ସମ୍ବଲପୁର ୩।୪: ସମ୍ବଲପୁରରେ ସରକାରୀ ଅର୍ଥ ହେରଫେର । ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗରେ ଠକେଇ ଅଭିଯୋଗ । ଲକ୍ଷେ କି ଦୁଇ ଲକ୍ଷ ଟଙ୍କା ନୁହେଁ ଏକାବେଳେ କୋଟି କୋଟିରେ ଡିଲ୍ । ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ଅଇଁଠାପଲି ପୋଲିସ । ଖୋଳତାଡ଼ ପରେ ସାମ୍ନାକୁ ଆସିଥିଲା ସତ । ଧରାପଡିଥିଲେ ଦୁଇ ଅଭିଯୁକ୍ତ । ଉଭୟଙ୍କଜୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ଜବତ ହୋଇଛି ପ୍ରାୟ ୨୩ ଲକ୍ଷ ଟଙ୍କା । 

ସମ୍ବଲପୁର ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗରେ ସରକାରୀ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କାର୍ଯ୍ୟାଳୟର ଆକାଉଣ୍ଟରୁ ୩.୭୬ କୋଟି ଟଙ୍କା ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଚ୍ୟୁତ ଦେହୁରୀଙ୍କୁ ପେନସନ ଓ ଏରିଆର ବାବଦରେ ଦିଆଯାଇଥିଲା । ହେଲେ ସେତିକି ତାଙ୍କର ପ୍ରାପ୍ୟ ନଥିଲା । ତେବେ ଏତେ ଟଙ୍କା ତାଙ୍କ ଆକାଉଣ୍ଟକୁ କାହିଁକି ଆସିଲା ? କିଏ ପଠାଇଲା ଏତେ ଟଙ୍କା ? ଭୁଲ୍ ବଶତଃ ଟଙ୍କା ଆସିଥିଲା ନା କିଏ ଜାଣିଶୁଣି ଏହି ଟଙ୍କା ପଠାଇଥିଲା । ଏହା ପଛରେ ଥିବା ରହସ୍ୟ ଉନ୍ମୋଚନ ପାଇଁ ଖୋଳତାଡ ଆରମ୍ଭ କରିଥିଲା ଅଇଁଠାପଲି ପୋଲିସ । ଏସବୁ ଖୋଳତାଡ଼ କରିବା ପରେ ୨ ଜଣ କର୍ମଚାରୀ ହିଁ ଟଙ୍କା ହେରଫେର କରିଥିବା ଜଣାପଡିଥିଲା । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ସେହି କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସନ୍ଦୀପ ପଟ୍ଟନାୟକ ଓ ଶରତ ଚନ୍ଦ୍ର ବେହେରା ।

​​​​​​​Also Read:- Elephant On Road: ବୀର ଦର୍ପରେ ରାଜରାସ୍ତାରେ ଚାଲିଛି ଦନ୍ତା ; ଆଗରେ ବନ ବିଭାଗ, ପଛରେ ପଥଚାରୀ

ଏହାସହ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୨୩ ଲକ୍ଷ ଟଙ୍କା ଜବତ କରିଛି । ଟଙ୍କା ନେଇଥିବା ବ୍ୟକ୍ତି ଅଚ୍ୟୁତ ଦେହୁରୀଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିଛି ପୋଲିସ । ଏ ନେଇ ପ୍ରେସମିଟ୍ କରି ସମ୍ବଲପୁର SP ମୁକେଶ ଭାମୁ ସୂଚନା ଦେଇଛନ୍ତି ।