ଲକ୍ଷ୍ନୌ:  ପ୍ରାୟ ୧.୨୭ କୋଟି ହିନ୍ଦୁ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଥିବା ନେଇ ଦାବି କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀଙ୍କ ଏହି ଦାବି ଉପରେ ରାଜ୍ୟ ନିର୍ବାଚନ ଆୟୋଗ ସ୍ପଷ୍ଟୀକରଣ ରଖିଛନ୍ତି । ମଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନଓ୍ବା ମଙ୍ଗଳବାର କହିଛନ୍ତି ଯେ, ନିର୍ବାଚନ ଆୟୋଗ ଭୋଟରମାନଙ୍କର ଧର୍ମ କିମ୍ବା ଜାତି ଆଧାରରେ କୌଣସି ତଥ୍ୟ ସଂଗ୍ରହ କରନ୍ତି ନାହିଁ । ଏଭଳି କୌଣସି ରିପୋର୍ଟ ମଧ୍ୟ ପ୍ରକାଶ କରନ୍ତି ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ SIR ପ୍ରକ୍ରିୟା ପରେ ପ୍ରକାଶିତ ଭୋଟର ତାଲିକାରେ ଅନିୟମିତତା ହୋଇଥିବା ନେଇ ଚିନ୍ତା ପ୍ରକାଶ କରିଥିଲେ। ସେ ଦାବି କରିଥିଲେ ଯେ, ରାଜ୍ୟ ପଞ୍ଚାୟତ ନିର୍ବାଚନ ଭୋଟର ତାଲିକାରେ ଥିବା ପ୍ରାୟ ୧.୨୭ କୋଟି ହିନ୍ଦୁ ଭୋଟରଙ୍କ ନାଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଭୋଟର ତାଲିକାରୁ ବାଦ୍ ପଡ଼ିଛି। ଏହା ବ୍ୟତୀତ ସରକାରୀ ଜନକଲ୍ୟାଣକାରୀ ଯୋଜନାର ପ୍ରାୟ ୫୫ ଲକ୍ଷ ହିନ୍ଦୁ ହିତାଧିକାରୀ ଏବଂ ୧୮ରୁ ୧୯ ବର୍ଷ ବୟସର ପ୍ରାୟ ୪.୫ ଲକ୍ଷ ନୂଆ ଭୋଟରଙ୍କ ସମେତ ମୋଟ ୬୬ ଲକ୍ଷ ଯୋଗ୍ୟ ଭୋଟରଙ୍କ ନାଁ ତାଲିକାରେ ନଥିବା ସେ ଅଭିଯୋଗ କରିଥିଲେ। ନିର୍ବାଚନ ଆୟୋଗ ଏକ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା ବୋଲି ଉଲ୍ଲେଖ କରିବା ସହ ଏହି ତ୍ରୁଟିର ସ୍ପଷ୍ଟୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଗଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିବା କହିଥିଲେ ଯୋଗୀ ଆଦିତ୍ୟନାଥ । 

ମୁଖ୍ୟମନ୍ତ୍ରୀଙ୍କ ଏହି ଦାବି ଉପରେ ପ୍ରତିକ୍ରିୟା ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି ଯେ, ନିର୍ବାଚନ ବିଭାଗର ଡାଟାବେସରେ କେବଳ ଭୋଟରଙ୍କ ନାମ, ପିତା କିମ୍ବା ସ୍ୱାମୀଙ୍କ ନାମ, ବୟସ, ଘର ନମ୍ବର ଏବଂ ଲିଙ୍ଗ ସମ୍ବନ୍ଧୀୟ ତଥ୍ୟ ରହିଥାଏ। ଏଥିରେ ଜାତି କିମ୍ବା ଧର୍ମର କୌଣସି ଉଲ୍ଲେଖ ନଥାଏ। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭୋଟର ତାଲିକା ଏକ ସାର୍ବଜନୀନ ଦସ୍ତାବିଜ ହୋଇଥିବାରୁ ଗଣମାଧ୍ୟମ ସଂସ୍ଥା ଏବଂ ସ୍ୱତନ୍ତ୍ର ବିଶ୍ଳେଷକମାନେ ଭୋଟରଙ୍କ ନାମ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ନିଜସ୍ୱ ଆକଳନ କରିଥାନ୍ତି। ତେବେ ଏଭଳି ଆକଳନକୁ ନିର୍ବାଚନ ବିଭାଗର ସରକାରୀ ତଥ୍ୟ ବା ନିଷ୍କର୍ଷ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ।

ଅନ୍ୟପଟେ, ଆଗାମୀ ୨୦୨୭ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୭ ଅଧୀନରେ ପ୍ରକାଶିତ ଏହି ଚିଠା ତାଲିକାରେ ମୋଟ ୧୩ କୋଟି ୫୮ ଲକ୍ଷ ୬୮ ହଜାର ୯୦୫ ଜଣ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରେ ୭ କୋଟି ୩୮ ଲକ୍ଷ ୫୮ ହଜାର ୫୧୦ ଜଣ ପୁରୁଷ, ୬ କୋଟି ୨୦ ଲକ୍ଷ ୬ ହଜାର ୩୫୩ ଜଣ ମହିଳା ଏବଂ ୪,୦୪୨ ଜଣ ତୃତୀୟ ଲିଙ୍ଗୀ ଭୋଟର ସାମିଲ । ଏହାସହ ଏହି ତାଲିକାରେ ୧୮ରୁ ୧୯ ବର୍ଷ ବୟସ ବର୍ଗର ୧୧ ଲକ୍ଷ ୮୩ ହଜାର ୩୫୨ ଜଣ ଯୁବ ଭୋଟରଙ୍କ ନାଁ ଯୋଡ଼ାଯାଇଛି। ଏପ୍ରିଲ ୧୦, ୨୦୨୬ରେ ପ୍ରକାଶିତ ଚୂଡ଼ାନ୍ତ ତାଲିକା ତୁଳନାରେ ଏହି ଚିଠା ତାଲିକାରେ ମୋଟ ୧୮ ଲକ୍ଷ ୮୪ ହଜାର ୧୧୩ ଜଣ ଭୋଟର ବୃଦ୍ଧି ପାଇଛନ୍ତି।

ଭୋଟର ତାଲିକାରେ ନାମ ସଂଶୋଧନ ପାଇଁ ନଭେମ୍ବର ୧୭ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ବୋଲି ରିନୱା ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ଯୋଗ୍ୟ ନାଗରିକମାନେ ନାମ ଯୋଡ଼ିବା ପାଇଁ ଫର୍ମ-୬, ନାମ କାଟିବା ପାଇଁ ଫର୍ମ-୭ ଏବଂ ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮ ମାଧ୍ୟମରେ ଆବେଦନ କରିପାରିବେ। ଡିସେମ୍ବର ୨୮ ସୁଦ୍ଧା ସମସ୍ତ ଅଭିଯୋଗର ଫଇସଲା କରାଯିବ । ପରେ ୨୦୨୭ ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଭୋଟର ତାଲିକା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ମଧ୍ୟ ନାଗରିକମାନେ ଆବେଦନ କରିପାରିବେ ବୋଲି ସେ ସ୍ପଷ୍ଟ କହିଛନ୍ତି।