ଜୟପୁର : ଜେଲରେ ପଡ଼ିଲା ହାତ ଗଣ୍ଠି । ବିବାହ କଲେ ପ୍ରେମୀ ଯୁଗଳ । କୋର୍ଟଙ୍କ ନିର୍ଦ୍ଦେଶରେ ସବୁ କିଛି ହେଲା । ସାକ୍ଷୀ ରହିଲେ ଜେଲର ଏଵଂ ଅନ୍ୟ କର୍ମଚାରୀ । କିଛି ଏମିତି ଘଟିଛି ରାଜସ୍ଥାନ ଯୋଧପୁରର ମଣ୍ଡୋର ଜେଲରେ । ରିପୋର୍ଟ ଅନୁସାରେ, ରାଜସ୍ଥାନର ଯୋଧପୁର ମଣ୍ଡୋର ମୁକ୍ତ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ହତ୍ୟାକାରୀ ପରସ୍ପରକୁ ବିବାହ କରିଛନ୍ତି । ବୁଧବାର ତଥା ଜୁଲାଇ 22 ତାରିଖରେ ଏହି ଦୁଇ ଜଣଙ୍କ ବାହାଘର ଅନୁଷ୍ଠିତ ହୋଇଛି । ଏଥି ଲାଗି ରାଜସ୍ଥାନ ହାଇକୋର୍ଟ ଅନୁମତି ପ୍ରଦାନ କରିଥିଲେ । ରାଜସ୍ଥାନର ନ୍ୟାୟିକ ଏବଂ ପ୍ରଶାସନିକ ଇତିହାସରେ ଏହା ପ୍ରଥମ ଘଟଣା ହୋଇଛି ଯେଉଁଠି କୌଣସି ମୁକ୍ତ ଜେଲ୍ ପରିସରରେ ଦୁଇ କାଇଦିଙ୍କ ମଧ୍ୟରେ ବିବାହ ହୋଇଛି ।

ତେବେ ଅଭିଯୁକ୍ତ ଯୁବକ ଜଣକ ହେଲେ ୩୩ ବର୍ଷୀୟ ମୂଲାରାମ ଭାଟି ଏବଂ ଯୁବତୀ ହେଲେ ୩୧ ବର୍ଷୀୟ ସୀମା । ମୂଲାରାମ ନାଗୋର ବାସିନ୍ଦା ହୋଇଥିବାବେଳେ ସୀମା ମୁମ୍ବାଇରେ ରହୁଥିଲେ । ଜେଲରେ ଉଭୟେ ପରସ୍ପରର ନିକଟତର ହେବା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।।ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ମାମଲା ହାଇକୋର୍ଟରେ ପହଞ୍ଚି ଥିଲା । ପରେ ହାଇକୋର୍ଟ ବିଚାରପତି ଡ. ପୁଷ୍ପେନ୍ଦ୍ର ସିଂ ଭାଟି ଏବଂ ଜଷ୍ଟିସ୍ ପ୍ରବୀର ଭଟନାଗରଙ୍କ ଖଣ୍ଡପୀଠ ଉଭୟଙ୍କ ବିବାହ ପାଇଁ ଆଦେଶ ଜାରି କରିଥିଲେ ।

ବିବାହ ବେଳେ ସୀମାଙ୍କ ଜଣେ ବାନ୍ଧବୀଙ୍କ ପିତା କନ୍ୟାଦାନ କରିଚନ୍ତି । ବାହାଘର ନିମନ୍ତ୍ରଣ କାର୍ଡରେ ପିତାଙ୍କ ସ୍ଥାନରେ ବାନ୍ଧବୀଙ୍କ ପିତାଙ୍କ ନାମ ଲେଖାଯାଇଥିଲା ।ଅନ୍ୟ ଦିଗରେ ବର ମୂଲାରାମ ଦୁଇ ବର୍ଷ ପୂର୍ବରୁ ଅଜମେର ଜେଲ୍ରୁ ମଣ୍ଡୋର ଓପନ ଜେଲକୁ ଆସିଥିଲେ । ସୀମା ଦେଢ଼ ବର୍ଷ ପୂର୍ବରୁ ମହିଳା ଜେଲରୁ ସେଠାକୁ ସ୍ଥାନାନ୍ତରିତ ହୋଇଥିଲେ । ମୁକ୍ତ ଜେଲ ନିୟମ ଅନୁସାରେ ଉଭୟେ ସେଠାରେ ଚାଷ କାମ କରୁଥିଲେ । ସେଠାରେ ମୂଲାରାମ ଏବଂ ସୀମାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ନିକଟରେ ସୀମା ୪୦ ଦିନ ପାଇଁ ପାରୋଲରେ ଆସିଥିଲେ । ପରେ ଉଭୟେ ବିବାହ କରିବା ଲାଗି ହାଇକୋର୍ଟଙ୍କୁ ଅନୁମତି ମାଗିଥିଲେ । ହାଇକୋର୍ଟ ମଧ୍ୟ ଏନେଇ ସମ୍ମତି ଜଣାଇଥିଲେ ।