ପୁରୀ ୨୨।୬: ଶ୍ରୀମନ୍ଦିର ସମ୍ମୁଖରେ ଅଭାବନୀୟ ଦୃଶ୍ୟ । ଉଠା ଦୋକାନୀ ଓ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ମଧ୍ୟରେ ହାତାହାତି ପରିସ୍ଥିତି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହାତାହାତି ଯୋଗୁଁ ବଡ଼ଦାଣ୍ଡରେ ପଡ଼ିଛି ଶଙ୍ଖା, ଚୁଡ଼ି ସହ କାଳିଆ ଠାକୁରଙ୍କ ଫଟୋ । ଉଠା ଦୋକାନୀ ମାନେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନିକଟରେ ବ୍ୟବସାୟ କରିଥାନ୍ତି । ତେବେ ମ୍ୟୁନିସିପାଲଟି କର୍ପୋରେସନର ଏନଫୋର୍ସମେଣ୍ଟ ସ୍କ୍ବାଡ୍ ପକ୍ଷରୁ ଉଠା ଦୋକାନୀଙ୍କୁ ବାରଣ କରାଯାଉଥିଲେ ମଧ୍ୟ ସେମାନେ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି । ସେଥିପାଇଁ ରବିବାର ସକାଳେ ଉଠା ଦୋକାନୀ ଶ୍ରୀମନ୍ଦିର ନିକଟରେ ପସରା ମେଲାଇ ବ୍ୟବସାୟ କରୁଥିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ପହଞ୍ଚି ତାଙ୍କୁ ଉଠିବା ପାଇଁ କହିଥିଲେ । ପରେ ଉଠା ଦୋକାନୀଙ୍କ ପସରା ନେବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଉଦ୍ୟମ କରୁଥିବା ବେଳେ ସେହି ସମୟରେ ହାତାହାତି ଓ କଥା କଟାକଟି ସ୍ଥିତି ଉପୁଜିଥିଲା ।

ରବିବାର ପୁରୀ ମହାନଗର ନିଗମ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ବଡ଼ଦାଣ୍ଡରେ ଆତଙ୍କ ଖେଳାଇ ଦେଇଥିଲେ । ରାସ୍ତା ପାର୍ଶ୍ଵ ଦୋକାନୀଙ୍କୁ ଗାଳିଗୁଲଜ କରି ତଡ଼ିବା ସହ ସେମାନଙ୍କ ଜିନିଷ ଗାଡ଼ିରେ ଲଦି ନେଇଯାଇଥିଲେ । ସ୍କ୍ବାଡ୍ ଗାଡ଼ି ଡାଲାରେ ଭର୍ତ୍ତି ହୋଇଥିଲା ଖଜା, ଦହିବରା ହାଣ୍ଡି, ଜଗନ୍ନାଥଙ୍କ ଫଟୋ ଓ ଶଙ୍ଖ ମାଳି ଆଦି ସାମଗ୍ରୀ I ଶ୍ରୀମନ୍ଦିର ସମ୍ମୁଖରେ ଦୋକାନୀଙ୍କ ତାଲା ସହ ଶଙ୍ଖା ଓ କାଚ ଆଦି ବଡ଼ଦାଣ୍ଡରେ କଚାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ନିକଟରୁ ମାର୍କେଟ ଛକ ପର୍ଯ୍ୟନ୍ତ ବଡ଼ବାଣ୍ଡରେ ସରକାରୀ କର୍ମଚାରୀଙ୍କ ଏଭଳି ଆତଙ୍କ ଯୋଗୁଁ ଶତାଧିକ ଉଠାଦୋକାନୀଙ୍କ ଭିତରେ କୋକୁଆ ଭୟ ଖେଳିଯାଇଥିଲା ।

ହାତଗୋଡ଼ ଧରି ଏସବୁରୁ ନିବୃତ୍ତ ହେବାକୁ ଦୋକାନୀ ନେହୁରା ହେଉଥିଲେ। ଜିନିଷ ଫେରାଇବାକୁ ଗାଡ଼ି ପଛରେ ଗୋଡ଼ାଇଥିଲେ । ଶ୍ରୀମନ୍ଦିର ସମ୍ମୁଖରେ କର୍ମଚାରୀ ଓ ଉଠାଦୋକାନୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ଉଠାଦେକାନୀ ବିକୁଥିବା ମହାପ୍ରଭୁଙ୍କ ଫଟୋ ଓ କାଚ ଶଙ୍ଖା ଆଦି ବଡ଼ଦାଣ୍ଡରେ ଫିଙ୍ଗିଦେବାରେ ଉଭୟ ମଧ୍ୟରେ ଉଚବାଜ ସହ ହାତାହାତି ସ୍ଥିତି ଉପୁଜିଥିଲା ।

ଏନଫୋର୍ସମେଣ୍ଟ ସ୍କ୍ବାଡ୍ କହିଛନ୍ତି, ଡାକବାଜି ଦ୍ୱାରା ଘୋଷଣା ହୋଇଥିଲା ୨୦ ତାରିଖ ସୁଦ୍ଧା ବଡ଼ଦାଣ୍ଡ ଅବରୋଧ ହଟାଇବାକୁ । ୨୧ ତାରିଖ ସକାଳେ ବାଧ୍ୟ ହେଲୁ ଜବରଦସ୍ତ ଉଠାଇବାକୁ । ସେମାନେ ହିଁ ତାଙ୍କ ଜିନିଷ ଫିଙ୍ଗିଛନ୍ତି। ଏପଟେ ସଂପୃକ୍ତ ଉଠାଦୋକାନୀ କୁହନ୍ତି, ଆକ୍ରୋଶମୂଳକ ଭାବେ ତାଙ୍କର ଜିନିଷ ବାରବାର ନେଇଯାଉଛନ୍ତି ସରକାରୀ କର୍ମଚାରୀ ।