ଲକ୍ଷ୍ନୌ: ଯେତିକି ବୀଭତ୍ସ... ସେତିକି ଅମାନବୀୟ। ପ୍ରେମ ପାଇଁ ମଣିଷ ପାଲଟି ଯାଉଛି ପାଲଟିଯାଉଛି ସୈତାନ। କିନ୍ତୁ ଥରେ ଭାବିଲେ ପ୍ରେମ କଣ ଜୀବନ ନେଇପାରେ। ଏତେ ସବୁ ପ୍ରଶ୍ନ ଉଠାଇବାର କାରଣ ହେଉଛି ମେରଠର ମୁସ୍କାନ ପରି ଉତ୍ତରପ୍ରଦେଶରେ ସମ୍ଭଲ ଜିଲ୍ଲାରେ ଘଟିଛି ସମାନ ଘଟଣା। ଯେଉଁଠି ଜଣେ ପତ୍ନୀ ତା  ପ୍ରେମୀକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରି ଗ୍ରାଇଣ୍ଡିଂ କରିବାକୁ ପଛାଇ ନାହିଁ। ଏହି ମାମଲାରେ ପୋଲିସ ଅଭିଯୁକ୍ତ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ମହିଳାଙ୍କ ନାଁ ରୁବି ଓ ତାଙ୍କ ପ୍ରେମିକଙ୍କ ନାମ ଗୌରବ ବୋଲି ସ୍ୱଚନା ଦେଇଛନ୍ତି ସମ୍ଭଲ ପୋଲିସ ଅଧୀକ୍ଷକ କେ.କେ. ବିଷ୍ନୋଇ।

ରୁବି ଚନ୍ଦୌସି ଅଞ୍ଚଳର ମୋହଲ୍ଲା ଚୁନିର ବାସିନ୍ଦା। ରୁବି ନିଜେ ନଭେମ୍ବର ୧୮ ତାରିଖରେ ତାଙ୍କ ସ୍ବାମୀ ରାହୁଲ (୩୮) ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଯାହାପରେ ପୋଲିସ ଏହି ମାମଲାର ତଦନ୍ତ କରି ଇଦଗାହ ଅଞ୍ଚଳ ନିକଟସ୍ଥ ଏକ ନାଳରୁ ବିକୃତ ମୃତଦେହ ଉଦ୍ଧାର କରିଥିଲା। ଯାହାର ମୁଣ୍ଡ, ହାତ ଏବଂ ପାଦ ନିଖୋଜ ଥିଲା। ପରେ ଫୋରେନସିକ୍ ଟିମ୍ ସେଠାରେ ପହଞ୍ଚି ଯାଞ୍ଚ କରିଥିଲା ଏବଂ ଡିଏନଏ ନମୁନା ସଂଗ୍ରହ କରିଥିଲା।

ତେବେ ତଦନ୍ତ ସମୟରେ ପୋଲିସ ମୃତଦେହ ଉପରେ “ରାହୁଲ” ନାଁ ଲେଖାଯାଇଥିବା ଦେଖିବାକୁ ପାଇଥିଲା। ନିକଟସ୍ଥ ପୋଲିସ ଷ୍ଟେସନରୁ ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଏବଂ ବୈଷୟିକ ବିଶ୍ଳେଷଣ ଯାଞ୍ଚ କଲାପରେ ମୃତଦେହଟି ତାଙ୍କର ବୋଲି ଜଣାପଡ଼ିଥିଲା। ଏଥିସହିତ ତାଙ୍କ ଫୋନ ନଭେମ୍ବର ୧୮ ତାରିଖରୁ ବନ୍ଦ ଥିଲା। ଏହି ହତ୍ୟାକାଣ୍ଡରେ ରୁବିଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରି ପଚରାଉଚରା କରିଥିଲା। ଜେରା ସମୟରେ ରୁବି ସତ ମାନିଯାଇଥିବା ନେଇ ଏସପି କହିଛନ୍ତି।

ସୂଚନା ଅନୁଯାୟୀ, ଗୌରବଙ୍କ ସହିତ ଅବୈଧ ସମ୍ପର୍କ ରଖିଥିବାର ରାହୁଲ ଦେଖିଦେଇଥିଲେ। ଯାହାଫଳରେ ସେ ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ଏକ ଲୁହା ରଡ୍ ଏବଂ ଏକ ଲୁହା ହେମାଦସ୍ତାରେ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଗ୍ରାଇଣ୍ଡର ଦ୍ଵାରା ମୃତ ଦେହକୁ ଖଣ୍ଡ ଖଣ୍ଡ କରିଥିବା କୁହାଯାଇଛି। ହତ୍ୟା ପରେ ଦୁଇଜଣ ଶରୀରର ଗୋଟିଏ ଅଂଶକୁ ଏକ ନାଳରେ ଫିଙ୍ଗି ଦେଇଥିଲେ ଓ ଅବଶିଷ୍ଟ ଅଂଶଗୁଡ଼ିକୁ ରାଜଘାଟକୁ ନେଇ ଗଙ୍ଗା ନଦୀରେ ଫିଙ୍ଗି ଦେଇଥିବା ଜଣାପଡିଛି। ତେବେ ପୋଲିସ ମୃତଦେହକୁ କାଟିବା ପାଇଁ ବ୍ୟବହୃତ ହୋଇଥିବା ଗ୍ରାଇଣ୍ଡର, ଲୁହା ରଡ୍ ଏବଂ ଆକ୍ରମଣରେ ବ୍ୟବହୃତ ଅନ୍ୟାନ୍ୟ ଉପକରଣକୁ ଜବତ ମଧ୍ୟ କରିଛି। ତେବେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।

ପରକୀୟା ପ୍ରେମର ଏକ ଦୁଃଖଦ ପରିଣତି। ଏଠି ସ୍ୱାମୀର କଣ ବା ଥିଲା ଭୁଲ୍। କିନ୍ତୁ ଏଠି ନିଜ ସ୍ୱାର୍ଥପାଇଁ ନିଜ ମଥାର ସିନ୍ଦୂରକୁ ପୋଛିବାକୁ ତିଳେମାତ୍ର ଭାବିଲାନି।