ନୂଆଦିଲ୍ଲୀ: କେନ୍ଦ୍ର ସରକାରକୁ ଦୁଇ ବର୍ଷ ହୋଇଗଲାଣି। ସବୁବେଳେ ଦୁଇ ବର୍ଷ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥାଏ। ତେଣୁ ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ୱାଲେ।

ସେ କହିଛନ୍ତି- ନୂଆ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଏ। କିଛି ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିଥାଏ। କିଛି ମନ୍ତ୍ରୀଙ୍କୁ ମ୍ୟାନେଜ କରାଯାଇଥାଏ। ସବୁ ରାଜ୍ୟକୁ ବିଚାର କରି ଏବଂ ଆଗକୁ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ରାଜ୍ୟଗୁଡିକୁ ପ୍ରତିନିଧିତ୍ୱ ଦିଆଯିବାକୁ ବିଚାର ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧିକାର ଅଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ।

ସେପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳ ଚର୍ଚ୍ଚା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଉଭୟଙ୍କ ସାକ୍ଷାତ ସମୟର ଫଟୋ ସେୟାର କରାଯାଇଛି।

ପଦ୍ମ ପୁରସ୍କାର ପ୍ରଦାନ କରିବା ଲାଗି ଆୟୋଜିତ ସ୍ୱତନ୍ତ୍ର ସମାରୋହ ପରେ ପରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ହୋଇଥିଲା । ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ରାଜଧାନୀ ଦିଲ୍ଲୀ ରାଜନୀତିରେ ସରଗରମ ଆଲୋଚନା ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ସାକ୍ଷାତ ବିଶେଷ ଗୁରୁତ୍ୱ ବହନ କରୁଛି।