ପଦ୍ମପୁର ୮।୭: ପାହାଡରେ ଦୁଇ ଯୁବକ ନିଖୋଜ । ରାତିସାରା ଚାଲିଲା ଖୋଜାଖୋଜି । ଏପର୍ଯ୍ୟନ୍ତ ମିଳିନି ପତ୍ତା । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ଝାଞ୍ଜ ପାହାଡରେ ଘଟିଛି ଏଭଳି ଘଟଣା । ନିଖୋଜ ଯୁବକ ମାନେ ହେଲେ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

କନସିଂହା ଗ୍ରାମର ମୋଟ୍ ୯ ଜଣ ଯୁବକ ମଙ୍ଗଳବାର ବରିହାପାଲି ପଞ୍ଚାୟତ ଅନ୍ତର୍ଗତ ଝାଞ୍ଜ ପାହାଡ ପାଦଦେଶରେ ଅବସ୍ଥିତ କୁଠିଖୋଳକୁ ଗାଧୋଇବା ସହ ପ୍ରାକୃତିକ ପରିବେଶର ଆନନ୍ଦ ଉପଭୋଗ କରିବା ପାଇଁ ଯାଇଥିଲେ । ପରେ ସେମାନେ ଝାଞ୍ଜ ପାହାଡ ଉପରକୁ ଚଢ଼ିଥିଲେ । ତେବେ କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟ ଅନ୍ୟମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ । ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଏବଂ ବନ ବିଭାଗକୁ ସୂଚନା ଦିଆଯିବା ପରେ ରାତିରୁ ହିଁ ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ କରାଯାଇଥିଲା । ବନ ବିଭାଗର କର୍ମଚାରୀ, ସ୍ଥାନୀୟ ଲୋକ ଓ ଅନ୍ୟାନ୍ୟ ସହଯୋଗୀଙ୍କ ସହାୟତାରେ ନିଖୋଜ ଯୁବକ ମାନଙ୍କ ସନ୍ଧାନ ପାଇଁ ପ୍ରୟାସ ଜାରି ରହିଛି ।

Also Read:- ଫରେଷ୍ଟ ରେଞ୍ଜର ଠୁଳ କରିଛନ୍ତି ଆୟ ବହିର୍ଭୂତ ସମ୍ପତ୍ତି, ୪ ଠିକଣାରେ ଚାଲିଛି ରେଡ୍

ଖବର ଲେଖାହେବା ସୁଦ୍ଧା ଉଭୟ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି । ଘଟଣାକୁ ନେଇ କନସିଂହା ଓ ଆଖପାଖ ଅଞ୍ଚଳରେ ଚିନ୍ତା ଓ ଉଦ୍ବେଗର ପରିବେଶ ସୃଷ୍ଟି ହୋଇଛି । ନିଖୋଜ ଯୁବକ ମାନଙ୍କୁ ଶୀଘ୍ର ଠାବ କରିବା ପାଇଁ ପରିବାର ସଦସ୍ୟମାନେ ପ୍ରଶାସନ ଓ ବନ ବିଭାଗ ନିକଟରେ ନିବେଦନ କରିଛନ୍ତି ।