ମେରିଲ୍ୟାଣ୍ଡ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପୁରୁଣା ଏୟାରଫୋର୍ସ-ୱାନ୍ କୁ ବିଦାୟ ଦେବାର ଦିନକ ପରେ କତାରରୁ ଉପହାରରେ ମିଳିଥିବା ୪୦୦ ମିଲିୟନ ଡଲାରର ବୋଇଂ ୭୪୭କୁ ତାଙ୍କ ନୂଆ ଅସ୍ଥାୟୀ କାର୍ଯ୍ୟାଳୟ ରୂପେ ଉପସ୍ଥାପନ କରିଛନ୍ତି। ଟ୍ରମ୍ପ ଏହାକୁ ବିଶ୍ୱର ସବୁଠୁ ବିଳାଶମୟ ବିମାନ ବୋଲି କହିଛନ୍ତି। କତାର ଦ୍ୱାରା ଗିଫ୍ଟ କରାଯାଇଥିବା ଏହି ବିମାନ ରାଷ୍ଟ୍ରପତିଙ୍କ ଆଗାମୀ ପିଢୀର ଅଧିକାରୀକ ବିମାନ ଆସିବା ପର୍ଯ୍ୟନ୍ତ (୨୦୨୭-୨୮) ବିମାନ ଯାତ୍ରା ଦାୟିତ୍ୱ ତୁଲାଇବ। ଟ୍ରମ୍ପ ଆଗାମୀ ମାସରେ ତୁର୍କିୟେର ଅଙ୍କାରାରେ ଅନୁଷ୍ଠିତ ହେବାକୁ ଥିବା ‘ନାଟୋ’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଏହି ବିମାନରେ ଯିବେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେରିଲ୍ୟାଣ୍ଡର ଜଏଣ୍ଟ ବେସ୍ ଏଣ୍ଡ୍ରିୟୁର ଏକ ହ୍ୟାଙ୍ଗରରେ ବିଶ୍ୱର ସବୁଠୁ ଭବ୍ୟ ବିମାନ ଭିସି-୨୫୦-ବି କୁ ଅନାବରଣ କରିଛନ୍ତି। ଲାଲ, ଧଳା, ଗାଢ ନୀଳ ଓ ସୁନେଲୀ ଧଡି ଥିବା ଏହି ବିମାନକୁ କତାରର ଗଲ୍ଫ ଏମିରେଟ ଦ୍ୱାରା ଉପହାରରେ ଦିଆଯାଇଛି। ଏହି ଉପହାରକୁ ନେଇ ଏବେ ଆମେରିକାରେ ରାଜନୈତିକ ଆଲୋଚନା ଆରମ୍ଭ ହୋଇଗଲାଣି। କାରଣ ଆମେରିକା ନିୟମ ଅନୁସାରେ କୌଣସି ଗୋଟିଏ ସ୍ରୋତରୁ ନ ମାଗି ମିଳୁଥିବା ଉପହାରର ସୀମା ମାତ୍ର ୫୦ ଡଲାର, ହେଲେ ଉପହାରରେ ମିଳିଥିବା ଏହି ବିମାନର ମୂଲ୍ୟ ଏହି ସୀମାଠାରୁ ଅନେକ ଗୁଣା ଅଧିକ।

ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ସମାଲୋଚନାକୁ ଖାରଜ କରିଦେଇଛନ୍ତି। କହିଛନ୍ତି ଏତେବଡ଼ ଉପହାରକୁ ଛାଡିଦେବା ମୁର୍ଖତା ହେବ। ଏଥିରେ ପେଣ୍ଟାଗନ ମୁଖପାତ୍ର ସନ ପାର୍ଣ୍ଣେଲ କହିଛନ୍ତି ଯେ ପ୍ରତିରକ୍ଷା ସଚିବ ସମସ୍ତ ସଂଘୀୟ ନିୟମ ଅନୁସାରେ କତାରରୁ ଏହି ଉପହାର ସ୍ୱୀକାର କରିଛନ୍ତି। ତେବେ ଏହି ଭବ୍ୟ ଜେଟର ମୂଳ ମୂଲ୍ୟ ଯାହାବି ହୋଇଥାଉ ନା କାହିଁକି ଏହାକୁ ରାଷ୍ଟ୍ରପତିଙ୍କ ବ୍ୟବହାର ଯୋଗ୍ୟ ସୁରକ୍ଷିତ ବିମାନରେ ରୂପାନ୍ତରିତ କରିବାକୁ ବିପୁଳ ବ୍ୟୟ ହେବ। ‘ଦି ଗାର୍ଡିୟାନ’ ରିପୋର୍ଟ ଅନୁସାରେ କତାରର ଏହି ବୋଇଂ ୭୪୭ ସମ୍ପୂର୍ଣ୍ଣ ରାଷ୍ଟ୍ରପତିଙ୍କ ବିମାନରେ ପରିବର୍ତ୍ତିତ ହେବା ପାଇଁ ୧ ବିଲିୟନ ଡଲାର ବ୍ୟୟ ହେବ। ଏଣୁ ଏହାକୁ କେବଳ ଏକ ଅସ୍ଥାୟୀ ସମାଧାନ ଭାବେ ଉପଯୋଗ କରାଯିବ।

ବିମାନର ଅନାବରଣ ଅବସରରେ ଟ୍ରମ୍ପ କତାରର ଅମୀରଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ‘ସେ ଜଣେ ଉଲ୍ଲେଖନୀୟ ବ୍ୟକ୍ତି, ଗତ କିଛିମାସରେ ସେ ଅନେକ କିଛି ସହିଛନ୍ତି’। ଏହାକୁ ବିଶ୍ୱର ସବୁଠୁ ବିଳାଶମୟ ବିମାନ ମନେ କରାଯାଏ, ଯେତେବେଳେ ଏହାର ନିର୍ମାଣ ହୋଇଥିଲା ସେତେବେଳେ ଏହାକୁ ସେହି ସ୍ତରରେ ନିର୍ମାଣ କରାଯାଇଥିଲା ଯାହା ପୁଣି ଥରେ କେବେ ଦେଖିବାକୁ ନ ମିଳେ। ଟ୍ରମ୍ପ କହିଛନ୍ତି ଯେ ବିଦେଶୀ ନେତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଆଧୁନିକ ସ୍କ୍ୱାଡ୍ରନ ସହିତ ତାଳମେଳ ରଖିବା ଲାଗି ଏପରି ଏକ ବିମାନର ଆବଶ୍ୟକତା ଥିଲା। ସେ କହିଛନ୍ତି ଯେ ଏହି ଦେଶ ଆମର ବହୁତ ସମ୍ମାନ କରୁଛି, ହେଲେବି ସେମାନଙ୍କର ଆମଠୁ ଉନ୍ନତ ଓ ଭଲ ବିମାନ ଅଛି।