ମଦୁରାଇ: ଟିଭିଏସ୍ ପରିବାରରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ସାମ୍ନାକୁ ଆସିଛି। ଉଦ୍ୟୋଗପତି ବେଣୁ ଶ୍ରୀନିବାସନଙ୍କ କନ୍ୟା ଲକ୍ଷ୍ମୀ ବେଣୁ ଟିଭିଏସ ପରିବାରରେ ପିତାଙ୍କ ଶାଖା ସମ୍ପତ୍ତି ବାଣ୍ଟିବାକୁ ଦାବି କରିଛନ୍ତି। ସେ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁସାରେ ସମ୍ପତ୍ତିରେ ନିଜର ସମାନ ଭାଗ ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲକ୍ଷ୍ମୀ ବେଣୁଙ୍କ ଏପରି ପଦକ୍ଷେପ ଯୋଗୁ ପରିବାର ସମ୍ପତ୍ତି ଓ ଟିଭିଏସ୍ ହୋଲ୍ଡିଂସ୍, ଟିଭିଏସ୍ ମୋଟର କମ୍ପାନୀ, ଟିଭିଏସ୍ କ୍ରେଡିଟ ସର୍ଭିସେସ୍ ଓ ସୁନ୍ଦରମ କ୍ଲେଟନ ଭଳି କମ୍ପାନୀମାନଙ୍କରେ ଥିବା ହୀତର ଭାଗବଣ୍ଟା ନେଇ ଉତ୍ତରାଧିକାର ବିବାଦ ଏବେ ଗଭୀର ହୋଇଛି।

ବେଣୁ ଶ୍ରୀନିବାସନଙ୍କ ଝିଅ ଲକ୍ଷ୍ମୀ ପିତାଙ୍କୁ ନୋଟିସ୍ ପଠାଇ ପରିବାର ମୁଖିଆ ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରିବାକୁ ଓ ନିରପେକ୍ଷ ତଥା ଆଇନଗତ ଭାଗବଣ୍ଟା ପାଇଁ ଦାବି କରିଛନ୍ତି। ଏଥି ପାଇଁ ସେ ହିନ୍ଦୁ ଉତ୍ତରାଧିକାର ଆଇନ ୧୯୫୬(୨୦୦୫ ରେ ସଂଶୋଧିତ) ଧାରା ୬ର ଉଦାହରଣ ଦେଇଛନ୍ତି। ଗୋଟିଏପଟେ ବେଣୁ ଶ୍ରୀନିବାସନ ଓ ତାଙ୍କ ପୁଅ ସୁଦର୍ଶନ ସମ୍ପତ୍ତି ବୁଝାମଣା ପୂର୍ବରୁ ହୋଇ ସାରିଥିବା କହୁଥିବା ବେଳେ ଲକ୍ଷ୍ମୀ ଓ ତାଙ୍କ ମା ମଲ୍ଲିକାଙ୍କ ତର୍କ ହେଉଛି ପରିବାରର ଆର୍ଥିକ ସମ୍ପତ୍ତିରେ କୌଣସି ଭାଗବଣ୍ଟା ହୋଇ ନାହିଁ। ଲକ୍ଷ୍ମୀ କହିଛନ୍ତି ଯେ ପୂର୍ବରୁ ଯେଉଁ ବ୍ୟବସ୍ଥା ହୋଇଥିଲା ସେଥିରେ କେବଳ ବିଜନେସ୍ ଉପରେ ନିୟନ୍ତ୍ରଣ ଓ ଟ୍ରେଡମାର୍କ ଉପରେ ଅଧିକାର ସମ୍ପର୍କିତ ଥିଲା।

ତେବେ ଟିଭିଏସ୍ ର ଏହି ସମ୍ପତ୍ତି ପରିବାର ଟ୍ରଷ୍ଟ ଓ କର୍ପୋରେଟ ଢାଞ୍ଚାରେ ରଖାଯାଇଛି। ଟିଭିଏସ୍ ହୋଲ୍ଡିଂସର ବାର୍ଷିକ ରିପୋର୍ଟ ଅନୁସାରେ କମ୍ପାନୀରେ ପରିବାର ଓ ପ୍ରମୋଟର ଗ୍ରୁପର ୭୪.୪୫ ପ୍ରତିଶତ ଭାଗିଦାରୀ ରହିଛି। ଏଥିରୁ ୬୬.୫୫ ପ୍ରତିଶତ କେବଳ ଟିଭିଏସ ଟ୍ରଷ୍ଟ ମାଧ୍ୟମରେ ବେଣୁ ଶ୍ରୀନିବାସନଙ୍କ ପାଖରେ ରହିଛି। ଏହାଛଡା ଟିଭିଏସ୍ ହୋଲ୍ଡିଂର ଟିଭିଏସ ମୋଟର କମ୍ପାନୀରେ ୫୬ ପ୍ରତିଶତ ଭାଗିଦାରୀ ରହିଛି।