ଲଣ୍ଡନ: ବ୍ରିଟେନର ଶାସକ ଲେବର ପାର୍ଟି ମଧ୍ୟରେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ନିକଟରେ ଅନୁଷ୍ଠିତ ସ୍ଥାନୀୟ ଏବଂ ଆଞ୍ଚଳିକ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ଉପରେ ଇସ୍ତଫା ଦେବାକୁ ଚାପ ବଢ଼ିବାରେ ଲାଗିଛି। ପ୍ରାୟ ୭୦ରୁ ଅଧିକ ଲେବର ସାଂସଦ ଷ୍ଟାରମରଙ୍କ ନେତୃତ୍ୱ ଉପରେ ଅନାସ୍ଥା ପ୍ରକଟ କରି ସ୍ୱର ଉତ୍ତୋଳନ କରିଛନ୍ତି।

ମନ୍ତ୍ରୀ ପରିଷଦରେ ବିଦ୍ରୋହ ଓ ଇସ୍ତଫା

ସୋମବାର ଏହି ସଙ୍କଟ ସେତେବେଳେ ଜଟିଳ ହୋଇଥିଲା, ଯେତେବେଳେ ଚାରିଜଣ ମନ୍ତ୍ରୀସ୍ତରୀୟ ସହାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ବୈଦେଶିକ ସଚିବ ଇଭେଟ୍ କୁପର ଏବଂ ଆଭ୍ୟନ୍ତରୀଣ ମନ୍ତ୍ରୀ ଶାବାନା ମହମୁଦଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଷ୍ଟାରମରଙ୍କୁ କ୍ଷମତା ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଲେବର ପାର୍ଟିର ନିୟମ ଅନୁଯାୟୀ, ଯଦି ୮୧ ଜଣ ସାଂସଦ ଆନୁଷ୍ଠାନିକ ଭାବେ ଦାବି କରନ୍ତି, ତେବେ ନେତୃତ୍ୱ ପରିବର୍ତ୍ତନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରିବ।

ଓ୍ୱେଲ୍ସରେ ଐତିହାସିକ ପରାଜୟ

ଏହି ନିର୍ବାଚନରେ ଲେବର ପାର୍ଟି ଇଂଲଣ୍ଡରେ ଶକ୍ତ ଧକ୍କା ଖାଇବା ସହ ଓ୍ୱେଲ୍ସରେ ନିଜର ଶାସନ ହରାଇଛି। ୧୯୯୯ ମସିହା ପରେ ପ୍ରଥମ ଥର ପାଇଁ ଓ୍ୱେଲ୍ସ ସଂସଦରେ 'ପ୍ଲେଡ୍ ସାଇମ୍ରୁ' (Plaid Cymru) ଦଳଠାରୁ ଲେବର ପାର୍ଟି ପରାଜିତ ହୋଇଛି। ଏଥିସହ 'ରିଫର୍ମ ୟୁକେ' ଏବଂ ଗ୍ରୀନ୍ ପାର୍ଟି ମଧ୍ୟ ଅନେକ ସ୍ଥାନରେ ଲେବର ପାର୍ଟିର ଭୋଟ୍ ବ୍ୟାଙ୍କ ହାତେଇ ନେଇଛନ୍ତି।

ପଛଘୁଞ୍ଚା ଦେବେନି ଷ୍ଟାରମର

ଏତେ ସବୁ ବିବାଦ ସତ୍ତ୍ୱେ କିର ଷ୍ଟାରମର ନିଜ ଜିଦରେ ଅଟଳ ରହିଛନ୍ତି। ଲଣ୍ଡନରେ ସମର୍ଥକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, "ମୁଁ ଜାଣେ ଅନେକ ଲୋକ ମୋ ଉପରେ ସନ୍ଦେହ କରୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ ଭୁଲ୍ ପ୍ରମାଣିତ କରିବି। ମୁଁ ପଦ ଛାଡ଼ି ପଳାଇବା ବ୍ୟକ୍ତି ନୁହେଁ।" ଆର୍ଥିକ ମାନ୍ଦାବସ୍ଥା ଏବଂ ବଢ଼ୁଥିବା ମୁଦ୍ରାସ୍ଫୀତିକୁ ନେଇ ସେ ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ନୂଆ ନୀତି ଜରିଆରେ ଦଳକୁ ସଜାଡ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ?

ଷ୍ଟାରମରଙ୍କ ବିରୋଧରେ ସ୍ୱର ତେଜିବା ପରେ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନର ସ୍ୱାସ୍ଥ୍ୟ ସଚିବ ଓ୍ୱେସ୍ ଷ୍ଟ୍ରିଟିଙ୍ଗ୍ ଏବଂ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଞ୍ଜେଲା ରାଇନରଙ୍କ ନାମ ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଛି। ଯଦି ବିଦ୍ରୋହୀ ସାଂସଦଙ୍କ ସଂଖ୍ୟା ୮୧ ଅତିକ୍ରମ କରେ, ତେବେ ଷ୍ଟାରମରଙ୍କୁ ବାଧ୍ୟ ହୋଇ ପଦ ଛାଡ଼ିବାକୁ ପଡ଼ିପାରେ।