ଭୁବନେଶ୍ଵର: ପୁଣି ରାଜ୍ୟ ରାଜନୀତିର କେନ୍ଦ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ରହିଥିବା ତଥା ପୂର୍ବତନ ଆଇଏସ ଅଧିକାରୀ ଭିକେ ପାଣ୍ଡିଆନ। ୨୦୨୪ ସାଧାରଣ ନିର୍ବାଚନରେ ପାଣ୍ଡିଆନଙ୍କୁ ବଡ଼ ପ୍ରସଙ୍ଗ କରି ଭାରତୀୟ ଜନତା ପାର୍ଟି ନିର୍ବାଚନୀ ବୈତରଣୀ ପାରି ହେବା ସହ ପ୍ରଥମ ଥର ସରକାର ଗଢିଛି। ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ପୁଣି ଥରେ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିବାକୁ ଯାଉଛନ୍ତି। ଏହାର ଝଲକ ଦେଖିବାକୁ ମିଳି ସାରିଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ ଏହା ପରଠୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହାର ପାଲଟା ଉତ୍ତର ରଖିଛି ବିଜେଡି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ତଦନ୍ତ ଘୋଷଣାକୁ ସ୍ୱାଗତ କରିଛି ବିଜୁ ଜନତା ଦଳ। ଦଳର ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି, ଜନସାଧାରଣଙ୍କର ସବୁ ବିଷୟ ଜାଣିବାର ଅଧିକାର ରହିଛି। ବିଜେଡି ସବୁବେଳେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦେଇଆସିଛି।

Also Read: ତାରାଙ୍କ କଡ଼ା ଚେତାବନୀ : କହିଲେ- "ମା’ ମାଟି ଆଗ, ଦଳ ପଛ; ଆଲୋଚନା ନହେଲେ ବିଧାନସଭାରେ ଆତ୍ମାହୁତି ଦେବି"

ମୂଳ ସମସ୍ୟାରୁ ଦୃଷ୍ଟି  ହଟାଇବା ପାଇଁ କେବଳ ପ୍ରହସନ

ସେ କହିଛନ୍ତି, ଡବଲ ଇଞ୍ଜିନ ସରକାର ଯେତେବେଳେ ଅଡ଼ୁଆରେ ପଡ଼ୁଛନ୍ତି, ସେତେବେଳେ ଲୋକଙ୍କ ମୂଳ ସମସ୍ୟାରୁ ଦୃଷ୍ଟି ହଟାଇବାକୁ ଏଭଳି ପଦକ୍ଷେପ ନିଆଯାଉଛି। ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବିଶ୍ୱର ବିଭିନ୍ନ ଦେଶ ଗସ୍ତ କରିଥିଲେ ମଧ୍ୟ ଓଡ଼ିଶାର ୨୪ ବର୍ଷର ମୁଖ୍ୟମନ୍ତ୍ରିତ୍ୱ କାଳରେ ସରକାରୀ ଭାବେ ମାତ୍ର ଦୁଇଥର ବିଦେଶ ଗସ୍ତ କରିଥିଲେ।

ଇଟାଲୀ ଗସ୍ତ ସମୟରେ ସେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ। ସେହିପରି ଜାପାନ ଗସ୍ତ ଯୋଗୁଁ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ପ୍ରକଳ୍ପ ଓଡ଼ିଶାକୁ ଆସିବାର ରାସ୍ତା ଖୋଲିଥିଲା। ତେବେ ବର୍ତ୍ତମାନର ମୋହନ ମାଝୀ ସରକାର ଏହି ପ୍ରକଳ୍ପକୁ ଠିକ୍ ଭାବେ ପରିଚାଳନା କରିପାରୁନଥିବା ଡ. ମହାନ୍ତି ଅଭିଯୋଗ କରିଛନ୍ତି।

Also Read: ବିଧାୟକଙ୍କ ଭାଇରାଲ ଭିଡିଓ ବିବାଦ, ପତ୍ନୀ କହିଲେ- ଏହା AI ଜେନେରେଟେଡ୍‌

ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵର କଥା କହୁଥିବା ସରକାର ନିଜ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣାଇବା ଉଚିତ ବୋଲି ବିଜେଡି କହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ କ୍ୟାବିନେଟ୍ ସହଯୋଗୀ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି କରିଛି ଦଳ।

ହେମନ୍ତ ଶର୍ମାଙ୍କ ଭୂମିକାକୁ ନେଇ ପ୍ରଶ୍ନ

ଏହାସହ ଶିଳ୍ପ ବିଭାଗର ସଚିବ ତଥା ଗୃହ ସଚିବ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଲେନିନ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଶ୍ରୀ ଶର୍ମା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଆୟୋଜନ ଦାୟିତ୍ୱରେ ମଧ୍ୟ ଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ସମସ୍ତ ସରକାର ଓ ଜନପ୍ରତିନିଧିଙ୍କ ପାଇଁ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଜନସାଧାରଣଙ୍କ ସୂଚନା ଅଧିକାର ସମାନ ଭାବେ ଲାଗୁ ହେବା ଉଚିତ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।