ଭୁବନେଶ୍ବର ୨୨।୬: ସ୍ନାତକ ପାଠ୍ୟକ୍ରମ ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇଲା । ଶିକ୍ଷାବର୍ଷ ୨୦୨୬-୨୭ ସ୍ନାତକ ପାଠ୍ୟକ୍ରମ ନାମଲେଖାର (ଫେଜ୍-୧ ଆଡ଼ମିଶନ) ପ୍ରଥମ ମେଧା ତାଲିକା ପ୍ରକାଶିତ ହୋଇଛି । ପ୍ରଥମ ମେଧା ତାଲିକାରେ ରାଜ୍ୟର ୧,୭୮,୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ୍ ୨,୮୭,୩୨୭ଟି ଆସନ ରହିଥିବା ବେଳେ ୨,୩୭,୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ ୧,୭୮,୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୯,୧୮୨ ଜଣ ଛାତ୍ର, ୧,୦୯,୫୯୧ ଜଣ ଛାତ୍ରୀ ଏବଂ ୯ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି ।

ପ୍ରଥମ ମେଧା ତାଲିକାରେ କଳାରେ ୧,୧୨,୮୨୨ ଜଣ, ବିଜ୍ଞାନରେ ୪୩,୬୯୩ ଜଣ, ବାଣିଜ୍ୟରେ ୧୫,୬୨୪ ଜଣ, ଶାସ୍ତ୍ରୀ ପାଠ୍ୟକ୍ରମରେ ୩,୩୭୧ଜଣ, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୩,୨୪୫ ଜଣ ଏବଂ ଲ' (ଆଇନ) ପାଠ୍ୟକ୍ରମ ପାଇଁ ୧୬୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳା ପାଠ୍ୟକ୍ରମରେ ରାଜନୀତି ବିଜ୍ଞାନ ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୪.୫୦% ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି । ସେହିପରି ଫିଜିକାଲ ସାଇନ୍ସରେ ଫିଜିକ୍ସ ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୬.୫୦% ପ୍ରତିଶତ ଏବଂ ବାୟୋଲୋଜିକାଲ ସାଇନ୍ସରେ ଜୁଲୋଜି (ପ୍ରାଣୀ ବିଜ୍ଞାନ) ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୪.୮୩% ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି । ବାଣିଜ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୮୯.୧୭%, ଶାସ୍ତ୍ରୀ ପାଠ୍ୟକ୍ରମରେ ବ୍ରଜକିଶୋର ସଂସ୍କୃତି ଡିଗ୍ରୀ ମହାବିଦ୍ୟାଳୟ, ଗଡ଼ବିଷ୍ଣୁପୁର ପାଇଁ ୬୭.୫୭%, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂ ଶାସିତ) ମହାବିଦ୍ୟାଳୟ ପାଇଁ ୯୨%, ଲ' (ଆଇନ) ପାଠ୍ୟକ୍ରମରେ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ବିଏ ଏଲଏଲବି ପାଠ୍ୟକ୍ରମ ପାଇଁ ୮୯.୪୦% କଟ୍ ଅଫ୍ ମାର୍କ ରହିଛି ।

Also Read:- ଶ୍ରୀମନ୍ଦିର ସମ୍ମୁଖରେ ଅଭାବନୀୟ ଦୃଶ୍ୟ : ଉଠା ଦୋକାନୀ ଓ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ହାତାହାତି

ପ୍ରଥମ ମେଧା ତାଲିକାରେ ଚୟନୀତ ଏବଂ "ଫ୍ରିଜ୍" ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀ ମାନେ ଜୁନ୍ ୨୩ ତାରିଖରୁ ଜୁନ୍ ୨୫ ତାରିଖ ମଧ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯାଇ ନିଜର ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରିବେ । "ସ୍ଲାଇଡ୍/ଫ୍ଲୋଟ୍" ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀ ମାନେ ନିଜର ଆବଣ୍ଟିତ ଆସନ ପାଇଁ ନାମଲେଖା ଶୁଳ୍କ ଜମା କରି ଦ୍ୱିତୀୟ ପର୍ଯ୍ୟାୟ ଚୟନ ତାଲିକାକୁ ଅପେକ୍ଷା କରିବେ । ପ୍ରଥମ ପସନ୍ଦର ଅନୁଷ୍ଠାନରେ ଆସନ ପାଇଥିଲେ ମଧ୍ୟ ନାମ ଲେଖାଇବାକୁ ଇଚ୍ଛୁକ ନଥିବା ଛାତ୍ରଛାତ୍ରୀ ମାନେ ନୂତନ ଭାବେ ପ୍ରଚଳିତ ‘ଅଲ୍ଟର’ ବିକଳ୍ପ ମାଧ୍ୟମରେ ଓଟିପି (OTP) ଭିତ୍ତିକ ଯାଞ୍ଚ ଦ୍ୱାରା ନିଜ ପସନ୍ଦ ପରିବର୍ତ୍ତନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।