ଭୁବନେଶ୍ୱର : ଜୀବନରେ ଅଭାବ ଅନେକ ସମୟରେ ସ୍ୱପ୍ନକୁ ଅଟକାଇ ଦେଇଥାଏ। କିନ୍ତୁ କିଛି ଲୋକଙ୍କ ପାଇଁ ସେହି ଅଭାବ ସେହି ସଂଘର୍ଷ ଏକ ନୂଆ ପରିଚୟ ସୃଷ୍ଟି କରିଥାଏ । ଯେଉଁମାନେ ସେହି ଅଭାବକୁ ନିଜ ଶକ୍ତିରେ ପରିଣତ କରିଦିଅନ୍ତି ସେମାନେ ଜୀବନରେ କେବେ ବି ହାର ମାନିନଥାନ୍ତି । ଏହି କାହାଣୀ ମଧ୍ୟ ସେହିପରି ଜଣେ ବ୍ୟକ୍ତିଙ୍କର। କାନପୁରର ଏକ ସାଧାରଣ ପରିବାରରେ ବଢ଼ିଥିଲେ ଉଦ୍ଦେଶ୍ୟ ସଚାନ। ତାଙ୍କ ବାପା ଜଣେ ଦରଜୀ ଥିବାବେଳେ ମାଆ ଥିଲେ ଗୃହିଣୀ। ଦିନେ ସ୍କୁଲ ଫି ଦେଇ ନପାରିବାରୁ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା ସ୍କୁଲ। ଆର୍ଥିକ ସଙ୍କଟର ସେହି ଦିନକୁ ଆଜି ବି ଭୁଲିପାରିନାହାନ୍ତି ସଚାନ। କିନ୍ତୁ ଆଜି ସେ ଏମିତି କିଛି କରିଦେଖାଇଛନ୍ତି ଯାହାକୁ ଦେଖିଲେ କିଏ କହିପାରିବନି ଯେ ସେ ସେହି ବ୍ୟକ୍ତି ଯିଏ ଟଙ୍କା ଅଭାବରୁ ପାଠପଢା ଛାଡିଥିଲେ

ଛୋଟବେଳୁ ଉଦ୍ଦେଶ୍ୟ ନିଜ ପରିବାରର ଆର୍ଥିକ ସଂଘର୍ଷକୁ ଅତି ନିକଟରୁ ଦେଖିଥିଲେ। ଘରର ଖର୍ଚ୍ଚ ସମ୍ଭାଳିବା ସହ ପୁଅର ପାଠପଢ଼ା ପାଇଁ ତାଙ୍କ ବାପାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ୁଥିଲା। ଛୋଟବେଳେ ସେ ପଢ଼ିବାକୁ ଚାହୁଁଥିଲେ। ସ୍କୁଲକୁ ଯାଉଥିଲେ, ବଡ଼ ମଣିଷ ହେବ ସ୍ୱପ୍ନ ଦେଖୁଥିଲେ ଏବଂ ଜୀବନରେ କିଛି ବଡ଼ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ତାଙ୍କ ସ୍ୱପ୍ନରେ ବଡ଼ ବାଧା ହୋଇ ଛିଡ଼ା ହୋଇଥିଲା। ସ୍କୁଲର ଫି ଦେଇପାରିନଥିବାରୁ ତାଙ୍କୁ ଦିନେ ସ୍କୁଲ ଛାଡ଼ିବାକୁ କୁହାଯାଇଥିଲା। ସେହି ଦିନଟି ତାଙ୍କ ଜୀବନର ଏକ କଷ୍ଟଦାୟକ ଅଧ୍ୟାୟ ଥିଲା। କିନ୍ତୁ ସେ ହାର ମାନିନଥିଲେ ବରଂ ସେହି ଅପମାନ ଏବଂ କଷ୍ଟକୁ ନିଜ ଜୀବନର ପ୍ରେରଣା କରିନେଇଥିଲେ।

ବର୍ଷ ବିତିଗଲା । ସଂଘର୍ଷ ଚାଲିଲା। ଆଉ ଦିନେ ସେ ଏମିତି କିଛି କରିଦେଖାଇଲେ, ଯାହା ତାଙ୍କ ଜୀବନର କାହାଣୀକୁ ପୂରାପୂରି ବଦଳାଇ ଦେଲା। ଯେଉଁ ବ୍ୟକ୍ତିଙ୍କୁ କେବେ ଫି' ନଦେଇପାରିବାରୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା, ସେହି ବ୍ୟକ୍ତି ଆଜି ନିଜର ଏକ ସ୍କୁଲ ଗଢ଼ିଛନ୍ତି । ସେହି ସ୍କୁଲରେ ଅନେକ ପିଲା ପଢୁଛନ୍ତି | ଏହି ସ୍କୁଲର ଲକ୍ଷ୍ୟ କେବଳ ପିଲାମାନଙ୍କୁ ଭଲ ନମ୍ବର ଆଣିବା କିମ୍ବା ବଡ଼ ଚାକିରି ପାଇବା ପାଇଁ ପ୍ରସ୍ତୁତ କରିବା ନୁହେଁ। ଏଠାରେ ପିଲାମାନଙ୍କୁ ଶିଖାଯାଉଛି କିପରି ଜୀବନରେ ସଫଳ ହେବେ, ଆଉ କିପରି ଖୁସିରେ ଜୀବନ ବଞ୍ଚିବେ। କାରଣ ଶିକ୍ଷାର ପ୍ରକୃତ ଅର୍ଥ କେବଳ ପରୀକ୍ଷାରେ ଭଲ ନମ୍ବର ରଖିବା ନୁହେଁ। ଶିକ୍ଷା ମଣିଷକୁ ଜଣେ ଭଲ ମଣିଷ ଭାବେ ଗଢ଼ିବାର ମାଧ୍ୟମ ମଧ୍ୟ। ଏହି ଅନନ୍ୟ ସ୍କୁଲରେ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା, ମାନବିକତା ଏବଂ ଜୀବନରେ ଖୁସି ରହିବାର ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଉଛି।

Also Read : ଭାରତର ଏମିତି ୬ଟି ସ୍ଥାନ, ଯେଉଁଠି ଭାରତୀୟଙ୍କ ପ୍ରବେଶ ମନା !

ତାଙ୍କ ଜୀବନର ଏହି ଯାତ୍ରା ଆଜି ପ୍ରମାଣ କରିଛି ପରିସ୍ଥିତି ଆପଣଙ୍କ ସ୍ୱପ୍ନକୁ କିଛି ସମୟ ପାଇଁ ଅଟକାଇ ପାରେ, କିନ୍ତୁ ଯଦି ମନରେ ଦୃଢ଼ ସଙ୍କଳ୍ପ ଥାଏ, ତେବେ ସଫଳତାର ରାସ୍ତା ନିଶ୍ଚୟ ମିଳିଥାଏ। ଯେଉଁ ପିଲାଟି କେବେ ଫି ଦେଇପାରିନଥିବାରୁ ସ୍କୁଲରୁ ବାହାରିବାକୁ ବାଧ୍ୟ ହୋଇଥିଲା, ସେହି ପିଲା ଆଜି ଅନେକ ଶିଶୁଙ୍କ ଭବିଷ୍ୟତ ଗଢ଼ୁଛି । କାନପୁରର ଏକ ସାଧାରଣ ପରିବାରରୁ ଆସିଥିବା ଉଦ୍ଦେଶ୍ୟ ସଚାନଙ୍କ ଜୀବନ ସଂଘର୍ଷର କାହାଣୀ ଏବେ ସମସ୍ତଙ୍କ ପାଇଁ ପାଲଟିଛି ପ୍ରେରଣା। ସତରେ, ଏହି କାହାଣୀ ଆମକୁ ଶିଖାଏ ଯେ ସଂଘର୍ଷର ଅର୍ଥ ଶେଷ ନୁହେଁ, ବରଂ ଏକ ନୂଆ ସଫଳତାର ଆରମ୍ଭ।