ପାରାଦୀପ: ଜାହାଜ ଏମଭି ଓସେନ୍ ଓ୍ବିନର ବୁଡ଼ିବା ଘଟଣାରେ ଉଦ୍ଧାର ହୋଇଥିବା ୨ କ୍ରୁ ସଦସ୍ୟଙ୍କ ଠାରୁ ମିଳିଛି ବଡ଼ ସୂଚନା। ଭାଷା ଅନୁବାଦକଙ୍କ ମାଧ୍ୟମରେ ଅଧିକାରୀଙ୍କ ସାମ୍ନାରେ ବଡ଼ ଖୁଲାସା କରିଛନ୍ତି ଏହି କ୍ରୁ ସଦସ୍ୟ। କହିଛନ୍ତି କେମିତି ଗଭୀର ସମୁଦ୍ର ଭିତରେ ବୁଡ଼ିଯାଇଥିଲା ଜାହାଜ ? ପାରାଦୀପରେ ପହଞ୍ଚିଥିବା ଜଣେ ଭାଷା ଅନୁବାଦକ, ଦୁଇ ଜଣ କନସୁଲେଟର, ଜଣେ ଆଡଭୋକେଟଙ୍କ ଏବଂ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କ ସାମ୍ନାରେ ବଖାଣିଛନ୍ତି ସେଦିନର ଛାତିଥରା ଦୁର୍ଘଟଣା।

ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିବା ସୂଚନା ଅନୁସାରେ, ଏହି ୨ କ୍ରୁ ମେମ୍ବର ଭାଷା ଅନୁବାଦକଙ୍କ ମାଧ୍ୟମରେ କହିଛନ୍ତି ଯେ, ଜାହାଜରେ ୨୪ କ୍ରୁ ମେମ୍ବର ଥିଲେ। ଜାହାଜଟି ପାରାଦୀପ ଠାରୁ ୨୩୦ ନଟିକାଲ ମାଇଲ ଦୂରରେ ହଠାତ୍ ବୁଡ଼ିବା ଆରମ୍ଭ କରିଥିଲା। ବୁଡ଼ିବାର ମୁଖ୍ୟ କାରଣ ହେଉଛି ସମୁଦ୍ରରେ ଉଚ୍ଚ ରୋଲିଂ ବା ଉଚ୍ଚ ତରଙ୍ଗ ବୋଲି କହିଛନ୍ତି କ୍ରୁ ମେମ୍ବର। ସେମାନଙ୍କ ଅନୁସାରେ ଏହା ଯୋଗୁ ଜାହାଜ ଭାରସାମ୍ୟ ରକ୍ଷା କରି ପାରିନଥିଲା। ଆଉ ଗୋଟିଏ ପଟକୁ ଢଳିବା ସହ ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ିଯାଇଥିଲା। ଫଳରେ ମାତ୍ର ୧୦ ଜଣ କ୍ରୁ ସଦସ୍ୟ ହିଁ ବାହାରକୁ ଆସି ପାରିଥିଲେ। ହେଲେ ୧୪ ଜଣ ଜାହାଜ ଭିତରେ ହିଁ ରହିଯାଇଥିଲେ।

Also Read: ନେପାଳ ବନ୍ୟା: ଏବେବି ୫ ଓଡ଼ିଆ ନିଖୋଜ, କେନ୍ଦ୍ର ଓ ନେପାଳ ସରକାର ସହ ଯୋଗାଯୋଗ

'ଆମେ ଦୁଇ ଜଣ ଜାହାଜରୁ ଡେଇଁବା ପରେ ପାଖାପାଖି ୨୦ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରରେ ଭାସୁଥିଲୁ ୨୦ ଘଣ୍ଟା ପରେ ଭାରତ ଆସୁଥିବା ଏକ ତୈଳ ଜାହାଜ ଉଦ୍ଧାର କରି କୋଷ୍ଟଗାର୍ଡର ଜାହାଜ "ଭରଦ"କୁ ହସ୍ତାନ୍ତର କରିଥିଲା' ବୋଲି କହିଛନ୍ତି ଏହି ଦୁଇ ଚୀନ ନାଗରିକ। ତେବେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଏପର୍ଯ୍ୟନ୍ତ ଦିଆଯାଇନାହିଁ।କିନ୍ତୁ ଏବେ ବି ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି।