍ଡୋନେସିୟାର ସାର୍ବଭୌମତ୍ୱ ଓ ଜାତୀୟ ହୀତ ସର୍ବୋପରି। ଏହି ପୁରା ଘଟଣାକ୍ରମ ପରେ ଏହି ଡିଲ ଏବେ ଥଣ୍ଡା ବସ୍ତାରେ ବନ୍ଦ ହୋଇ ଯାଇଛି।