ନୂଆଦିଲ୍ଲୀ-;ଯେଉଁ ବ୍ୟବସାୟୀ ₹୨,୦୦୦ରୁ ଅଧିକ ମୂଲ୍ୟର UPI ନେଣଦେଣ କରିବେ ତାଙ୍କ ଉପରେ ୦.୪ ପ୍ରତିଶତ Merchant Discount Rate (MDR) ଲାଗୁ ହେବ l ଏ ଖବର ସାମ୍ନାକୁ ଆସିବା ପରେ, ବଡ ବ୍ୟବସାଇ ଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାଇ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ପରିଣାମ ସ୍ୱରୂପ ଦେଶରେ ପୁଣି ନଗଦ କାରବାର ବଢ଼ିବା ଆଶଙ୍କା ଦେଖା ଦେଲାଣି। କେତେକ ଜାଗାରେ ତ ବ୍ୟବସାୟୀମାନେ ୟୁପିଆଇରେ ଟଙ୍କା ନେବାକୁ ରୋକଠୋକ୍ ମନା କରିଦେଉଛନ୍ତି।ସର୍ଭେ ରିପୋର୍ଟ କହୁଛି ସରକାରଙ୍କର ଏହି ନୂଆ ବ୍ୟବସ୍ଥା ଦ୍ୱାରା ଦେଶର ୟୁପିଆଇ ୧୦ ପ୍ରତିଶତ ହ୍ରାସ ପାଇପାରେ। LocalCirclesର CEO ସଚିନ ତାପାରିଆଙ୍କ ଅନୁମାନ, ଏମଡିଆର୍ ଲାଗୁ ହେବା ପରେ UPIର ମାସିକ ନେଣଦେଣର ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ଏବଂ ନେଣଦେଣ ସଂଖ୍ୟା ପ୍ରାୟ ୪ ପ୍ରତିଶତ ହ୍ରାସ କମିଯିବ।

LocalCircles ପକ୍ଷରୁ ଏନେଇ ଏକ ସର୍ଭେ କରାଯାଇଥିଲା। ୨୯୧ଟି ଜିଲ୍ଲାର ୬୭,୦୦୦ରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ। ଅକ୍ଟୋବର ୨ରେ ପ୍ରକାଶିତ ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ମାତ୍ର ୧୪ ପ୍ରତିଶତ ଲୋକ ଚାର୍ଜ ଲାଗିଲେ ବି ୟୁପିଆଇ ଟ୍ରାଞ୍ଜାକ୍ସନ ଜାରି ରଖିବେ ବୋଲି କହିଛନ୍ତି। ୨୭ ପ୍ରତିଶତ ଗ୍ରାହକ ବଡ଼ ନେଣଦେଣ ପାଇଁ ନଗଦ ବ୍ୟବହାର କରିବାକୁ କହିଥିବା ବେଳେ ୨୬ ପ୍ରତିଶତ କ୍ରେଡିଟ୍ କାର୍ଡ ଓ ୧୪ ପ୍ରତିଶତ ଡେବିଟ୍ କାର୍ଡକୁ ବ୍ୟବହାର କରିବେ ବୋଲି କହିଛନ୍ତି।

ସବୁଠାରୁ ବଡ଼ କଥା ହେଲା ମୋଟ ୭୬ ପ୍ରତିଶତ ଲୋକେ ଚାହୁଁଛନ୍ତି ବଡ଼ ପେମେଣ୍ଟକୁ କାର୍ଡ, ନଗଦ କିମ୍ବା ବ୍ୟାଙ୍କ ଟ୍ରାନ୍ସଫରକୁ ସ୍ଥାନାନ୍ତର କରିବେ। ତେଣୁ ୟୁପିଆଇ କାରବାର ଆଗକୁ ଖୁବ୍ କମିଯାଇପାରେ।ଅକ୍ଟୋବର ୧୫ରୁ ₹୨,୦୦୦ରୁ ଅଧିକ ମୂଲ୍ୟର Person-to-Merchant (P2M) UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବାର ପ୍ରସ୍ତାବ ରହିଛି। ତେବେ ଛୋଟ ବ୍ୟବସାୟୀଙ୍କ ପାଇଁ ରିହାତି ରହିବ। ମାସକୁ UPI QR କୋଡ୍ ମାଧ୍ୟମରେ ₹୧ ଲକ୍ଷ ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରୁଥିବା ଛୋଟ ବ୍ୟବସାୟୀମାନେ ଏହି ଚାର୍ଜରୁ ବାଦ ପଡ଼ିବେ।ସରକାର ପୂର୍ବରୁ ସ୍ପଷ୍ଟ କରିଛି ଯେ MDRର ଭାର ଗ୍ରାହକଙ୍କ ଉପରେ ପଡ଼ିବା ଉଚିତ୍ ନୁହେଁ। ସେପ୍ଟେମ୍ବର ୨୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଥିଲେ ଯେ ଏହି ଚାର୍ଜ ଗ୍ରାହକଙ୍କ ଠାରୁ ଆଦାୟ କରାଯିବା ଉଚିତ୍ ନୁହେଁ।ଏହାକୁ ସୁନିଶ୍ଚିତ କରିବା ପାଇଁ ସରକାର ଭାରତୀୟ ବ୍ୟାଙ୍କ ସଂଘ (IBA) ସହ ମିଶି ଏକ ନିରୀକ୍ଷଣ ବ୍ୟବସ୍ଥା ଉପରେ କାମ କରୁଛି।

ALSO READ-Plastic note in India: ଭାରତରେ ପ୍ଲାଷ୍ଟିକ ନୋଟ୍ ଆଣିବା ପାଇଁ ଜୋରଦାର ପ୍ରସ୍ତୁତି, RBIର ପ୍ରୋଜେକ୍ଟ ପାଇଁ ଆଗେଇ ଆସିଲେ ୨ କମ୍ପାନି

ଏହା ମାଧ୍ୟମରେ ବ୍ୟବସାୟୀମାନେ ଗ୍ରାହକଙ୍କ ଉପରେ MDR ଚାର୍ଜ ଲାଗୁ କରୁଛନ୍ତି କି ନାହିଁ, ତାହା ନଜରରେ ରଖାଯିବ।ସରକାର କହିଛନ୍ତି ଗ୍ରାହକଙ୍କ ଉପରେ ଚାପ ପଡ଼ିବା ଉଚିତ ନୁହେଁ, କିନ୍ତୁ ସତରେ ଯେ ବ୍ୟବାସାୟୀ ଗ୍ରାହକଙ୍କ ଉପରେ ଚାପ ପକାଇବେ ନାହିଁ ତାର କୌଣସି ଗ୍ୟାରେଣ୍ଟି ନାହିଁ। କାରଣ ଏହା ବ୍ୟବସାୟର ଫର୍ମୁଲା। ଯେତେବେଳେ ବି ବ୍ୟବସାୟ ଉପରେ ଚାପ ପଡ଼ିଛି, ତାର ଭାର ବୋହିଛନ୍ତି ଗ୍ରାହକ। ଜିଏସ୍ଟି ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଅଧିକ ଟଙ୍କା ତ ଗ୍ରାହକଙ୍କ ପକେଟ୍ରୁ ଯାଇଛି। ତେଣୁ ଏମ୍ଡିଆର୍ ଯେ ଗ୍ରାହକଙ୍କ ଉପରେ ଚାପ ନ ପକାଇବା ସେ କଥା କହିବା ବାହୁଲ୍ୟ।ଅନ୍ୟପଟେ ସରକାରଙ୍କ ଏଭଳି ନୀତିକୁ ଦେଖି ବ୍ୟବସାୟୀମାନେ ବି ଆଗୁଆ ପ୍ରସ୍ତୁତି କଲେଣି।

ଏବେଠାରୁ କିଛି ବ୍ୟବସାଇ upi ରେ ପଇସା ନନେଇ ଗ୍ରାହକଙ୍କ ଠାରୁ ନଗଦ ନେଉଥିବାର ଚିତ୍ର ସାମ୍ନାକୁ ଆସୁଛି l ସରକାରଙ୍କ ନିୟମ ଅପେକ୍ଷା ଗ୍ରାଉଣ୍ଡ ରିଆଲିଟି କିଛି ଭିନ୍ନ କଥା କହୁଛି l ତେବେ ଏଭଳି ସ୍ତିତିରେ ,UPI ଉପରେ MDR ଲାଗୁ ହେବା ପରେ ଗ୍ରାହକ ଓ ବ୍ୟବସାୟୀଙ୍କ ବ୍ୟବହାରରେ କେତେ ପରିବର୍ତ୍ତନ ଆସୁଛି ଏବଂ ଏହା ଡିଜିଟାଲ୍ ପେମେଣ୍ଟର ଗତିକୁ କିପରି ପ୍ରଭାବିତ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।