ଚେନ୍ନାଇ: ତାମିଲନାଡ଼ୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ଦ୍ୱାରା ଅଭିନେତ୍ରୀ ତ୍ରିଷାଙ୍କୁ ନେଇ କରାଯାଇଥିବା ବୟାନକୁ ନେଇ ବିବାଦ ବଢିଛି । ଶାସକ ଦଳ ଟିଭିକେ ଉଦୟନିଧିଙ୍କ ମନ୍ତବ୍ୟକୁ "ଘୃଣ୍ୟ" ବୋଲି କହିଥିବା ବେଳେ ବିଜେପି ତାଙ୍କ ଗିରଫଦାରୀ ଦାବି କରିଛି ।

କାବେରୀ ନଦୀ ପ୍ରସଙ୍ଗକୁ ନେଇ ଏକ ସଭାରେ ଭାଷଣ ଦେବା ବେଳେ ସେ ମୁଖ୍ୟମନ୍ତ୍ରୀ ସି.ଜୋସେଫ୍ ବିଜୟଙ୍କୁ ଘେରିବାକୁ ଚେଷ୍ଟା କରୁଥିଲେ । ସଭା ମଧ୍ୟରୁ "ତ୍ରିଷା-ତ୍ରିଷା" ନାରା ଶୁଣାଯାଇଥିଲା । ଉଦୟନିଧି କିଛି ସମୟ ଚୁପ ରହିବା ପରେ ହସିଥିଲେ । ପରେ ଏକ ଦ୍ୱିଅର୍ଥବୋଧକ କଟାକ୍ଷ କରିଥିଲେ, ଯାହାକୁ ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଇଙ୍ଗିତ ବୋଲି ଧରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଅଭିନେତ୍ରୀ ତ୍ରିଷା ହେଉଛନ୍ତି ମୁଖ୍ୟମନ୍ତ୍ରୀ ବିଜୟଙ୍କ ଘନିଷ୍ଠ ବନ୍ଧୁ । ସୋସିଆଲ ମିଡିଆରେ ଅନେକ ଲୋକ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଆଲୋଚନା କରନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାସକ ଟିଭିକେ ଏବଂ ବିରୋଧୀ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଶାସକ ଦଳ ଏହି ମନ୍ତବ୍ୟକୁ "ଲଜ୍ଜାଜନକ" ବୋଲି କହିଛି । ଟିଭିକେ ବିଧାୟକ ରେବନ୍ତ ଚରଣ ଏକ୍ସରେ ଲେଖିଛନ୍ତି, "ସମ୍ପୂର୍ଣ୍ଣ ଘୃଣ୍ୟ । କୌଣସି ବ୍ୟକ୍ତିଙ୍କ ପ୍ରତି ଏପରି ଲଜ୍ଜାଜନକ ମନ୍ତବ୍ୟ ଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଏହା ଅରିଭାଲାୟମ୍ ପରିବାରର ମାନସିକତା, ରାଜନୈତିକ ସଂସ୍କୃତି ଏବଂ ନିମ୍ନଗାମୀ ଷ୍ଟାଣ୍ଡାର୍ଡକୁ ପଦାରେ ପକାଉଛି ।

ସେହିପରି ତାମିଲନାଡୁ ବିଜେପି ମୁଖପାତ୍ର ନାରାୟଣନ୍ ତିରୁପାଥି ଡିଏମକେ ନେତାଙ୍କୁ ଗିରଫ କରି ଜେଲ ପଠାଯିବା ଦରକାର ବୋଲି କହିଛନ୍ତି । ସେ କହିଛନ୍ତି,"ତଞ୍ଜାବୁରରେ ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତ୍ରିଷାଙ୍କ ବିଷୟରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଦ୍ୱିଅର୍ଥବୋଧକ ଭାଷଣ ଅତ୍ୟନ୍ତ ଘୃଣ୍ୟ, ଅଶ୍ଳୀଳ ଏବଂ ଲଜ୍ଜାଜନକ । ସତ କହିବାକୁ ଗଲେ, ଜଣେ ଦୁର୍ବୃତ୍ତ କିମ୍ବା ଚୋର, ଯାହାର ମା’, ସ୍ତ୍ରୀ କିମ୍ବା ଝିଅ ଅଛନ୍ତି, ସେ ମଧ୍ୟ ଏପରି ଅଶ୍ଳୀଳ ଭାଷାରେ କଥା ହେବନାହିଁ । ଏପରି କହୁଥିବା ଲୋକଙ୍କୁ କୌଣସି ମା’, ସ୍ତ୍ରୀ କିମ୍ବା ଝିଅ କ୍ଷମା ଦେବେ ନାହିଁ । କିନ୍ତୁ ନିଜକୁ 'ଦ୍ରାବିଡ଼ିଆନ୍ ମଡେଲ୍' ବୋଲି ଦାବି କରୁଥିବା ଏହି ଦୁଷ୍ଟ ଲୋକମାନେ ଏପରି କହୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ଚୁପଚାପ୍ ଦେଖୁଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ।"

ବିଜେପି ନେତା ଭିନୋଜ୍ ପି.ସେଲଭମ୍ ମଧ୍ୟ ଏହି ମନ୍ତବ୍ୟକୁ ନେଇ ଡିଏମକେ ନେତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ସେ ନିଜକୁ କଳାକାର (କରୁଣାନିଧି)ଙ୍କ ନାତି ବୋଲି ଦାବି କରୁଥିବା ବେଳେ ଏପରି ନ କହିଲେ ଆଶ୍ଚର୍ଯ୍ୟ ଲାଗିଥାନ୍ତା । ବିରୋଧୀ ଦଳ ନେତା ନିଜେ ମଧ୍ୟ ଜଣେ ପୂର୍ବତନ ଅଭିନେତା । ନିଜର ସହ-କଳାକାରଙ୍କ ପ୍ରତି ଏପରି ମନ୍ତବ୍ୟ ଦେବା ସ୍ତବ୍ଧ କରିଦେଇଛି । କଳାକର ସଂଘ ପକ୍ଷରୁ ତାଙ୍କ ବିରୋଧରେ ଦୃଢ଼ ନିନ୍ଦା ପ୍ରସ୍ତାବ ଆଗତ କରାଯିବା ଉଚିତ୍ ।"

ଅଭିନେତାରୁ ରାଜନେତା ପାଲଟିଥିବା ଉଦୟନିଧି ଷ୍ଟାଲିନ୍ ତିନି ବର୍ଷ ପୂର୍ବରୁ ସନାତନ ଧର୍ମକୁ "ଡେଙ୍ଗୁ, ମ୍ୟାଲେରିଆ" ସହ ତୁଳନା କରି ଏହାକୁ ଉଚ୍ଛେଦ କରିବା କଥା କହି ବଡ଼ ବିବାଦ ସୃଷ୍ଟି କରିଥିଲେ । ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା, ଯେଉଁଠାରେ ଅଦାଲତ ତାଙ୍କୁ କଡ଼ା ଭର୍ତ୍ସନା କରିଥିଲେ ।