Trump speaks with PM Modi: ଇରାନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କଥା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୁଇ ନେତା ମଧ୍ୟପ୍ରାଚ୍ୟରେ ଚାଲିଥିବା ସ୍ଥିତି ନେଇ ଆଲୋଚନା କରିବା ସହ ହରମୁଜ ଜଳପଥ ଖୋଲା ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ସେମାନେ ମଧ୍ୟପ୍ରାଚ୍ୟରେ ଚାଲିଥିବା ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି, ଯେଉଁଥିରେ ହର୍ମୁଜ୍ ଜଳପଥ ଖୋଲା ରଖିବାକୁ ଗୁରୁତ୍ୱ ଦିଆଯାଇଛି।”

ଆମେରିକା ରାଷ୍ଟ୍ରଦୂତଙ୍କ ପୋଷ୍ଟର କିଛି ମିନିଟ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ରମ୍ପଙ୍କ ଫୋନ୍ କରିଥିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପୋଷ୍ଟ କରି ଲେଖିଛନ୍ତି “ରାଷ୍ଟ୍ରପତି ଟ୍ରମ୍ପଙ୍କ ଠାରୁ ଫୋନ କଲ୍ ଆସିଥିଲା। ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଉପଯୁକ୍ତ ମତ ବିନିମୟ ହେଲା ଭାରତ ଯଥାଶୀଘ୍ର ଉତ୍ତେଜନା ହ୍ରାସ ଏବଂ ଶାନ୍ତି ପୁନଃସ୍ଥାପନକୁ ସମର୍ଥନ କରେ। ହର୍ମୁଜ୍ ଜଳପଥ ଖୋଲା, ସୁରକ୍ଷିତ ଏବଂ ସୁଗମ ରହିବା ସୁନିଶ୍ଚିତ କରିବା ସମଗ୍ର ବିଶ୍ୱ ପାଇଁ ଜରୁରୀ। ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରୟାସ ସମ୍ପର୍କରେ ଯୋଗାଯୋଗରେ ରହିବାକୁ ଆମେ ସହମତ ହୋଇଛୁ।”

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ଆଲୋଚନା

ଟ୍ରମ୍ପଙ୍କ ସହ ଫୋନ୍ରେ କଥା ହେବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ବି ଫୋନ୍ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶକ୍ତି ସଂକଟ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି ବୋଲି ମୋଦୀ କହିଛନ୍ତି। ଏନେଇ ସେ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି “ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକଙ୍କ ସହ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ସମ୍ପର୍କରେ ଆଲୋଚନା କଲି। ବିଶେଷକରି ବିଶ୍ୱ ଶକ୍ତି ସୁରକ୍ଷାକୁ ପ୍ରଭାବିତ କରୁଥିବା ବାଧା ଉପରେ ଆଲୋଚନା କରିଛି। ଭାରତ-ଶ୍ରୀଲଙ୍କା ଶକ୍ତି ସହଯୋଗକୁ ସୁଦୃଢ଼ କରିବା ଏବଂ ଆଞ୍ଚଳିକ ସୁରକ୍ଷା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକର ଅଗ୍ରଗତି ଉପରେ ଆମେ ସମୀକ୍ଷା କରିଛୁ। ନିକଟତମ ଏବଂ ବିଶ୍ୱସ୍ତ ଅଂଶୀଦାର ଭାବରେ, ଆମେ ସହଭାଗୀ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାରେ ଏକତ୍ର କାମ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛୁ।”

ହରମୁଜ ଜଳପଥ ନେଇ ମୋଦୀଙ୍କ ଅସନ୍ତୋଷ
ଟ୍ରମ୍ପଙ୍କ ଫୋନ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାଜ୍ୟସଭାରେ ସମ୍ବୋଧନ କଲା ବେଳେ ହରମୁଜ ଜଳପଥ ବନ୍ଦ ନେଇ ଅଶନ୍ତୋଷ ପ୍ରକାଶ କରିଥିଲେ। ଏବଂ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ। ସେହିପରି ବାଣିଜ୍ୟ ଟ୍ୟାଙ୍କର ଉପରେ ହେଉଥିବା ଆକ୍ରମଣକୁ ବି ନିନ୍ଦା କରିଥିଲେ ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି ଯେ ଭାରତ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ଜାରି ରଖିଛି। ଏଥିପାଇଁ ଆମେ ଇରାନ, ଇସ୍ରାଏଲ ଏବଂ ଆମେରିକା ସମେତ ଏହି କ୍ଷେତ୍ରର ଦେଶଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଅଛୁ। ଏହି ଯୁଦ୍ଧରେ ମାନବ ଜୀବନ ପ୍ରତି କୌଣସି ବିପଦ ମାନବତାର ହିତରେ ନୁହେଁ। ଭାରତ ସମସ୍ତ ପକ୍ଷକୁ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛି। ଏହି ସପ୍ତାହଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏକାଧିକ ବିଶ୍ୱ ନେତାଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି।

ଟ୍ରମ୍ପଙ୍କ ଘୋଷଣା ପରେ ଇରାନ ଅସ୍ୱୀକାର

ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ରହିଥିବା ବେଳେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚୁକ୍ତି ସମ୍ଭାବନା ନେଇ ଘୋଷଣା କରିଥିଲେ। ସେ କହିଥିଲେ ଯେ ମଧ୍ୟପ୍ରାଚ୍ୟରେ ଶତ୍ରୁତାର ସମ୍ପୂର୍ଣ୍ଣ ଶେଷ ଓ ସମାଧାନ କରିବା ଦିଗରେ ଆମେରିକା ଓ ଇରାନ ମଧ୍ୟରେ ଖୁବ୍ ଭଲ ଓ ଫଳପ୍ରଦ ଆଲୋଚନା ହୋଇଛି। ଟ୍ରମ୍ପଙ୍କ ଏହି ଘୋଷଣା ପରେ ତୁରନ୍ତ ଇରାନ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା। ୟୁଏସ୍ ସହ ଏପରି କୌଣସି ଆଲୋଚନା ହୋଇ ନାହିଁ ବୋଲି ଇରାନ କହିଥିଲା। ତେଣୁ ଏଥିରେ ଦୁଇ ଦେଶ ମଧ୍ୟରେ ଗଭୀର ଅବିଶ୍ୱାସ ଥିବା ସ୍ପଷ୍ଟ ହୋଇଛି। ତେଣୁ କୂଟନୈତିକ ସଫଳତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସବୁଠାରୁ ବଡ଼ କଥା ହେଲା ଟ୍ରମ୍ପ ସୋମବାର ଠାରୁ ଇରାନ ଉପରେ ଆକ୍ରମଣକୁ ୫ ଦିନ ପାଇଁ ସ୍ଥଗିତ ରଖିଛନ୍ତି।

Also read- Iran’s top security chief appointed: ଲାରିଜାନୀଙ୍କ ବିୟୋଗ ପରେ ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ନିଯୁକ୍ତ କଲା ଇରାନ

ଯୁଦ୍ଧରେ ଏପର୍ଯ୍ୟନ୍ତ

ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଏତେ ଭୟଙ୍କର ରୂପ ନେଇଛି ଯେ ଏଥିରେ ବ୍ୟାପକ ଆଞ୍ଚଳିକ ଅସ୍ଥିରତା ଏବଂ ବିଶ୍ୱ ଶକ୍ତି ପ୍ରବାହରେ ଦୀର୍ଘକାଳୀନ ବାଧା ସୃଷ୍ଟି କରିବାର ଭୟ ବଢ଼ାଇ ଦେଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ଏବଂ ପଡ଼ୋଶୀ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଗୁ ତୈଳ ମୂଲ୍ୟ ପ୍ରାୟ ୫୦% ବୃଦ୍ଧି ପାଇଛି। ଯାହା ବିଶ୍ୱ ଅର୍ଥନୀତିକୁ ଆଘାତ ଦେଇଛି। ଏହି ଯୁଦ୍ଧ ଯୋଗୁ ବିଭିନ୍ନ ଦେଶରେ ୨୦୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଯେଉଁଥିରେ ସର୍ବାଧିକ ମୃତାହତ ଇରାନ ଏବଂ ଲେବାନନରେ ହୋଇଥିବା ରିପୋର୍ଟ କରାଯାଇଛି।