ନୂଆଦିଲ୍ଲୀ: ଦେଶର ପେଟ୍ରୋଲ ପମ୍ପ ଏବଂ ଏଲ୍‌ପିଜି ଗ୍ୟାସ୍ ଏଜେନ୍ସି ଡିଲରମାନେ ସେମାନଙ୍କର କମିଶନ ପରିମାଣ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଏକ ବଡ଼ ଦାବି ଜଣାଇଛନ୍ତି । ଦରବୃଦ୍ଧି ଏବଂ ପରିଚାଳନାଗତ ଖର୍ଚ୍ଚ ବଢ଼ୁଥିଲେ ବି ସେମାନଙ୍କର କମିଶନ ନବଢ଼ିବା ଯୋଗୁ ଡିଲରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଏବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ତଥା ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ନିକଟରେ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦେଶବ୍ୟାପୀ ଇନ୍ଧନ ଏବଂ ଗ୍ୟାସ୍ ବିତରକମାନେ ସେମାନଙ୍କର ଲାଭାଂଶ ବା କମିଶନକୁ ସମୟୋପଯୋଗୀ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ୧୪.୨ କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡର ପିଛା ମିଳୁଥିବା କମିଶନକୁ ଯଥେଷ୍ଟ କମ୍ ଦର୍ଶାଇ, ଏହାକୁ ପ୍ରାୟ ୧୨୦ରୁ ୧୫୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରାଯାଇଛି। ସେହିଭଳି ପେଟ୍ରୋଲ ପମ୍ପ ମାଲିକମାନେ ସେମାନଙ୍କର କମିଶନ ମାର୍ଜିନରେ ୩୦ରୁ ୪୦% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ଉପସ୍ଥାପନ କରିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଡିଲରମାନେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୧.୫୦ ଟଙ୍କା ଏବଂ ୨.୫୦ ଟଙ୍କା କମିଶନ ବଢ଼ାଇବାକୁ ଦାବି କରିଛନ୍ତି । ସେହିଭଳି ଗ୍ୟାସ ଏଜେନ୍ସିମାନେ ସିଲିଣ୍ଡର ପିଛା କମିଶନକୁ ୭୫ ଟଙ୍କାରୁ ୧୨୨ ଟଙ୍କାକୁ ବଢ଼ାଇବାକୁ ଦାବି ଜଣାଇଛନ୍ତି।

ଡିଲର ସଂଘଗୁଡ଼ିକର କହିବା କଥା, ଗତ କିଛି ବର୍ଷ ଭିତରେ କର୍ମଚାରୀଙ୍କ ବେତନ, ବିଦ୍ୟୁତ୍ ବିଲ୍, ପରିବହନ ଖର୍ଚ୍ଚ ଏବଂ ପମ୍ପର ରକ୍ଷଣାବେକ୍ଷଣ ବ୍ୟୟ ବହୁଗୁଣ ବୃଦ୍ଧି ପାଇଛି । ଏହାସହ ଗ୍ରାହକମାନଙ୍କୁ ପମ୍ପଗୁଡ଼ିକରେ ବିନାମୂଲ୍ୟରେ ପାଣି, ମାଗଣାରେ ପ୍ରେସର ଏବଂ ଶୌଚାଳୟ ଭଳି ଅନେକ ଜରୁରୀ ସେବା ଯୋଗାଇବାକୁ ପଡ଼ୁଛି । କିନ୍ତୁ ସେହି ଅନୁପାତରେ ସେମାନଙ୍କର କମିଶନ ବଢ଼ୁନଥିବାରୁ ବ୍ୟବସାୟ ଚାଲୁ ରଖିବା କଷ୍ଟକର ହୋଇପଡ଼ୁଛି ବୋଲି ସଂଘ ପକ୍ଷରୁ ଯୁକ୍ତି କରାଯାଇଛି।

Also Read: ଅଶୋଧିତ ତେଲ ବଜାରରୁ ଆଶ୍ବସ୍ତି, ଆସନ୍ତା ବର୍ଷ ଖସିବ ଦର !

ଇଣ୍ଡିଆନ୍ ଅଏଲ କର୍ପୋରେସନ୍ (IOC), ଭାରତ ପେଟ୍ରୋଲିୟମ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL) ଭଳି ରାଷ୍ଟ୍ରାୟତ୍ତ ତେଲ କମ୍ପାନୀଗୁଡ଼ିକ ନିକଟରେ ଏଭଳି ଅନେକ ପ୍ରସ୍ତାବ ଓ ମାମଲା ବିଚାରାଧୀନ ରହିଛି । ଯଦିଓ ଏହି ଦାବିଗୁଡ଼ିକ ଉପରେ ଏଯାଏଁ କୌଣସି ଚୂଡ଼ାନ୍ତ ସରକାରୀ ନିଷ୍ପତ୍ତି ନିଆଯାଇ ନାହିଁ, ତଥାପି ଡିଲରମାନଙ୍କ କ୍ରମାଗତ ଦାବିକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି। ଏହା ପୂର୍ବରୁ ମଧ୍ୟ ଅନେକ ଥର ତେଲ କମ୍ପାନୀ ଓ ମନ୍ତ୍ରଣାଳୟ ସହ ବୈଠକ ଜରିଆରେ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଇସାରିଛି।